fbpx

Team India ପାଇଁ ଗମ୍ଭୀର ସମସ୍ୟା: ଦ୍ୱିତୀୟ ଦିନିକିଆରେ ହାରିଲା ରୋହିତ ସେନା

ନୂଆଦିଲ୍ଲୀ: ଭାରତ ପାଇଁ ଏବେ ସମସ୍ୟା ପାଲଟିଛି ଦଳର ବ୍ୟାଟିଂ ବିଭାଗ । ଦ୍ୱିତୀୟ ଦିନିକିଆରେ ବ୍ୟାଟିଂ ବିପର୍ଯ୍ୟୟ ଫଳରେ ପରାଜୟର ସାମନା କରିଛି ଟିମ ଇଣ୍ଡିଆ । ରୋହିତଙ୍କ ଅର୍ଦ୍ଧଶତକ ଏବଂ ଅକ୍ଷର ପଟେଲଙ୍କ ଦମଦାର ବ୍ୟାଟିଂ ପରେ ମଧ୍ୟ ୩୨ ରନ୍ ପଛରେ ରହିଯାଇଛି ରୋହିତ ସେନା । ଶ୍ରୀଲଙ୍କା ବୋଲର ଜେଫ୍ରି ଭାନ୍ଦରସେଙ୍କ ଘାତକ ବୋଲିଂ ଆଗରେ ନିରସ୍ତ୍ର ପାଲଟିଛି ଭାରତୀୟ ଦଳ । ୨୪୧ ରନର ପିଛା କରି ଭାରତ ଶେଷରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ପରାଜୟ ସହିତ ଦିନିକିଆ ସିରିଜ ହାରିବା ଆଶଙ୍କା ମଧ୍ୟ ବୃଦ୍ଧି ପାଇଛି ।

ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାର ୨୪୧ ରନର ପିଛା କରି ଅଧିନାୟକ ରୋହିତ ଏବଂ ଶୁଭମନ ଗିଲ୍ ପାଳି ଆରମ୍ଭ କରିଥିଲେ । ରୋହିତ ଶର୍ମା ମାତ୍ର ୨୯ ବଲରୁ ଅର୍ଦ୍ଧଶତକ ବ୍ୟାଟିଂ କରିଥିବା ବେଳେ ଗିଲ୍ ମଧ୍ୟ ତାଙ୍କ ସାଥ୍ ଦେଇଥିଲେ । କିନ୍ତୁ ରୋହିତଙ୍କ ୱିକେଟ ପରେ ଭାରତ ନିଜ ସନ୍ତୁଳନ ହରାଇ ବସିଛି । ଟିମ ଇଣ୍ଡିଆର ମଧ୍ୟକ୍ରମ ସମ୍ପୂର୍ଣ୍ଣ ଭାବରେ ଫେଲ ମାରିଛି । ଶ୍ରୀଲଙ୍କାର ଷ୍ଟାର ବୋଲର ଜେଫ୍ରି ଭାନ୍ଦରସେଙ୍କ ଘାତକ ବୋଲିଂ ଭାରତର ବ୍ୟାଟିଂ ଅର୍ଡରକୁ ଧୂଳିସାତ୍ କରିଦେଇଛି ।

ରୋହିତ ଶର୍ମା ଏହି ମ୍ୟାଚରେ ଦମଦାର ବ୍ୟାଟିଂ କରି ୪୪ ବଲରୁ ୬୪ ରନ୍ କରିଥିବା ବେଳେ ଅଲରାଉଣ୍ଡର ଅକ୍ଷର ପଟେଲ ୪୪ ରନ୍ କରିଛନ୍ତି । ଏହାବ୍ୟତୀତ ଶୁଭମନ ଗିଲ୍ ୩୫ ରନ୍ କରି ପାଭିଲିୟନ୍ ଫେରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିରାଟ ୧୪ ଏବଂ ୱଶିଂଟନ୍ ସୁନ୍ଦର ୧୫ ରନ୍ କରିଛନ୍ତି । ଏହି ୫ ଜଣ ଖେଳାଳିଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ଫଳରେ ଦ୍ୱିତୀୟ ଦିନିକିଆକୁ ସହଜରେ ଜିତି ନେଇଛି ଶ୍ରୀଲଙ୍କା ।

କିଛି ମାସ ତଳେ ଭାରତର ମଧ୍ୟକ୍ରମ ସବୁଠାରୁ ଶକ୍ତିଶାଳୀ ଥିବା ବେଳେ ଆଜି ଶ୍ରୀଲଙ୍କା ବିପକ୍ଷରେ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି ମିଡିଲ ଅର୍ଡର । ଅକ୍ଷର ପଟେଲଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ତେବେ ଶ୍ରୀଲଙ୍କା ପକ୍ଷରୁ ଜେଫ୍ରି ଭାନ୍ଦରସେ ଏହି ମ୍ୟାଚରେ ଟିମ ଇଣ୍ଡିଆ ଉପରେ ଭାରୀ ପଡ଼ିଛନ୍ତି । ୧୦ ଓଭରରେ ମାତ୍ର ୩୩ ରନ୍ ଦେଇ ୬ ଜଣ ଭାରତୀୟ ଖେଳାଳିଙ୍କ ଶିକାର କରିଛନ୍ତି ସିଂହଳୀ ବୋଲର । ତେଣୁ ତାଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍ ଭାବରେ ବିବେଚନା କରାଯାଇଛି । ତାଙ୍କ ବ୍ୟତୀତ ଅଧିନାୟକ ଚରିତ ଅଶଲଙ୍କା ମଧ୍ୟ ୩ଟି ସଫଳତା ହାସଲ କରଛନ୍ତି । ତେବେ ଏହି ମ୍ୟାଚ ବିଜୟ ସହ ଦିନିକିଆ ସିରିଜରେ ଆଗୁଆ ହୋଇଛି ଶ୍ରୀଲଙ୍କା । ବର୍ତ୍ତମାନ ସ୍ଥିତିରେ ଶ୍ରୀଲଙ୍କା ଦିନିକିଆ ସିରିଜ ହାରିବାର ସମ୍ଭାବନାକୁ ଏଡ଼ାଇ ଦେଇଛି ।

Get real time updates directly on you device, subscribe now.