fbpx

ଆଜି ଭାରତ ବନ୍ଦ; ସମ୍ବଲପୁରରେ ଅଟକିଲା ଟ୍ରେନ୍‌, ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ । SC/ST ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ସଂରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ପକ୍ଷରୁ ବନ୍ଦ ପାଳନ କରାଯାଉଛି । ଏଥିମଧ୍ୟରେ ସମ୍ବଲପୁରରେ ଭାରତ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ସମ୍ବଲପୁରରେ ପୁରୀ ଇଣ୍ଟରସିଟି ଓ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ ଟ୍ରେନ୍ ଅଟକ ରଖାଯାଇଛି । ଟ୍ରେନ୍ ଅଟକିଥିବା ଯୋଗୁଁ ଯାତ୍ରୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହା ସହ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି ଆନ୍ଦୋଳନକାରୀ । ଅପରପକ୍ଷରେ ବନ୍ଦରୁ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି । ଦେଶବ୍ୟାପି ଏହି ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିରୋଧି ଦଳ ସମର୍ଥନ ଜଣାଇଛନ୍ତି ।

ନିକଟରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯିବ । ଏହା ସହ ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ୱଚ୍ଛଳ ବର୍ଗଙ୍କୁ ବାଦ୍ ଦେଇ ଅବହେଳିତମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ରାୟ ଶୁଣାଇଥିଲେ । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ପକ୍ଷରୁ ବିରୋଧ କରାଯାଇଛି । ତେବେ ଏହି ବନ୍ଦ ସମୟରେ ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ସରକାରୀ ସେବା ଗୁଡ଼ିକ ଜାରି ରହିବ। ସରକାରୀ ସହ ଘରୋଇ ସଂସ୍ଥା, ବ୍ୟାଙ୍କ, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଖୋଲା ରହିପାରେ । ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବଂ ଏଟିଏମ୍ ଗୁଡ଼ିକ ଖୋଲା ରହିବ। ଅନ୍ୟପଟେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଲୋକସେବା ଭବନ, ଖାରବେଳ ଭବନ,ରାଜୀବ ଭବନ ଓ ଅନ୍ୟ ପ୍ରମୁଖ ବିଭାଗର କର୍ମଚାରୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କିଛି ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପରିଚୟ କାର୍ଡ, କର୍ମଚାରୀ ଏବଂ ପରିଦର୍ଶକ ପାସର ସୁରକ୍ଷା ଯାଂଚକୁ କଡାକଡି କରାଯିବ । କୌଣସି ଅଘଟଣ ଘଟିଲେ ଜଣାଇବାକୁ ଫୋନ ନମ୍ବର ଜାରି କରାଯାଇଛି । ବଲାଙ୍ଗୀର, କୋରାପୁଟ, ସୁବର୍ଣ୍ଣପୁର, ଯାଜପୁର ଓ ଅନୁଗୋଳରୁ ବିଭିନ୍ନ ଦଳିତ ସଂଗଠନ ଏହି ବନ୍ଦରେ ସାମିଲ ହେବା ନେଇ ସମର୍ଥନ ଜଣାଇଥିଲେ। ଭିମ୍ ଆର୍ମି, ନାସନାଲ କନଫେଡେରେସନ୍ ଅଫ୍ ଦଳିତ ଅର୍ଗନାଇଜେସନ୍, ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ, ଆଦିବାସୀ ଏକତା ପରିଷଦ ଓ ବିଭିନ୍ନ ଦଳି ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

Get real time updates directly on you device, subscribe now.