fbpx

ବନ୍ଦ ହୋଇଯିବ ‘ଜାଗା ମିଶନ’! ବସ୍ତି ବାସିନ୍ଦାଙ୍କୁ ଘର ମିଳିବା ନେଇ ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେଡି ସରକାର ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାରେ ରହିବା ପରେ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ପ୍ରଥମ ଥର ପାଇଁ କ୍ଷମତାଚ୍ୟୁତ ହୋଇଥିଲା । ଅନ୍ୟପକ୍ଷରେ ରାଜ୍ୟରେ ପ୍ରଥମ ଥର ବିଜେପି ଏକାକୀ ସରକାର ଗଠନ କରିଥିବା ବେଳେ ମୋହନ ଚରଣ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଏଥିସହିତ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଉଭୟେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରେ ଅନେକ ନୂଆ ପଦକ୍ଷେପ ଗ୍ରହଣ କରିଥିଲା । ପୂର୍ବ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଅନେକ ଯୋଜନାକୁ ବନ୍ଦ କରାଯିବା ସହିତ ତାହାକୁ ନୂଆ ରୂପରେ କାର୍ଯ୍ୟକାରୀ କରାଯାଉଛି ।

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପୂର୍ବ ସରକାରର ଅନେକ ଯୋଜନାକୁ ବନ୍ଦ କରାଯିବା ସହିତ ଅନେକ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଜାଗା ମିଶନ ବନ୍ଦ ହୋଇଯିବା ନେଇ ଚର୍ଚ୍ଚା ହେଉଛି । ଏନେଇ ସରକାରୀ ଭାବେ କୌଣସି ଘୋଷଣା ହୋଇନଥିଲେ ହେଁ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ପାତ୍ର ଏହି ପ୍ରସଙ୍ଗରେ ପରୋକ୍ଷରେ ଇଙ୍ଗିତ କରିଥିବା ଜଣାପଡ଼ିଛି । ବର୍ଷା ପରେ ସହରର ଖାଲଖମା ଓ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବସ୍ତି ବାସିନ୍ଦାଙ୍କ ପାଇଁ ପୂର୍ବ ବିଜେଡି ସରକାର ଅମଳରେ ‘ଜାଗା ମିଶନ’ ଆରମ୍ଭ କରାଯାଇଥିଲା । ସେହି ଯୋଜନାରେ ବସ୍ତିରେ ବସବାସ କରୁଥିବା ବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର (ଏଲଆରସି) ପ୍ରଦାନ କରାଯାଇଥିଲା । ୬ଟ ପର୍ଯ୍ୟାୟରେ ପାଖାପାଖି ୬୫ ହଜାରରୁ ଅଧିକ ବାସିନ୍ଦାଙ୍କୁ ଏଲଆରସି ଦିଆଯାଇଥିଲା । ତେବେ ଲକ୍ଷାଧିକ ବାସିନ୍ଦା ଏହି ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହୋଇଥିବା କୁହାଯାଉଛି । ତେବେ ନୂଆ ସରକାର କ୍ଷମତାକୁ ଆସିବା ପରେ ଏହି ଯୋଜନାକୁ ନେଇ ଅନିଶ୍ଚିତତା ଦେଖାଦେବା ସହ କୌଣସି ହିତାଧିକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ନାହିଁ ।

ଏନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର କହିଛନ୍ତି, ଜାଗା ମିଶନରେ ଜଙ୍ଗଲ, ରେଳ ବିଭାଗ ଭଳି କେତେକ ଜମିରେ ରହୁଥିବା ଲୋକଙ୍କୁ ପ୍ରମାଣପତ୍ର ଦିଆଯାଇ ପାରୁନାହିଁ । ସେଥିପାଇଁ ଆଗାମୀ ଦିନରେ ବସ୍ତି ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧିନରେ ଭଲ ଘର ଯୋଗାଇ ଦିଆଯିବ । ହିତାଧିକାରୀମାନେ କିଭଳି ଭଲ ଜାଗାରେ ଭଲ ଘର ପାଇବେ ସେନେଇ ସମୀକ୍ଷା ଚାଲିଛି । ତେବେ ଜାଗା ମିଶନ ବନ୍ଦ ହେବ କି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ସେହି ପ୍ରସଙ୍ଗରେ ସରକାର କିଛି ନିଷପତ୍ତି ନେଇ ନାହାନ୍ତି ।

ସୂଚନାଯୋଗ୍ୟ ଯେ, ନିକଟରେ ରାଜ୍ୟ ସରକାର ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ନୂଆ-ଓ’ ଯୋଜନାକୁ ବନ୍ଦ କରିଦେଇଥିଲେ । ସେହିପରି ୨୦୨୦ ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ପୁଣି ଥରେ ସଂଶୋଧନ ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ସୂଚନା ଦେଇଥିଲେ । ଏଥିସହିତ ରେଭେନ୍ସ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ଜରୁରୀ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ବୟାନ ଦେଇଥିଲେ । ତେଣୁ ଜାଗା ମିଶନ ବନ୍ଦ ହେବ କି ଜାରି ରହିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.