fbpx

ଆକାଉଣ୍ଟକୁ ଟଙ୍କା ଆସିନି, ଜାଣନ୍ତୁ ଯୋଜନା ପାଇଁ ହକଦାର କି ନୁହନ୍ତି?

ଭୁବନେଶ୍ୱର: ବିଜେପି ସରକାର ଆରମ୍ଭ କରିଥିବା ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତି ପ୍ରାୟ ୨୫ ଲକ୍ଷ ମହିଳାଙ୍କ ଖାତାକୁ ସିଧାସଳଖ ଆସି ସାରିଛି । ଯୋଜନାରେ ଆସିଥିବା ୫ହଜାର ଟଙ୍କା ପାଇଥିବା ମହିଳାଙ୍କ ଖୁସି କହିଲେ ନ ସରେ । ଅବଶ୍ୟ ଏତିକି ଟଙ୍କାରେ ଜଣେ ମହିଳା ଆତ୍ମନିର୍ଭରଶୀଳ ହେବା କଥା ଦିବା ସ୍ୱପ୍ନ ପରି । ହେଲେ ମାଗଣାରେ ଏତେ ଟଙ୍କା ଗରିବ, ସାଧାରଣ ମହିଳାଙ୍କୁ ମିଳିବା କିଛି ଛୋଟ କଥା ନୁହେଁ । ତେବେ ଏମିତି କିଛି ମହିଳା ଅଛନ୍ତି, ଯେଉଁମାନେ ଅତ୍ୟନ୍ତ ଦୁଃଖରେ । କାରଣ ଯୋଜନାରେ ସାମିଲ ହୋଇପାରି ନାହାନ୍ତି । ସେଥିପାଇଁ ଅନେକ ମହିଳା ମଧ୍ୟ କିଛି ସ୍ଥାନୀୟ ଦଲାଲ ତଥା ଦୁର୍ନୀତିଗ୍ରସ୍ତ ଜନସେବା କେନ୍ଦ୍ର ଦ୍ୱାରା ଠକାମିର ଶିକାର ହୋଇଛନ୍ତି ।

ତେବେ ସୁଭଦ୍ରା ଯୋଜନାକୁ ନେଇ ଅନ୍ୟର ପ୍ରରୋଚନାରେ ପଡି ଧାରଉଧାର କରି ଅର୍ଥ ବ୍ୟୟ କରିବା ଅପେକ୍ଷା ଆପଣ ଯୋଜନା ପାଇବାକୁ ହକଦାର କି ନାହିଁ ତାହା ଜାଣିନେବା ଜରୁରୀ । ସୁଭଦ୍ରା ଯୋଜନା ପାଇଁ ଯେଉଁ ଗାଇଡଲାଇନ ଆସିଥିଲେ ସେଥିରେ କେତୋଟି କଥା ସ୍ପଷ୍ଟ କୁହାଯାଇଥିଲା । ସେଥିରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣି ନିଅନ୍ତୁ ।

କୌଣସି ହିତାଧିକାରୀ ମାସିକ ୧୫୦୦ ବା ବର୍ଷକୁ ୧୮୦୦୦ ସରକାରୀ ସହାୟତା ପାଉଥିଲେ ଏହି ଯୋଜନା ପାଇବାକୁ ଅଯୋଗ୍ୟ ।

କୌଣସି ମହିଳାଙ୍କ ପରିବାରରେ କାର, ଟ୍ରାକ୍ଟର ପରି ଯାନବାହନ ଥିଲେ ସେମାନେ ମଧ୍ୟ ଏହି ଯୋଜନାରେ ଯୋଡିହୋଇପାରିବେ ନାହିଁ ।

ସେହିପରି ଜଳସେଚିତ ଜମିି ୫ ଏକର ବା ଅଣଜଳସେଚିତ ଜମି ୧୦ ଏକରରୁ ଅଧିକ ଥିବା ପରିବାରର ମହିଳା ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ।

ଯେଉଁ ପରିବାରର କେହି ସରକାରୀ ଚାକିରି କରିଥିବେ ବା ପେନସନଭୋଗୀ ହୋଇଥିବେ ସେହି ପରିବାରର ମହିଳା ଯୋଜନାରେ ଅନଫିଟ ।

ଛାତ୍ରବୃତ୍ତି ପାଉଥିବା ବା ପରିବାରର କେହି ବିଧାୟକ ବା ସାଂସଦ ହୋଇଥିଲେ ମଧ୍ୟ ପରିବାରର ମହିଳା ସୁଭଦ୍ରା ଟଙ୍କା ପାଇପାରିବେ ନାହିଁ ।

ଆୟକର ଫାଇଲ କରୁଥିବା ଅବା ଅସ୍ତ୍ରଶସ୍ତ୍ର ପାଇଁ ଲାଇସେନ୍ସ ନେଇଥିବା ବ୍ୟକ୍ତିଙ୍କ ପରିବାର ମହିଳା ଯୋଜନାର ହକଦାର ହେବେ ନାହିଁ ।

ତେଣୁ ଉପରୋକ୍ତ ବର୍ଗର ମହିଳା ସୁଭଦ୍ରା ଯୋଜନା ପାଇଁ ହାଇଁପାଇଁ ହେବା ଅନୁଚିତ୍ । ଯେତେ ଯାହା କଲେବି ପାଇପାରିବେ ନାହିଁ । ଯଦିବି ପାଇଯାଆନ୍ତି, ପରବର୍ତ୍ତି ସମୟରେ ହୋଇପାରନ୍ତି ଦଣ୍ଡିତ ।

Get real time updates directly on you device, subscribe now.