fbpx

ୟୁନିଫାଏଡ୍‌ ପେନସନ୍‌ ସ୍କିମ୍‌କୁ କେନ୍ଦ୍ରର ମଞ୍ଜୁରୀ: ଏଣିକି ସରକାରୀ କର୍ମଚାରୀଙ୍କୁ ମିଳିବ ଏହିସବୁ ଫାଇଦା

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ପାଇଁ ଆସିଛି ଖୁସିଖବର । କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ବଡ଼ ଉପହାର ଦେଇଛନ୍ତି । ନୂଆ ପେନସନ ଯୋଜାନରେ ସୁଧାର ଦାବିକୁ ଧ୍ୟାନରେ ରଖି ସରକାର ୟୁନିଫାଏଡ୍ ଫେନସନ୍ ସ୍କିମ୍କୁ ମଞ୍ଜୁରୀ ଦେଇଛନ୍ତି । ନୂଆ ପେନସନ୍ ସ୍କିମ୍ (ଏନପିଏସ୍)ରେ ସୁଧାର ଆଣିବା ଲାଗି ଡ. ସୋମନାଥ କମିଟି ଗଠନ କରାଯାଇଥିଲା । ବିସ୍ତୃତ୍ବ ଆଲୋଚନା ପରେ କମିଟିର ରିପୋର୍ଟ ଆଧାରରେ ଏହି ନୂଆ ସ୍କିମ୍କୁ ମଞ୍ଜୁରୀ ମିଳିଛି ।

ଆଜି (ଶନିବାର) ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ୟୁନିଫାଏଡ୍ ପେନସନ୍ ସ୍ମିମ (ୟୁପିଏସ୍)କୁ ମଞ୍ଜୁରୀ ମିଳିଥିବା ନେଇ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଚାକିରି ପରେ ମିଳୁଥିବା ପେନସନ୍କୁ ଧ୍ୟାନରେ ରଖି ଏହି ପେନସନ୍ ସ୍କିମ୍ ଲାଗୁ ହେବାକୁ ଯାଉଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ‘ବିରୋଧୀ କେବଳ ପୁରୁଣା ପେନସନ୍ ସ୍କିମ୍ (ଓପିଏସ୍)କୁ ନେଇ ରାଜନୀତି କରୁଥିଲେ । ବିଶ୍ବରେ କେଉଁଭଳି ସ୍କିମ୍ ରହିଛି ସେସବୁ ଦେଖିଲା ପରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି କମିଟି ୟୁନିଫାଏଡ୍ ପେନସନ୍ ସ୍କିମ୍ ଲାଗି ପରାମର୍ଶ ଦେଇଛି । କ୍ୟାବିନେଟ୍ ୟୁନିଫାଏଡ୍ ପେନସନ୍ ସ୍କିମ୍କୁ ମଞ୍ଜୁରୀ ଦେଇଛି ।’

ସେ ଆହୁରି କହିଛନ୍ତି ଯେ, ‘ପେପସନଧାରୀଙ୍କୁ ୫୦ ପ୍ରତିଶତ ଆସ୍ୟୁର୍ଡ ପେନସନ୍ ଦିଆଯିବ । ଅବସର ପୂର୍ବରୁ ୧୨ ମାସର ବେସିକ୍ ଦରମାର ଆଭରେଜ୍ ଉପରେ ୫୦ ପ୍ରତିଶତ ପେନସନ୍ ମିଳିବ । କିନ୍ତୁ ଏହି ପେନସନ୍ ୨୫ ବର୍ଷରୁ ଅଧିକ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ ମିଳିବ । ଏନପିଏସ୍ ପରିବର୍ତ୍ତେ ସରକାର ଏବେ ୟୁପିଏସ୍ ଲାଗୁ କରିବାକୁ ଯାଉଛନ୍ତି । ଏହା ସହ ସରକାର ଓପିଏସ୍କୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେଇଛନ୍ତି ।’

କ’ଣ ଏହି ୟୁପିଏସ୍ ?

ୟୁପିଏସ୍ ୧ ଏପ୍ରିଲ ୨୦୨୫ରୁ ଲାଗୁ ହେବ । ଏହା ମାଧ୍ୟମରେ ୧୦ ବର୍ଷ ପର୍ଯ୍ୟନ୍ତ ସରକାରୀ ଚାକିରି କରିଥିବା କର୍ମଚାରୀଙ୍କୁ ୧୦ ହଜାର ଟଙ୍କା ପେନସନ ମିଳିବ । ୨୫ ବର୍ଷ ଚାକିରି କରିଥିବା ସରକାରୀ ଚାକିରିଆଙ୍କୁ ପୂର୍ଣ୍ଣ ପେନସନ ଦେବେ ସରକାର । ସେହିଭଳି ଯଦି ଚାକିରି ସମୟରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଏ ତେବେ ତାଙ୍କ ପତ୍ନୀଙ୍କୁ ୬୦ ପ୍ରତିଶତ ପେନସନ୍ ଦିଆଯିବ । ସମସ୍ତ ଏନପିଏସ୍ ଧାରୀଙ୍କୁ ୟୁପିଏସ୍ ନେବା ଲାଗି ବିକଳ୍ପ ମିଳିବ । ସରକାର ଏଥିପାଇଁ ଏରିୟର ଦେବାକୁ ବ୍ୟବସ୍ଥା କରିଛନ୍ତି । ଯେଉଁ କର୍ମଚାରୀ ୨୦୦୪ରୁ ଅବସର ନେଇଛନ୍ତି ସେମାନଙ୍କୁ ମଧ୍ୟ ଏହାର ଫାଇଦା ମିଳିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.