fbpx

‘ଦୁଇ ଦିନ ପରେ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଦେବି’, ଜେଲରୁ ବାହାରିବା ପରେ ଅରବିନ୍ଦ କେଜ୍ରିୱାଲଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ‘ଦୁଇ ଦିନ ଭିିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ମୋ ସ୍ଥାନରେ ଅନ୍ୟ କେହି ମୁଖ୍ୟମନ୍ତ୍ରୀ ହେବେ’ ବୋଲି ଘୋଷଣା କରିଛନ୍ତି ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ବିଧାୟକ ଦଳ ବୈଠକରେ ଆଗାମୀ ମୁଖ୍ୟମନ୍ତ୍ରୀଙ୍କ ବିଷୟରେ ଚର୍ଚ୍ଚା ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଆଜି ଆପ୍ ମୁଖ୍ୟାଳୟ ପହଂଚିବା ପରେ ଦଳୀୟ ନେତାଙ୍କୁ ସାଧାରଣ ସଭାରେ ସମ୍ବୋଧିତ କରି କେଜରିୱାଲ କହିଛନ୍ତି, ‘ଦୁଇ ଦିନ ପରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି । ସେପର୍ଯ୍ୟନ୍ତ ଜଣେ ଦଳୀୟ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିବେ । ମୁଁ କାର୍ଯ୍ୟରେ ନିଷ୍ଠାପର ଓ ବିଶ୍ୱସ୍ତ ବୋଲି ଯେପର୍ଯ୍ୟନ୍ତ ଦିଲ୍ଲୀର ଜନତା ନିଷ୍ପତ୍ତି ନକରିଛି ସେପର୍ଯ୍ୟନ୍ତ ମୁଁ ମୁଖ୍ୟମନ୍ତ୍ରୀ ଆସନରେ ବସିବି ନାହିଁ ।’ ଏହି ସଭାରେ ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି, ‘ଜନତାଙ୍କ ଆଶୀର୍ବାଦରୁ ବିଜେପିର ସମସ୍ତ ଷଡ଼ଯନ୍ତ୍ରର ମୁକାବିଲା କରିବା ପାଇଁ ଆମ ପାଖରେ ଶକ୍ତି ଅଛି । ବିଜେପି ସମ୍ମୁଖରେ ଆମେ କେବେ ମୁଣ୍ଡ ନୁଆଁଇବୁ ନାହିଁ, ଅଟକିବୁ ନାହଁ କି ବିକ୍ରି ହେବୁ ନାହିଁ । ଆମେ ସଚ୍ଚୋଟ ବୋଲି ଦିଲ୍ଲୀ ପାଇଁ ଏତେ ସବୁ କରିବାରେ ସକ୍ଷମ । ଏମାନେ ଆମ ସଚ୍ଚୋଟତା ସହ ଡରନ୍ତି କାରଣ ସେମାନେ ସଚ୍ଚୋଟ ନୁହଁନ୍ତି ।’

ସେପ୍ଟେମ୍ବର ୧୩ରେ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ଜେଲରୁ ବାହାରିବା ପରେ ସେ ରଣହୁଙ୍କାର ଦେଇ କହିଥିଲେ, ମୁଁ ସତ୍ ପଥରେ ରହିଥିଲି, ତେଣୁ ଭଗବାନ ମଧ୍ୟ ମୋ ସହ ରହିଛନ୍ତି । ଜେଲ୍ ଭିତରେ ମୁଁ ଏହି ଦିନକୁ ଅପେକ୍ଷା କରିଥିଲି । ମୋ ଜୀବନ ଦେଶ ପାଇଁ ସମର୍ପିତ ହୋଇଛି । ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଦେଶ ପାଇଁ ସମର୍ପଣ କରିଛି । ଜୀବନରେ ମୁଁ ବହୁତ ବଡ଼ ବଡ଼ ସଂଘର୍ଷ କରିଛି, ଅନେକ ସମସ୍ୟାର ସମାଧାନ କରିଛି । କିନ୍ତୁ ପ୍ରତ୍ୟେକ ସମସ୍ୟାରେ ଭଗବାନ ମୋ ସାଥ୍ ଦେଇଥିଲେ ଏବଂ ଦେଇଛନ୍ତି, କାରଣ ମୁଁ ସତ୍ ପଥରେ ଥିଲି । ଏବେ ଜେଲରୁ ବାହାରିବା ପରେ ମୋର ଶକ୍ତି ମୋର ସାହସ ଓ ଶକ୍ତି ଆହୁରି ୧୦୦ ଗୁଣ ବଢି ଯାଇଛି । ଜେଲ ଭିତରର ନିବୁଜ ଚାରି କାନ୍ଥ ମୋ ଧୈର‌୍ୟ୍ୟ ଏବଂ ଆତ୍ମବିଶ୍ୱାସ ନଷ୍ଟ କରିପାରିବ ନାହିଁ ବୋଲି କହିଥିଲେ କେଜ୍ରିୱାଲ ।

 

Get real time updates directly on you device, subscribe now.