fbpx

ତିରୁପତିରେ ଗୋମାଂସ ଲଡ଼ୁ ବିବାଦ ଭିତରେ ଘରେ ବାଇବେଲ ପଢ଼ିଲେ ଜଗନ; ପତ୍ନୀଙ୍କ ଧର୍ମକୁ ନେଇ ବି ଚର୍ଚ୍ଚା

ହାଇଦ୍ରାବାଦ: ବିବାଦ ଘେରରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୱାଇଏସଆରସିପି ମୁଖ୍ୟ ୱାଇଏସ୍ ଜଗନ ମୋହନ ରେଡ୍ଡୀ। ସେପ୍ଟେମ୍ବର ୨୮ରେ ତିରୁମାଲା ମନ୍ଦିରଗସ୍ତ ବାତିଲ କରିଛନ୍ତି। ସୁରକ୍ଷା ଚିନ୍ତା ଏବଂ ବିରୋଧୀ ଦଳ ନେତାମାନେ ଆସ୍ଥା ଘୋଷଣା ପାଇଁ ଦାବି କରୁଥିବା ବେଳେ ଏହି ପଦକ୍ଷେପ ନିଆଯାଇଛି। ଟିଡିପି, ବିଜେପି ଏବଂ ଜନସେନା ଅଭିଯୋଗ କରିଛନ୍ତି ଯେ ରେଡ୍ଡୀ ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରୁଥିବାରୁ ସେ ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ତାଙ୍କର ଧାର୍ମିକ ଆସ୍ଥା ଘୋଷଣା କରିଛନ୍ତି। ସେପଟେ ଜଗନ ରେଡ୍ଡୀ ଚନ୍ଦ୍ରବାବୁ ନାଇଡୁଙ୍କୁ କଡ଼ା ସମାଲୋଚନା କରି କହିଛନ୍ତି ଯେ, ରାଜ୍ୟରେ ରାକ୍ଷସଙ୍କ ଶାସନ ଚାଲିଛି।

ତିରୁପତି ମନ୍ଦିରର ଲଡୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଥିଲା। ଏହି ବିବାଦ ସାମ୍ନାକୁ ଆସିବା ପରେ ଜଗନ ମୋହନ ରେଡ୍ଡୀ ପ୍ରଥମ ଥର ପାଇଁ ତିରୁପତି ମନ୍ଦିରକୁ ଯିବାକୁ ଯାଉଥିଲେ। ଜଗନ ମୋହନ ରେଡ୍ଡୀ କହିଛନ୍ତି, ମୁଁ କେବେ ବି କୌଣସି ରାଜନୈତିକ ଦଳକୁ ମନ୍ଦିର ଦର୍ଶନରେ ବାଧା ସୃଷ୍ଟି କରୁଥିବା ଦେଖିନାହିଁ। ମୋ ଜାତି ଓ ଧର୍ମକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଛି। ମୁଁ ଘରେ ବାଇବେଲ ପଢ଼ିଥାଏ, କିନ୍ତୁ ମୁଁ ହିନ୍ଦୁ, ଇସଲାମ ଏବଂ ଶିଖ୍ ଧର୍ମକୁ ମଧ୍ୟ ସମ୍ମାନ କରେ । ମୋ ଧର୍ମ ହେଉଛି ମାନବିକତା। ଯଦି ମୁଖ୍ୟମନ୍ତ୍ରୀଙ୍କ ସମକକ୍ଷ ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଉନାହିଁ, ତେବେ ଦଳିତଙ୍କ ସହ କେମିତି ବ୍ୟବହାର କରାଯିବ?

ଜଗନ ମୋହନ ରେଡ୍ଡୀଙ୍କ ଧର୍ମ ବିବାଦୀୟ ହେବା ଏହା ପ୍ରଥମ ଘଟଣା ନୁହେଁ। ତାଙ୍କ ରାଜନୈତିକ ବିରୋଧୀମାନେ ଅନେକ ସମୟରେ ତାଙ୍କୁ ‘ହିନ୍ଦୁ ବିରୋଧୀ’ ଭାବରେ ଚିତ୍ରଣ କରିବାକୁ ଚେଷ୍ଟା କରନ୍ତି । ରେଡ୍ଡୀ ପୂର୍ବରୁ ଖୋଲାଖୋଲି ସ୍ୱୀକାର କରିଛନ୍ତି ଯେ ସେ ଖ୍ରୀଷ୍ଟିଆନ ଧର୍ମ ପାଳନ କରନ୍ତି ଏବଂ ବାଇବେଲ ପଢନ୍ତି । ମୁଖ୍ୟମନ୍ତ୍ରୀ ଥିବା ସମୟରେ ରେଡ୍ଡୀଙ୍କୁ ଏହି ପ୍ରସଙ୍ଗକୁ ନେଇ ଲଗାତାର ଟାର୍ଗେଟ କରାଯାଇଛି। ରାଜ୍ୟରେ ମନ୍ଦିରକୁ ଅପମାନିତ କରିବା ଏବଂ ଧର୍ମପରିବର୍ତ୍ତନକୁ ପ୍ରୋତ୍ସାହନ ଦେଉଥିବା ନେଇ ମଧ୍ୟ ବିରୋଧୀ ଦଳମାନେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି।

Get real time updates directly on you device, subscribe now.