fbpx

ଚୋରି କରିବାର ନିଆରା ଉପାୟ; ଦାନ ପେଟିରେ ଚିପକାଇ ଥିଲେ QR code, ଆକାଉଣ୍ଟକୁ ଆସୁଥିଲା ଟଙ୍କା, ଶେଷରେ ଧରିଲା ପୋଲିସ

ଓଡ଼ିଶା ଭାସ୍କର: ଆଜିକାଲି ଡିଜିଟାଲ ପେମେଣ୍ଟ ସିଷ୍ଟମ ମାଧ୍ୟମରେ ଅନେକ କାର୍ଯ୍ୟ ସହଜରେ ହୋଇପାରୁଛି । ଅନେକାଂଶରେ ଲୋକମାନେ ଡିଜିଟାଲ ପେମେଣ୍ଟ ଦ୍ୱାରା ଠକାମୀର ଶିକାର ହେଉଛନ୍ତି । ଆଜିକାଲି ଠକମାନେ ବି ଠକାମୀର ନୂଆ ନୂଆ ପନ୍ଥା ଆପଣାଉଛନ୍ତି । ଏମିତିକି ସେମାନେ ଭଗବାନଙ୍କୁ ବି ଛାଡ଼ୁନାହାଁନ୍ତି । ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ମନ୍ଦିରର ଦାନ ପେଟିରେ ନିଜ QR code ଚିପକାଇ ଦେଇଥିଲେ । ଏହା ପରେ ତାଙ୍କ ଆକାଉଣ୍ଟରେ ଟଙ୍କା କ୍ରୋଡିଟ୍ କରାଉଥିଲେ । ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଏକ ରିପୋର୍ଟରୁ ପ୍ରକାଶ ଏଭଳି ଘଟଣା ଦେଖିବାକୁ ମିଳିଛି ଚୀନର ବାଓଜି ଶହରରେ । ଏଠାରେ ସ୍ଥିତ ଏକ ବୁଦ୍ଧ ମନ୍ଦିରରୁ ଏଭଳି ନିଆରା ଢ଼ଙ୍ଗରେ ଚୋରି ହେଉଥିଲା ଯାହା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଏହି ଭିଡିଓ କ୍ଲିପରେ ଦର୍ଶାଯାଇଛି ଯେ କିପରି ଅନ୍ୟ ଶ୍ରଦ୍ଧାଳୁଙ୍କ ସହ ଜଣେ ବ୍ୟକ୍ତି ପ୍ରାର୍ଥନା କରିବା ଆଳରେ ଦାନ ପେଟିରେ ମନ୍ଦିର QR code ଉପରେ ନିଜ QR code ଚିପକାଉଛନ୍ତି । ଏହା ପରେ ସେ ସେଠାରୁ ଚାଲିଗଲେ । ସେପଟେ ସେ ମାଲାମାଲ ହେଉଥାନ୍ତି । ମନ୍ଦିର ପ୍ରଶାସନକୁ ସନ୍ଦେହ ହେବାରୁ ପୋଲିସକୁ ସୂଚନା ଦିଆଯାଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ଯାଞ୍ଚ କରି ପୋଲିସ ଚୋରକୁ ଧରିବାରେ ସଫଳ ହୋଇଥିଲା । ଏହା ପରେ ଚୋର ନିଜ ଦୋଷ ସ୍ୱୀକାର କରିଥିଲା । ପରେ ସମସ୍ତ ଟଙ୍କା ମନ୍ଦିର ଟ୍ରଷ୍ଟକୁ ଫେରାଇ ଥିଲା । ପୋଲିସ ସୂତ୍ରରୁ ପ୍ରକାଶ କି ଅଭିଯୁକ୍ତ ଜଣଙ୍କ ଚୀନର ଟପ୍ ୟୁନିଭର୍ସିଟିରୁ ଆଇନ୍ ଡିଗ୍ରୀ କରିଛନ୍ତି । ଏହି ଉପାୟ ଆପଣାଇ ସେ ଅନେକ ସ୍ଥାନରୁ ଟଙ୍କା ଚୋରି କରିଛନ୍ତି । ସେ ଚୋରି କରିଥିବା ଟଙ୍କା ଭାରତୀୟ ମୁଦ୍ରାରେ ପ୍ରାୟ ୪ ଲକ୍ଷ ଟଙ୍କା ପାଖାପାଖି ହେବ । ତେବେ ଏଭଳି ଘଟଣାକୁ ନେଇ ଆମକୁ ସତର୍କ ରହିବାର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.