fbpx

ଘରୋଇ ଇନ୍ଧନ ଯୋଗୁଁ ହେଉଛି ଷ୍ଟ୍ରୋକ, ହୃଦ୍ ରୋଗ ଓ ଫୁସଫୁସ କର୍କଟ: ଖାସକରି ମହିଳା ଏବଂ ଶିଶୁ ହେଉଛନ୍ତି ଶିକାର

ଦୁନିଆ ଯେତେ ଆଗକୁ ଗଲେ ବି ବିଶ୍ୱର ପ୍ରାୟ ୨.୩ ବିଲିୟନ ଲୋକ, ଅର୍ଥାତ୍ ଜନସଂଖ୍ୟାର ଏକ ତୃତୀୟାଂଶ ଲୋକ କିରୋସିନି, କାଠ, ପଶୁଙ୍କ ଗୋବର କିମ୍ବା କୋଇଲାରେ ଚାଲୁଥିବା ଚୁଲି ବ୍ୟବହାର କରି ଖାଦ୍ୟ ରାନ୍ଧୁଛନ୍ତି । ଏଥିରୁ ବାହାରୁଥିବା କ୍ଷତିକାରକ ଧୂଆଁ ଘର ଭିତରର ବାୟୁ ପ୍ରଦୂଷଣ କରି ଲୋକଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।

ଏହି ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏହି କ୍ଷତିକାରକ ବାୟୁ କେବଳ ଲୋକଙ୍କ ସ୍ୱାସ୍ଥ୍ୟକୁ ଖରାପ କରୁନାହିଁ ବରଂ ବିଶେଷ କରି ପିଲାମାନଙ୍କ ପାଇଁ ସାଂଘାତିକ ପ୍ରମାଣିତ ହେଉଛି ।

ପିଲାମାନଙ୍କ ପାଇଁ ଘାତକ ସାଜିଛି ଏହି ଧୂଆଁ-

ଗ୍ୟାସ୍ ସିଲିଣ୍ଡର ଠାରୁ ଆରମ୍ଭ କରି ଏୟାର ଫ୍ରାଏର୍ ପର୍ଯ୍ୟନ୍ତ ଏହି ପ୍ରଯୁକ୍ତିବିଦ୍ୟା ଅତ୍ୟନ୍ତ ଆଧୁନିକ ହୋଇପାରିଛି । ଆଜି ମଧ୍ୟ ବିଶ୍ୱର ପ୍ରାୟ ୨.୩ ବିଲିୟନ ଲୋକ ଚୁଲି କିମ୍ବା କୋଇଲା ଏବଂ କାଠ ବ୍ୟବହାର କରି ଖାଦ୍ୟ ରାନ୍ଧିବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଗରିବ ଏବଂ ନିମ୍ନ ବର୍ଗର । ଯଦି ଆମେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟକୁ ଦେଖିବା, ୨୦୨୦ରେ ବାର୍ଷିକ ୩.୨ନିୟୁତ ମୃତ୍ୟୁ ପାଇଁ ଘର ଭିତରର ବାୟୁ ପ୍ରଦୂଷଣ ହିଁ ଦାୟୀ । ଏଥିରେ ୫ ବର୍ଷରୁ କମ ବୟଷର ୨ ଲକ୍ଷ ୩୭ ହଜାରରୁ ଅଧିକ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

ଘରୋଇ ଇନ୍ଧନ ଯୋଗୁଁ ଏହି ରୋଗର ଆଶଙ୍କା ବୃଦ୍ଧି-

ଘରର ବାୟୁ ପ୍ରଦୂଷଣ ଷ୍ଟ୍ରୋକ, ହୃଦ୍ ରୋଗ, କ୍ରନିକ ଅବଷ୍ଟ୍ରକ୍ଟିଭ ଫୁସଫୁସ ରୋଗ (COPD) ଏବଂ ଫୁସଫୁସ କର୍କଟ ସହିତ ଅଣ ସଂକ୍ରାମକ ରୋଗ ସୃଷ୍ଟି କରୁଛି । ମହିଳା ଏବଂ ଶିଶୁ ବିଶେଷ ଭାବରେ ଏହିପରି ରୋଗର ଶିକାର ହୋଇଥାନ୍ତି । ଘର ଭିତରର ବାୟୁ ପ୍ରଦୂଷଣରେ ବିଭିନ୍ନ ସ୍ୱାସ୍ଥ୍ୟ-କ୍ଷତିକାରକ ପ୍ରଦୂଷକ ଅନ୍ତର୍ଭୁକ୍ତ । ଏହି କ୍ଷୁଦ୍ର କଣିକା ଫୁସଫୁସରେ ପ୍ରବେଶ କରି ରକ୍ତ ସଞ୍ଚାଳନରେ ପ୍ରବେଶ କରିଥାଏ ।

ଉପଯୁକ୍ତ ଭେଣ୍ଟିଲେସନ୍ ନଥିବା ଘର ଭିତରେ ଧୂଆଁ ପ୍ରବେଶ କରେ ଏବଂ ସଂପୂର୍ଣ୍ଣ ଭାବରେ ବାହାରକୁ ବାହାରିପାରି ନଥାଏ । ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ ଏହି ବିପଦ ଅଧିକ ରହିଥାଏ । ବାସ୍ତବରେ, ଯେତେବେଳେ ଘରର ମହିଳାମାନେ ଚୁଲିରେ ଖାଦ୍ୟ ରାନ୍ଧନ୍ତି, ଘର ଭିତରେ ଥିବା ଧୂଆଁ ବଢିଯାଏ ଏବଂ ଏହି ଧୂଆଁ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟକୁ ଅଧିକ କ୍ଷତି ପହଞ୍ଚାଇଥାଏ । ବାରମ୍ୱାର ଏହା ହେବା ଦ୍ୱାରା ପରେ ସାଂଘାତିକ ରୂପ ନେଇଥାଏ ।

ପ୍ରଧାନମନ୍ତ୍ରୀଙ୍କ ଉଜ୍ୱଳା ଯୋଜନା ପରେ କମିଛି ବିପଦ-

ଏକ ରନ୍ଧନ ଇନ୍ଧନ ଭାବରେ ଏଲପିଜିର ବ୍ୟବହାର ୨୦୧୯ରେ ପ୍ରଦୂଷଣ ସହ ଜଡିତ ପ୍ରାୟ ୧.୫ ଲକ୍ଷ ଅକାଳ ମୃତ୍ୟୁକୁ ରୋକିବା ପାଇଁ ସକ୍ଷମ ହୋଇଛି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ରିପୋର୍ଟରେ ଆହୁରି ମଧ୍ୟ ଦାବି କରାଯାଇଛି ଯେ, ଉଜ୍ୱଳା ଯୋଜନା ସେହି ବର୍ଷ ଅତି କମରେ ୧.୮ ମିଲିୟନ ଟନ ପିଏମ୨.୫ ନିର୍ଗମନକୁ ଏଡାଇବାରେ ସାହାଯ୍ୟ କରିଛି । ରିପୋର୍ଟ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁଁ ମୃତ୍ୟୁରେ ୧୩% ହ୍ରାସ ଘଟିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ-

ଘରୋଇ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ତଥା ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସ୍ୱଚ୍ଛ ଇନ୍ଧନ ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବୃଦ୍ଧି କରିବା ଆବଶ୍ୟକ । ଏଥିମଧ୍ୟରେ ସୌରଶକ୍ତି, ବିଦ୍ୟୁତ୍, ବାୟୋଗ୍ୟାସ୍, ତରଳ ପେଟ୍ରୋଲିୟମ ଗ୍ୟାସ୍ (LPG), ପ୍ରାକୃତିକ ଗ୍ୟାସ୍ ଏବଂ ବାୟୋମାସ୍ ଚୁଲା ଅନ୍ତର୍ଭୁକ୍ତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶାବଳୀ ଅନୁଯାୟୀ ଏହା ସୁରକ୍ଷିତ ଏବଂ ଯାହାର ବ୍ୟବହାର ବୃଦ୍ଧି କରାଯିବା ଉଚିତ ।

Get real time updates directly on you device, subscribe now.