ସଂସଦରେ ଅର୍ଥମନ୍ତ୍ରୀଙ୍କ ସୂଚନା: ଜନଧନ ଆକାଉଣ୍ଟ ଓ ବେସିକ ସଞ୍ଚୟ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ ନୁହେଁ
ନୂଆଦିଲ୍ଲୀ: ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଅଧିକାଂଶ ଗ୍ରାହକଙ୍କ ପାଇଁ ଏକ ବଡ଼ ସମସ୍ୟା । ଆଜିକାଲି ଅଧିକାଂଶ ଲୋକଙ୍କର ବିଭିନ୍ନ ପ୍ରକାରର ଋଣର କିସ୍ତି, ଇଏମଆଇ କଟୁଥିବାରୁ ସର୍ବଦା ଆକାଉଣ୍ଟରେ ମିନିମମ୍ ବାଲାନ୍ସ ରଖିବା ସମ୍ଭବ ହୋଇନଥାଏ । ତେବେ ଏହାର ଗ୍ରାହକଙ୍କୁ ମଧ୍ୟ ଭରିବାକୁ ପଡ଼ିଥାଏ । ନିଜର ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ମେଣ୍ଟେନ୍ନ ନ କରିବା ଫଳରେ ଗ୍ରାହକଙ୍କର ଆକାଉଣ୍ଟରୁ ଏଥିପାଇଁ ଶୁଳ୍କ କଟିଯାଇଥାଏ । ବିଭିନ୍ନ ବ୍ୟାଙ୍କମାନେ ଏନେଇ ନିୟମ ଲାଗୁ କରିଛନ୍ତି ।
ତେବେ ଆପଣମାନେ ଯଦି ଏଭଳି ସମସ୍ୟାର ଶିକାର ହେଉଛନ୍ତି ତେବେ ଏନେଇ ଆସିଛି ଏକ ଖୁସି ଖବର । ପ୍ରଧାନମନ୍ତ୍ରୀ ଜନଧନ ଆକାଉଣ୍ଟ ଓ ବେସିକ ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ଜରୁରୀ ନୁହେଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ନ ରଖିବା ଯୋଗୁଁ ବ୍ୟାଙ୍କୁଗୁଡ଼ିକ ପକ୍ଷରୁ ଜରିମାନା ଲାଗୁ କରାଯାଉଥିବା ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ରାଜ୍ୟସଭାରେ ଏହା କହିଛନ୍ତି । ସେହିପରି ସାଇବର ଠକେଇ କ୍ଷେତ୍ରରେ ସରକାର ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ଓ ଆର୍ଥିକ ଠକେଇକୁ ରୋକିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ।