fbpx

‘ରେଭେନ୍ସା ସହିତ ସମସ୍ତଙ୍କ ଭାବାବେଗ ଜଡ଼ିତ..’,: ବିଧାନସଭାରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ରେଭେନ୍ସା ବିତର୍କ। ଶୂନ୍ୟକାଳରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ।ମୁହାଁ ମୁହିଁ ହେଲେ ଶାସକ ଓ ବିରୋଧୀ। ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି, ‘କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ଜଣେ ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସମର୍ଥନ ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଛାତ୍ର ଆନ୍ଦୋଳନ ତେଜିବାରେ ଲାଗିଲାଣି । ଅତୀତର ଇତିହାସକୁ ବର୍ତ୍ତମାନ ପିଢ଼ି କାହିଁକି ତର୍ଜମା କରିବ। ଇତିହାସକୁ ବିକୃତ କରୁଥିବାରୁ ଛାତ୍ର ଆନ୍ଦୋଳନ ଏହାର ପ୍ରତିବାଦରେ ଜାରି ରଖିଛି । ସରକାର ଏହା ଉପରେ ସ୍ପଷ୍ଟିକରଣ ରଖନ୍ତୁ।’ ରେଭେନ୍ସା ପ୍ରସଂଗରେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ ବୋଲି କହିଛନ୍ତି ବ୍ୟୋମକେଶ। ବିଜେଡି ବିଧାୟକ ଶାରଦା ଜେନା କହିଛନ୍ତି, ‘କେନ୍ଦ୍ରମନ୍ତ୍ରୀ କୌଣସି ସାଧାରଣ ବ୍ୟକ୍ତି ନୁହନ୍ତି। କେନ୍ଦ୍ରମନ୍ତ୍ରୀଙ୍କ କୌଣସି ବ୍ୟକ୍ତିଗତ ମତ ନଥାଏ । ନୂଆ କଲେଜ ସ୍ଥାପନ କରି ନୂଆ ନାଁ ରଖନ୍ତୁ। ବର୍ତ୍ତମାନ୍ ଛାତ୍ର ଆନ୍ଦୋଳନ ତେଜିଲାଣି, ମୁଖ୍ୟମନ୍ତ୍ରୀ ଗୃହରେ ବିବୃତି ରଖନ୍ତୁ।’

କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋସ କହିଛନ୍ତି, ‘ନବମ ଦଶମ ପଢ଼ିବା ବେଳୁ ସମସ୍ତଙ୍କର ଇଚ୍ଛା ଥାଏ ରେଭେନ୍ସାରେ ଅଧ୍ୟୟନ ପାଇଁ। ରେଭେନ୍ସା ସହିତ ସମସ୍ତଙ୍କ ଭାବାବେଗ ଜଡ଼ିତ।କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ବୟାନ ଛାତ୍ର ଛାତ୍ରୀଙ୍କ ମନକୁ ଆଘାତ ଦେଇଛି। ନା ବଦଳେଇବା ଚକରରେ ନ ପଡ଼ି ରେଭେନ୍ସା ଦ୍ଵିତୀୟ କ୍ୟାମ୍ପସ କିଭଳି ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରୟାସ କରିବା ଆବଶ୍ୟକ। ରାଜ୍ୟ ସରକାର ଏଠାରେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଷ୍ଟାଡିଅମ ନାଁ ପରିବର୍ତ୍ତନ କରି ନରେନ୍ଦ୍ର ମୋଦୀ ଷ୍ଟାଡିଅମ କରିବା କ’ଣ ଭାରତ ଅସ୍ମିତା କି।’

ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଯେଉଁ ପ୍ରସ୍ତାବ ଦେଇଛନ୍ତି ତାକୁ ଓଡ଼ିଶା ବାସୀ ଗ୍ରହଣ କରି ନେଇଛନ୍ତି । ଯେଉଁମାନେ ରିମୋର୍ଟ ରେ ପରିଚାଳିତ ହେଉଥିଲେ ସେମାନେ ବିରୋଧ କରୁଛନ୍ତି । ୨୦୦ ବର୍ଷ ଇଂରେଜ ମାନେ ଆମକୁ ଶାସନ କଲେ ତାଙ୍କ ନାମରେ କାହିଁକି କୌଣସି ଅନୁଷ୍ଠାନ ନାମିତ ହେବ । ଓଡ଼ିଶାରେ ଅନେକ ବରପୁତ୍ର ରହିଛନ୍ତି । ସେମାନଙ୍କ ନାମରେ ନାମିତ ହେବା କଥା । ବିଦେଶୀ ଶାସନର ମାନସିକତାକୁ ଗ୍ରହଣ କରୁଥିବା ନ୍ୟର୍ଥ ସ୍ବାର୍ଥ ବ୍ୟକ୍ତିଙ୍କ ମାନସିକତା କୁ ନେଇ ବିତର୍କ ହେବା ଆବଶ୍ୟକ। ବିଧାୟକ ଇରାଶିଶ ଆଚାର୍ଯ୍ୟ କହିଛନ୍ତି ଓଡ଼ିଆ ମାନେ ଉତ୍ସାହ ହୀନ ଓ ଅଳସୁଆ ବୋଲି କହିଥିଲେ ରେଭେନ୍ସା । କେନ୍ଦ୍ରମନ୍ତ୍ରୀ କହିଛନ୍ତି ବିତର୍କ ହେବା ଆବଶ୍ୟକ କିନ୍ତୁ କେନ୍ଦ୍ର ମନ୍ତ୍ରୀ ଗୃହର ସଦସ୍ୟ ନୁହଁନ୍ତି । ତାଙ୍କ ବିଷୟ ରେ ଗୃହରେ ଆଲୋଚନା କରାଯାଇ ଗୃହକୁ ଭିନ୍ନ ଆଡ଼କୁ ନେଉଛନ୍ତି ବିରୋଧୀ ।

Get real time updates directly on you device, subscribe now.