fbpx

‘ରାସ୍ତାରେ ମରି ଶୋଇଥିଲେ ଯୁବକ’… ଭିଡିଓ ଭାଇରାଲ ପରେ ଗିରଫ କଲା ପୋଲିସ, ଜାଣନ୍ତୁ ପୁରା ମାମଲା

ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶରୁ ଏଭଳି ଏକ ମାମଲା ଆସିଛି, ଯାହା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇଦେବ । ରାସ୍ତା ମଝିରେ ମୃତ ଅବସ୍ଥାରେ ଶୋଇ ରହିଥିଲେ ଜଣେ ଯୁବକ । କିନ୍ତୁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଗିରଫ କରିଥିବା ଜାଣିବାକୁ ମିଳିଛି । ମାମଲା ଶୁଣିବା ପରେ ନିଜକୁ ବିଶ୍ୱାସ କରିବା ବି ସମ୍ଭବ ହେଉନାହିଁ । ଜଣେ ମୃତବ୍ୟକ୍ତିଙ୍କୁ ପୋଲିସ କିପରି ଏବଂ କାହିଁକି ଗିରଫ କରିବ ବୋଲି ମନରେ ପ୍ରଶ୍ନ ଉଠିଥିବ । ତେବେ ପ୍ରକୃତ ଘଟରା ହେଉଛି ବ୍ୟକ୍ତି ଜଣକ ରାସ୍ତାରେ ମଝିରେ ନିଜ ମୃତ୍ୟୁର ଅଭିନୟ କରିବା ମାମଲାରେ ଗିରଫ ହୋଇଛନ୍ତି ।

ବର୍ତ୍ତମାନ ସମୟରେ ରିଲ୍ସ ଏବଂ ସୋସିଆଲ ମିଡିଆ ନିଶାରେ ପାଗଳ ଅନେକ ଯୁବପିଢୀ । ନିଜକୁ ନୂଆ ପରିଚୟ ଦେବା ପାଇଁ ଏବଂ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ ଅନେକ ବିପଦକୁ ହାତମୁଠାରେ ନେଉଛନ୍ତି ଏମାନେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏମିତି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ରାସ୍ତା ମଝିରେ ମୃତ ଅବସ୍ଥାରେ ଶୋଇଥିବା ଦେଖାଯାଇଛି । ତେବେ ପ୍ରକୃତରେ ଯୁବକ ଜଣକ ନିଜ ମୃତ୍ୟୁର ଅଭିନୟ କରି ରିଲ୍ସ କରୁଛନ୍ତି । କୋକେଇରେ ଶୋଇବା ସହ ଧଳା ଚାଦର ଘୋଡ଼ାଇ ହୋଇ ରାସ୍ତା ମଝିରେ ଶୋଇଥିଲେ ଏହି ଯୁବକ । ଏହାପରେ ତାଙ୍କର ଜଣେ ବନ୍ଧୁ ଏହାର ଭିଡିଓ ରେକର୍ଡ କରିଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯୁବକଙ୍କ ଏହି କାରନାମାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ପୋଲିସ ଏହାକୁ ନେଇ ଆକ୍ଟିଭ ହୋଇଛି । ସମ୍ପୃକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଗିରଫ କରିଛି କାଂସଗଞ୍ଜ ଥାନା ପୋଲିସ । ଯାତାୟତ ରୋକିବା ସହ ପୋଲିସ ବ୍ୟାରିୟର ଷ୍ଟପରକୁ ରାସ୍ତା ମଝିରେ ଲଗାଇ ଟ୍ରାଫିକ ଡାଇଭର୍ଟ କରିଥିଲେ ଏବଂ ମିଛ ମୃତ୍ୟୁର ରିଲ୍ କରିଥିଲେ । ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଯୁବକଙ୍କୁ ଗିରଫ କରିଛି ।

ଭାଇରାଲ ଭିଡିଓରେ ଯୁବକ ଜଣକ ରାସ୍ତାରେ ଏକ କଫାରେ ଗୁଡ଼ାଇ ମୃତ ଅବସ୍ଥାରେ ଶୋଇଥିଲେ ଏବଂ ଲୋକମାନେ ତାଙ୍କ ପାଖ ଦେଇ ଯାଉଥିଲେ। ଜଣେ ଯୁବକ କ୍ୟାମେରା ସାହାଯ୍ୟରେ ଏକ ରିଲ୍ ସୁଟିଂ କରୁଥିବାବେଳେ କିଛି ଲୋକ ଠିଆ ହୋଇ ତାଙ୍କୁ ଦେଖୁଥିଲେ। ସୋସିଆଲ ମିଡିଆରେ ରିଲ ଭାଇରାଲ ହେବା ମାତ୍ରେ ପୋଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କସଗଞ୍ଜ ଏସପି ଅପର୍ଣ୍ଣା ରଜତ କୌଶିକ ପୋଲିସ କର୍ମଚାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହ ଏହି ମାମଲାର ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.