fbpx

ଏସମା ଲାଗୁ ସତ୍ତ୍ବେ ଓଡିଶା ନର୍ସିଂ ସଂଘର ଆନ୍ଦୋଳନ, ଆଲୋଚନା ପାଇଁ ଡାକିଲେ ସରକାର

ଭୁବନେଶ୍ୱର: ନର୍ସିଂ ନିର୍ଦ୍ଦେଶକଙ୍କ ଆକଟକୁ ଫୁ କରିଦେଇଛନ୍ତି ନର୍ସିଂ ଅଫିସର । ଏସମା ଲାଗୁ ସତ୍ତେ୍ୱ ଜିଦରେ ଅଟଳ ସେବା ଅଧିକାରୀ । ରାଜ୍ୟବ୍ୟାପୀ ଓହ୍ଲାଇଛନ୍ତି ଆନ୍ଦୋଳନକୁ । ସେପଟେ ସ୍ୱାସ୍ଥ୍ୟ ମନ୍ତ୍ରୀ ଆଲୋଚନା ପାଇଁ କରିଛନ୍ତି ଆହ୍ୱାନ । ଆଲୋଚନା ସଫଳ ହେବ ବୋଲି ଆଶାବାଦୀ ସ୍ୱାସ୍ଥ୍ୟମନ୍ତ୍ରୀ ।

ଓଡିଶା ନର୍ସିଂ ଆସୋସିଏସନ ପକ୍ଷରୁ ପୂର୍ବ ନିର୍ଦ୍ଧାରଣ ଅନୁଯାୟୀ ଆଜିଠାରୁ ଆନ୍ଦୋଳନ ଆରମ୍ଭ ହୋଇଛି । ମୁଖ୍ୟତଃ ୧୦ଟି ଦାବି ନେଇ ଏହି ନର୍ସିଂ ଅଫିସର ପ୍ରତିବାଦ କରୁଛନ୍ତି । ତେବେ ରୋଗୀଙ୍କ ସ୍ୱାର୍ଥକୁ ଦେଖି ଦୁଇଦିନ ଜରୁରୀକାଳୀନ ସେବାରେ ବାଧା ସୃଷ୍ଟି ନ କରି ଆନ୍ଦୋଳନ କରିବେ । ଯଦି ଦୁଇ ଦିନ ଭିତରେ କୌଣସି ସୁଫଳ ନ ମିଳିବ, ତେବେ କାମ ବନ୍ଦ ଆନ୍ଦୋଳନ ପାଇଁ ଚେତାଇଦେଇଛନ୍ତି ଆନ୍ଦୋଳନକାରୀ ।

ସେପଟେ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନକୁ ଦେଖି ସ୍ୱାସ୍ଥମନ୍ତ୍ରୀ ମୁକେଶ ମହାଲିଙ୍ଗ ସେମାନଙ୍କୁ ଆଲୋଚନା ପାଇଁ ଡକାଇଥିବା କହିଛନ୍ତି । ମନ୍ତ୍ରୀଙ୍କ ଆଶା, ଆଲୋଚନାରେ ନିଶ୍ଚିତ ସକାରାତ୍ମକ ଦିଗ ବାହାରିବ । ରୋଗୀ ସେବା କୌଣସି ରୂପରେ ବ୍ୟାହତ ହେବ ନାହିଁ ବୋଲି ଆଶାବାଦୀ ଅଛନ୍ତି ମନ୍ତ୍ରୀ ।

ତେବେ ଏହି ଆନ୍ଦୋଳନର ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ଗତକାଲି ନର୍ସିଂ ନିର୍ଦ୍ଦେଶକଙ୍କ ତରଫରୁ ସମସ୍ତ ସିଡିଏମଓ ଓ ମେଡିକାଲ କଲେଜକୁ ଚିଠି ହୋଇଥିଲା । ଚିଠିରେ ଅଗଷ୍ଟ ୭ରୁ ୬ ମାସ ପାଇଁ ଏସମା ଲାଗୁହୋଇଥିବାରୁ ନର୍ସିଂ ଷ୍ଟାଫଙ୍କ ଆନ୍ଦୋଳନ ଅବୈଧ କୁହାଯାଇଥିଲା । ଏଥିସହ, ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଉଲ୍ଲେଖ କରିଥିଲେ ନିର୍ଦ୍ଦେଶକ ।

Get real time updates directly on you device, subscribe now.