fbpx

ସଫେଇ କର୍ମୀ ଧାରଣାରେ, ଉଠୁନି ଅଳିଆ, କ୍ୟାପିଟାଲ ହସ୍ପିଟାଲ ଫାଟିପଡୁଛି ଦୁର୍ଗନ୍ଧରେ

ଭୁବନେଶ୍ୱର: ରାଜ୍ୟର ଦ୍ୱିତୀୟ ରେଫର୍ଡ ହସ୍ପିଟାଲ ଭାବେ ଜଣାଶୁଣା ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପରିସର ଦୁର୍ଗନ୍ଧରେ ଫାଟିପଡୁଛି । ହସ୍ପିଟାଲର ସବୁ ଆଡେ କୁଢ କୁଢ ଅଳିଆ ଆବର୍ଜନା । ହସ୍ପିଟାଲର ସଫେଇ କର୍ମଚାରୀଙ୍କ ଧାରଣା ପାଇଁ ପରିସର ସଫାହୋଇପାରୁ ନାହିଁ । ଅଳିଆ ଆବର୍ଜନାର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଅବସ୍ଥା ବେହାଲ ।

କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ ଧାରଣା ଦୁଇ ଦିନରେ ପହଞ୍ଚିଛି । ଗତକାଲିଠାରୁ କର୍ମଚାରୀ ଧାରଣାରେ ବସିଛନ୍ତି । ପୂଜା ବୋନସ ସହ ୩୦ ଦିନର ଦରମା ଦାବିକରୁଛନ୍ତି ଏହି ସଫେଇ କର୍ମଚାରୀ । ହସ୍ପିଟାଲର ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ଯାଇଛି । ଦୁଇ ଦିନ ନ ହେଉଣୁ ହସ୍ପିଟାଲ ଯାକ ଅଳିଆ ଗଦାହୋଇ ପଡିଛି । କାଜୁଆଲିଟିରୁ ଆରମ୍ଭ କରି ବିଭିନ୍ନ ୱାର୍ଡ, ଏମିତି କି ପରିସରର ରାସ୍ତା, ଯୁଆଡେ ଦେଖିବା ଅଳିଆ ଆଉ ଅଳିଆ । ଖାଦ୍ୟ ସାମଗ୍ରୀର ଉଚିଷ୍ଟ ସାଙ୍ଗକୁ ପୁଜ, ରକ୍ତ ଲାଗିଥିବା ବ୍ୟାଣ୍ଡେଜ କନା ପାଇଁ ନାକଫଟା ଗନ୍ଧ ହେବା ସହ ହସ୍ପିଟାଲର ପରିବେଶ ଦୂଷିତ ହେଉଛି । ଗୁରୁତର ରୋଗୀଙ୍କୁ ଇମ୍ଫେକ୍ସନ ହେବା ଆଶଙ୍କା ସୃଷ୍ଟି ହେଲାଣି ।

ନିଜ ଜିଦରେ ଅଡିବସିଛନ୍ତି ସଫେଇ କର୍ମଚାରୀ । ଯାହାକୁ ନେଇ ଚିନ୍ତାରେ କର୍ତ୍ତୃପକ୍ଷ । ଏନେଇ କର୍ତ୍ତୃପକ୍ଷ ସଫେଇ କର୍ମଚାରୀ ନିଯୁକ୍ତି ଦେଇଥିବା ଠିକା ସଂସ୍ଥାକୁ ଚିଠି କରିଛନ୍ତି । ହସ୍ପିଟାଲ ପରିସରରେ ରହିବା ଦୁଃସହ ହୋଇଯାଇଥିବାରୁ ତୁରନ୍ତ କର୍ମଚାରୀଙ୍କୁ ମନେଇବାକୁ ସଂସ୍ଥାକୁ କୁହା ଯାଇଛି ।

ତେବେ ଏହି କର୍ମଚାରୀମାନେ ଠିକା ସଂସ୍ଥା ଦ୍ୱାରା ନିୟୋଜିତ ହୋଇଥିବାରୁ ସଂସ୍ଥା ସେମାନଙ୍କୁ ମାସ ୩୦ ବା ୩୧ ଦିନ ହୋଇଥିବା ବେଳେ ଦରମା ଦେଉଛି ୨୬ ଦିନର । ସମସ୍ତଙ୍କ ପାଇଁ ସପ୍ତାହରେ ଗୋଟିଏ ଦିନର ଛୁଟି ସରକାର ଉପଲବ୍ଧ କରୁଥିବା ବେଳେ ସେମାନଙ୍କ ଅଫକୁ ସଂସ୍ଥା ନୋ ୱାର୍କ ନୋ ପେ ଭାବା ଗ୍ରହଣ କରୁଛି ।

 

Get real time updates directly on you device, subscribe now.