fbpx

ଆଜିଠୁ ‘ସୁଭଦ୍ରା’ ଯୋଜନା ପାଇଁ ଆବେଦନ ଆରମ୍ଭ , ଜାଣନ୍ତୁ କିପରି କରିବେ ପଞ୍ଜୀକରଣ

ଭୁବନେଶ୍ବର: ରାଜ୍ୟର ମହିଳାମାନଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ପ୍ରାୟତଃ ସମସ୍ତ ଜିଲ୍ଲାରେ ଆବେଦନ ଫର୍ମ ଉପଲବ୍ଧ ହୋଇସାରିଛି। ଯେଉଁଠି ଉପଲବ୍ଧ ହୋଇପାରି ନାହିଁ, ଖୁବ୍‌ ଶୀଘ୍ର ପହଞ୍ଚି ଯିବ ବୋଲି ରାଜ୍ୟ ସରକାର ଦୃଢ଼ୋକ୍ତିର ସହିତ କହିଛନ୍ତି। ସେପ୍ଟେମ୍ବର ୧ ତାରିଖ ଠାରୁ ସୁଭଦ୍ରା ଯୋଜନାରେ ହିତାଧିକାରୀମାନଙ୍କର ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଏ ସମସ୍ତ ପ୍ରକ୍ରିୟା ଦେୟମୁକ୍ତ ହେବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୃଷ୍ଟ କରାଯାଇଛି।

ସୁଭଦ୍ରା ଯୋଜନା ପାଇଁ ମୋହନ ସରକାର କିଛି ଦିନ ପୂର୍ବରୁ ମାର୍ଗଦର୍ଶିକା ଜାରି କରିସାରିଛନ୍ତି। ସମସ୍ତ ଜିଲ୍ଲାକୁ ପର୍ଯ୍ୟାପ୍ତ ପରିମାଣର ଆବେଦନ ଫର୍ମ ପଠାଯାଇଛି। ଆଜି ୟୁଟ୍ୟୁବ୍ ଲାଇଭ୍ର ଉଦ୍‌ବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି।

ଶ୍ରୀମତୀ ପରିଡ଼ା କହିଛନ୍ତି, ଉଭୟ ଅଫଲାଇନ୍ ଓ ଅନଲାଇନ ମାଧ୍ୟମରେ ସୁଭଦ୍ରା ଯୋଜନା ପାଇଁ ହିତାଧିକାରୀମାନେ ଆବେଦନ କରିପାରିବେ। ଗୋଟିଏ ପରିବାରର ଏକାଧିକ ମହିଳା ମଧ୍ୟ ଏହି ଯୋଜନାରେ ଲାଭ ପାଇବେ। ୫ ବର୍ଷରେ ୧୦ଟି କିସ୍ତିରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫୦ ହଜାର ଟଙ୍କା ମିଳିବ। ୨୧ରୁ ୬୦ ବର୍ଷର ମହିଳା ଏହି ଯୋଜନାର ଲାଭ ପାଇବେ। ଏହି ଯୋଜନା ଅଧୀନରେ ଓଡ଼ିଶାର ଏକ କୋଟିରୁ ଅଧ‌ିକ ମହିଳା ଉପକୃତ ହୋଇପାରିବେ।

ଜାଣନ୍ତୁ କେମିତି ମିଳିବ ଫର୍ମ ଓ କେଉଁଠି କରିବେ ଆବେଦନ
-ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ
– ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍ କାର୍ଯ୍ୟାଳୟ, ପୌରାଞ୍ଚଳ କାର୍ଯ୍ୟାଳୟରେ ମିଳିବ
-ମୋ ସେବା କେନ୍ଦ୍ର,ସାଧାରଣ ସେବା କେନ୍ଦ୍ରରେ ଉପଲବ୍ଧ ହେବ ଫର୍ମ
-ମୋ ସେବା ଓ ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ ହୋଇପାରିବ
-ମୋ ସେବା କେନ୍ଦ୍ର କିମ୍ବା ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିବେ
-ଆବେଦନକାରୀ ଆବେଦନ ପାଇଁ ହିତାଧୁକାରୀଙ୍କ ପାଖରେ ଆଧାର କାର୍ଡ/ନମ୍ବର ଥ‌ିବା ଆବଶ୍ୟକ
-ଆଧାରକାର୍ଡ ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ ଜରୁରୀ
-ବ୍ୟାଙ୍କ ଆକାଉଣ୍ଟଟି ଚାଲୁଥିବା ଓ ସିଧାସଳଖ ଟଙ୍କା ସହାୟତା ପାଇଁ ସକ୍ଷମ ଥିବା ଆବଶ୍ୟକ
-ହିତାଧ୍ୟାକାରୀଙ୍କ ମୋବାଇଲ୍ ନମ୍ବରଟି ମଧ୍ୟ ଆଧାରକାର୍ଡ ସହ ଲିଙ୍କ୍ ଥ‌ିବା ଆବଶ୍ୟକ

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ସୁଭଦ୍ରା’ ଯୋଜନାର ଗାଇଡ୍‌ଲାଇନ ଜାରି କରାଯାଇଛି। ଏଥିସହ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ସମସ୍ତ ଜିଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ଚିଠି କରିଛନ୍ତି। ସୁଭଦ୍ରା ଯୋଜନାର ଲାଭ ଯେପରି ରାଜ୍ୟର ସମସ୍ତ ଯୋଗ୍ୟ ମହିଳା ଉଠାଇପାରିବେ ସେ ନେଇ ପର୍ଯ୍ୟାପ୍ତ ସଂଖ୍ୟକ ଫର୍ମ ମୁଦ୍ରଣ କରିବା ଉପରେ ଚିଠିରେ ଗୁରୁତ୍ୱାରୋପ କରାଯାଇଛି। ଏହି ଫର୍ମ ଜିଲା ଓ ନିଗମ ମାଇକ୍ରୋ ଯୋଜନା ଅନୁଯାୟୀ ଏକାଧିକ ସ୍ଥାନରେ ବଣ୍ଟନ କରାଯିବ। ଚିଠିରେ ଫର୍ମ ପାଇଁ ଅନୁମୋଦିତ ହୋଇଥିବା ଡିଜାଇନ ସଂଲଗ୍ନ କରାଯାଇଛି। ଫର୍ମଟି ସମ୍ପୂର୍ଣ୍ଣ ଓଡ଼ିଆରେ ହେବା ସହ ଏହାର ପ୍ରିଣ୍ଟିଂ (ଆଗ, ପଛ) ମଲ୍ଟିକଲର ହେବ। ସେହିଭଳି କାଗଜର ଆକାର ୮.୩ ଇଞ୍ଚ X ୧୧.୭ ଇଞ୍ଚ, କାଗଜର ରଙ୍ଗ ଧଳା ମ୍ୟାପ୍ଲିଥୋ T ଏହାର ଘନତା ୯୦ଗ୍ରାମ ହେବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ। ସେହି ଅବସରରେ ମିଳିବ ପ୍ରଥମ କିସ୍ତି ସହାୟତା। ବର୍ଷକୁ ଦୁଇ ଥର ମିଳିବ ସୁଭଦ୍ରା କିସ୍ତି। ମାର୍ଚ୍ଚ ଅନ୍ତର୍ଜାତିକ ମହିଳା ଦିବସ ଓ ରାଖୀ ପୂର୍ଣ୍ଣିମାରେ ମିଳିବ ୫ହଜାର ଟଙ୍କା ଲେଖାଏଁ କିସ୍ତି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ସରିଯାଇଥିବାରୁ ସେପ୍ଟେମ୍ବର ୧୭ ତାରିଖରେ ପ୍ରଥମ କିସ୍ତି ଦିଆଯିବ। ରାଜ୍ୟର ପ୍ରାଯ ୧ କୋଟି ୩୦ ଲକ୍ଷ ହିତାଧିକାରୀ ସୁଭଦ୍ରା ଯୋଜନାରେ ସାମିଲ ହେବେ ବୋଲି କହିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦାୟିତ୍ବରେ ଥିବା ଉପମୁଖମନ୍ତ୍ରୀ ପ୍ରଭାତୀ ପରିଡା। ସୁଭଦ୍ରା ଯୋଜନାକୁ ନେଇ ବାରମ୍ବାର ବିଭିନ୍ନ ପ୍ରଶ୍ନ ଓ ସନ୍ଦେହ ସୃଷ୍ଟି ହେବାରୁ ଆଜି ନିଜେ ଉପମୁଖ୍ୟମନ୍ତ୍ରୀ ଅନଲାଇନରେ ଲାଇଭ ବାର୍ତ୍ତା ଦେବାକୁ ବାଧ୍ୟ ହୋଇଛନ୍ତି ।

ଏପରିକି ଏହି ଯୋଜନାରେ ବିଧବା ଭତ୍ତା ପାଉଥିବା ମହିଳା ଓ ବୃତ୍ତି ପାଉଥିବା ଛାତ୍ରଛାତ୍ରୀ ବି ବାଦ ପଡିବାର ଆଶଙ୍କା ରହିଛି । ଏହାର ସ୍ପଷ୍ଟୀକରଣ ଦେଇ ସେ କହିଛନ୍ତି ଯେ, ସ୍ବଚ୍ଛଳ ବର୍ଗକୁ ଛାଡିଦେଲେ ୨୧ରୁ ୬୦ ବର୍ଷ ବୟସ ମଧ୍ୟରେ ସବୁ ଯୋଗ୍ୟ ମହିଳା ଏହି ଯୋଜନାରେ ସାମିଲ ହୋଇପାରିବେ । ଉଭୟ ଅନଲାଇନ ଓ ଅଫଲାଇନ ମୋଡରେ ଆବଦେନ ଗ୍ରହଣ କରାଯିବ।

ଏଥି ସହିତ ଗତକାଲି ସୁଭଦ୍ରା ଯୋଜନାର ଆନୁଷ୍ଠାନିକ ମାର୍ଗଦର୍ଶିକା ସରକାରଙ୍କ ପକ୍ଷରୁ ଜାରି କରାଯାଇଥିଲା। ଅଙ୍ଗନବାଡ଼ି, ଆଶାକର୍ମୀ, ସିଆର୍‌ପି, ଏମ୍‌ବିକେ ବି ସୁଭଦ୍ରା ପାଇଁ ଆବେଦନ କରିପାରିବେ। ଏଥି ସହିତ ଆଉଟସୋର୍ସିଂ ଏଜେନ୍ସିରେ ନିଯୁକ୍ତ ମହିଳା ବି ସୁଭଦ୍ରା ଯୋଜନାରେ ଟଙ୍କା ପାଇବେ ବୋଲି ରାଜ୍ୟ ସରକାର ତାଙ୍କ ମାର୍ଗଦର୍ଶିକାରେ ଉଳ୍ଲେଖ କରାଯାଇଛି। ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଅନ୍ତର୍ଗତ କୌଣସି ଆର୍ଥିକ ସହାୟତା ଯଥା ପେନସନ, ଛାତ୍ରବୃରି ଇତ୍ୟାଦି ପ୍ରତି ମାସରେ ୧୫୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଓ ବାର୍ଷିକ ୧୮୦୦୦ ଟଙ୍କା କିମ୍ବା ଅଧିକ ପାଉଥିବେ, ସେମାନେ ଅଯୋଗ୍ୟ ଘୋଷିତ ହେବେ । କିନ୍ତୁ ଅଙ୍ଗନବାଡିକର୍ମୀ / ସହାୟିକା, ଆଶାକର୍ମୀ, କମ୍ୟୁନିଟି ରିସୋର୍ସ ପର୍ସନ (ସିଆରପି), ମାଷ୍ଟର ବ୍ଲକ କିପର (ଏମ୍‌ବିକେ) ଓ ଆଉଟସୋରସିଙ୍ଗ ଏଜେସି ଦ୍ଵାରା ନିଯୁକ୍ତ ମହିଳାମାନେ ମାର୍ଗଦର୍ଶିକାରେ ଥିବା ଅନ୍ୟ ସମସ୍ତ ମାନଦଣ୍ଡ ହିସାବରେ ଯୋଗ୍ୟ ହେଉଥିଲେ । ସେମାନେ ମଧ୍ୟ ସୁଭଦ୍ରା ଯୋଜନାର ଆବେଦନ କରିପାରିବେ।

Get real time updates directly on you device, subscribe now.