fbpx

ଆସୁଛି ‘ଆଭା’: ଭିନ୍ନକ୍ଷମ ନାରୀର ସଂଘର୍ଷର କାହାଣୀ… ୧୩ ତାରିଖରେ କରିବ ମୁକ୍ତିଲାଭ

ଭୁବନେଶ୍ୱର: ନିପଟ ମଫସଲ ଗାଁର ଝିଅ ଆଭା, ଜନ୍ମରୁ ସେ ଭିନ୍ନକ୍ଷମ। କିନ୍ତୁ ମନରେ ଭରି ରହିଥିଲା ସରଳତା ଓ ଆତ୍ମବିଶ୍ୱାସ । ଆଖିରେ କିଛି କରି ଦେଖାଇବାର ସ୍ୱପ୍ନ ତାକୁ ରାତିରେ ଶୋଇବାକୁ ଦେଉନଥାଏ । ସମାଜ ପାଇଁ ଏକ ଉଦାହରଣ ହେବାକୁ ଥିଲା ପ୍ରବଳ ଇଚ୍ଛା । ଶରୀରର ଅକ୍ଷମତାକୁ ପଛରେ ପକାଇ ସଫଳତାର ସ୍ୱାଦ ଚାଖିବା ପାଇଁ ଆଗେଇ ଆସେ ଆଭା ଔରଫ୍ ସୋନା ମଲ୍ଲିକ । ଆଉ ତା’ ପରେ… ଏମିତି ଏକ ପାରିବାରିକ ଏବଂ ସମାଜକୁ ଶିକ୍ଷା ଦେବା ଭଳି କାହାଣୀ ସହ ଦୁର୍ଗାପୂଜାରେ ଆସୁଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଭା’ । ଓମ୍ ବାବା ପ୍ରଡ଼କସନ୍ସ ଦ୍ୱାରା ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର “ଆଭା” ର ସେନସର ହୋଇ ଅନକଟ୍ ଓ‌ ୟୁ ସାର୍ଟିଫିକେଟ ମିଳିବା ପରେ ଆସନ୍ତା ୧୩ ସେପ୍ଟେମ୍ବରରେ ସାରା ଓଡ଼ିଶାରେ ମୁକ୍ତିଲାଭ କରିବ । ଜଣେ ଭିନ୍ନକ୍ଷମ ନାରୀର କାହାଣୀକୁ ନେଇ ନିର୍ମାଣ ହୋଇଛି “ଆଭା” ।

ଆଭା ଏକ ନିପଟ ମଫସଲ ଗାଁ ର ଗରିବ ପରିବାରର ଜଣେ ଶାରୀରିକ ଭିନ୍ନକ୍ଷମ ଝିଅ । ଭିନ୍ନକ୍ଷମ ହେଲେ ମଧ୍ୟ କେମିତି ଜୀବନ ଶୈଳୀରେ ବଞ୍ଚିବାକୁ ହେବ ଯାହା ସମାଜକୁ ଏକ ପ୍ରକାର ଶିକ୍ଷା ମିଳିବ ତାହାରି ଉପରେ ଆଧାରିତ ଚଳଚ୍ଚିତ୍ର ଆଭା । ଖୁବ୍ ସୁନ୍ଦର ଅଭିନୟ କରିଛନ୍ତି ଆଭା ଓରଫ ସୋନା ମଲ୍ଲିକ । ଏହି ଚଳଚ୍ଚିତ୍ରଟି ପଶ୍ଚିମବଙ୍ଗର ମେଦିନିପୁରର ଏକ ଆଦିବାସୀ ଗ୍ରାମର ଜଙ୍ଗଲ ଘେରି ରହିଥିବା ଏକ ଗ୍ରାମୀଣ ପରିବେଶରେ ସୁଟିଂ କରାଯାଇଛି । ୪୨ ଡିଗ୍ରୀ ତାପମାତ୍ରାରେ, ସମସ୍ତ ଟେକ୍ନିସିଆନ୍ସ ନୂତନ ଧରଣର ଚଳଚ୍ଚିତ୍ର ଟିଏ ନିର୍ମାଣ କରିବା ପାଇଁ ଚେଷ୍ଟା କରିଛନ୍ତି । ଏହି ଚଳଚ୍ଚିତ୍ର ମାଧ୍ୟମରେ ଦର୍ଶକ ଅନେକ ନୂଆ ସ୍ୱାଦ ପାଇବେ ବୋଲି ନିର୍ଦ୍ଦେଶକ କହିଛନ୍ତି। ଏହି ଚଳଚ୍ଚିତ୍ର ନାରୀ କୈନ୍ଦ୍ରିକ ହୋଇଥିବାରୁ ସମାଜରେ ସୁପ୍ରଭାବ ପକାଇବ ବୋଲି ନିର୍ମାତା ଓ ନିର୍ଦ୍ଦେଶକ ଆଶା ପ୍ରକଟ କରିଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରିଛନ୍ତି ପ୍ରବୀର ମହାପାତ୍ର । କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଦାୟିତ୍ୱ ରେ ଅଛନ୍ତି ପଲ୍ଲଵ ରୟ ।

ସଂଳାପ ଲେଖିଛନ୍ତି ବିଶିଷ୍ଟ ଗୀତିକାର ମୋହିତ ଚକ୍ରବର୍ତ୍ତୀ । ଚିତ୍ରୋତ୍ତଳନରେ ଚିତ୍ତରଞ୍ଜନ ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର । କାର୍ୟ୍ୟକାରୀ ପ୍ରଯୋଜକ ଅଛନ୍ତି ସତ୍ୟ ପ୍ରକାଶ ସାହୁ । କ୍ରିଏଟିଭ ହେଡ୍‌ (ମାର୍କେଟିଙ୍ଗ ଓ ପିଆର୍) ଦାୟିତ୍ଵ ରେ ଅଛନ୍ତି  ପ୍ରଣୟ ଜେଠୀ । ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଓମ୍ ବାବା ପ୍ରଡକସନ୍ସ ଏକ ନୂଆ ସ୍ୱାଦର ସିନେମା ଭେଟି ଦେଉଛି । ଆଭା ଚଳଚ୍ଚିତ୍ର ର ମୁଖ୍ୟ ନାୟିକା ଭାବେ ନବାଗତା ଅଭିନେତ୍ରୀ ସୋନା ମଲ୍ଲିକ ଅଭିନୟ କରିଛନ୍ତି । ତାଙ୍କ ସହିତ ଅଭିଜ୍ଞ ଅଭିନେତ୍ରୀ ଅନୁ ଚୌଧୁରୀ, କେଦାର ମିଶ୍ର , ଶ୍ଵେତା ଆଚାର୍ୟ୍ୟଙ୍କ, ଵିଶାଲ ସାହୁ ସମେତ ଆହୁରି ଅନେକ ତାରକା ଅଭିନୟ କରିଛନ୍ତି।

Get real time updates directly on you device, subscribe now.