fbpx

ସାବଧାନ! ୨ ଦିନ ପର୍ଯ୍ୟନ୍ତ ଓଡ଼ିଶାକୁ ତ୍ରାହି ନାହିଁ: ବିଭିନ୍ନ ଜିଲ୍ଲାରେ ବାଦଲ ଫଟା ବର୍ଷା ଆଶଙ୍କା

ଓଡ଼ିଶା ଭାସ୍କର: ଓଡ଼ିଶାରେ ସକ୍ରିୟ ହୋଇଛି ଲଘୁଚାପ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ଦିଆଯାଇଛି । ବିଶେଷ କରି ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଉତ୍ତର ଓଡ଼ିଶାରେ ଏହାର ଅଧିକ ପ୍ରଭାବ ରହିପାରେ । ଏହାମଧ୍ୟରେ ମୟୁରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । ଏହାବ୍ୟତୀତ କିଛି ଜିଲ୍ଲାକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।

ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା । ପାଣିପାଗ ବିଭାଗର ଆକଳନ ଅନୁସାରେ, ବର୍ଷା ଆହୁରି ଦୁଇ ଦିନ ଲାଗି ରହିବ । ବିଶେଷ କରି ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ । ଆଜି ପାଇଁ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସୁନ୍ଦରଗଡ, ବାଲେଶ୍ୱର ଓ କେନ୍ଦୁଝରକୁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ବେଳେ ୧୧ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ପ୍ରବଳ ବର୍ଷା ନେଇ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର । ମାଟି ଘର ଭାଙ୍ଗିବା ସହ ତଳିଆ ଅଞ୍ଚଳରେ ପାଣି ଜମିପାରେ ।

କିଛି ନଦୀରେ ଜଳପତ୍ତନ ବୃଦ୍ଧି ଘଟିବା ଆଶଙ୍କା ଥିବାରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମୟୂରଭଞ୍ଜରେ ଲଗାଣ ବର୍ଷା ଯୋଗୁଁ ବଡବିଲ ଗାଁରେ ଭୁଶୁଡିପଡିଛି ଘର । ଏଥିରେ ଜଣେ ୫୨ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଆଉ ତିନି ଜଣ ଆହତ ହୋଇଛନ୍ତି । ଏପଟେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଫୁଲୁଛି ଜଳକା ନଦୀ । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ନଦୀର ଜଳସ୍ତର । ଫଳରେ ନଦୀ କୂଳିଆଙ୍କୁ ଘାରିଛି ବନ୍ୟା ଆଶଙ୍କା  ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ସତର୍କ ସଙ୍କେତ ୬.୦୦ ମିଟର ରହିଥିବା ବେଳେ ଗତାକାଲି ରାତିଠୁ ଜଳକା ନଦୀର ଜଳସ୍ତର ବଢ଼ି ୬.୫୧ ମିଟର ସହ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଗତ ୨ ଦିନ ହେଲା, ଜଳକା ନଦୀ ଅବବାହିକା ସମେତ ଉପରମୁଣ୍ଡ ତଥା ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ନଦୀର ଜଳସ୍ତର ବି ବଢୁଛି । ଏଭଳି ବର୍ଷା ଲାଗିରହିଲେ ବନ୍ୟା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଯଦି ବନ୍ୟା ହୁଏ, ତା’ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଞ୍ଚାୟତ ପ୍ରଭାବିତ ହେବା ସହ ଚାଷବାସ ଉଜୁଡ଼ିବାର ଆଶଙ୍କା ରହିଛି ।

Get real time updates directly on you device, subscribe now.