fbpx

ରାଜ୍ୟର ମଥାରୁ ଅପପୃଷ୍ଟିର କାଳିମା ଲିଭାଇବାକୁ ପ୍ରଭାତୀଙ୍କ ନୂଆ ଯୋଜନା

ଭୁବନେଶ୍ୱର: ରାଜ୍ୟର ଶିଶୁ ଅପପୃଷ୍ଟି ସାରା ବିଶ୍ୱରେ ଓଡିଶାକୁ ଲଜ୍ଜିତ କରିଥିଲା । ଯାହାକୁ ନେଇ ସରକାରଙ୍କ ପକ୍ଷରୁ ଅଙ୍ଗନବାଡି କେନ୍ଦ୍ରରେ ପିଲାଙ୍କୁ ପୁଷ୍ଟିସାରରେ ପରିପୂର୍ଣ୍ଣ ଛତୁଆ ବଣ୍ଟନ ବ୍ୟବସ୍ଥା ହୋଇଥିଲା । ଏକ ମହତ ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର କରିଥିବା ଛତୁଆ ଯୋଜନା କିଛି ଲାଭଖୋର ଲୋକଙ୍କ ପାଇଁ ଗରିମା ହରାଇଛି । ନୂଆ ସରକାର ପିଲା ତଥା ଗର୍ଭବତୀଙ୍କୁ ଦିଆଯାଉଥିବା ଛତୁଆର ମାନ ପରୀକ୍ଷା କରି ଜାଣିବାକୁ ପାଇଛନ୍ତି, ଯେଉଁ ଛତୁଆ ଯୋଗାଣ ହେଉଛି ତାର ମାନ ନିମ୍ନ ରହିଛି । ଏହା ଜଣାପଡିବା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦବେଗ ପ୍ରକାଶ କରିଛନ୍ତି । ଏଥିନେଇ ଛତୁଆ ଯୋଗାଣରେ ସମ୍ପୃକ୍ତ ବିଭାଗରୁ ତାଗିଦ କରିଛନ୍ତି ।

ସୋମବାର ଦିନ ମନ୍ତ୍ରୀ ଛତୁଆର ଗୁଣବତ୍ତାକୁ ନେଇ ରାଗିଛନ୍ତି । ଏମିତି ନ କରିବାକୁ ବିଭାଗକୁ କହିଛନ୍ତି । ତେଣୁ ତାଙ୍କ ବିଭାଗ ଆଗାମୀ ଦିନରେ ପିଲାଙ୍କୁ ଛତୁଆ ବଦଳରେ ମାଣ୍ଡିଆ ଓ ମିଲେଟ ଯୁକ୍ତ ଖାଦ୍ୟ ଯୋଗାଇବାକୁ ଯୋଜନା କରୁଥିବା ସେ କହିଛନ୍ତି । ଛତୁଆରେ ହେଉଥିବା ଦୁର୍ନୀତି ରୋକିବାକୁ ଆଞ୍ଚଳିକ ଭିତ୍ତିରେ ଖାଦ୍ୟ ଯୋଗାଇବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।

ମନ୍ତ୍ରୀ କହିଛନ୍ତି କି, ଦୁର୍ନୀତି ରୋକିବାକୁ ଯେଉଁ ଅଞ୍ଚଳରେ ଯେଉଁ ଖାଦ୍ୟ ଶସ୍ୟ ଉତ୍ପାଦନ ଅଧିକ ହେଉଛି, ତାକୁ ସେଥିରୁ ପ୍ରସ୍ତୁତ ସାଧନ ଲୋକଙ୍କୁ ଦିଆଯିବ । ମାଣ୍ଡିଆ ଉପ୍ଦାନ ହେଉଥିବା ସ୍ଥାନରେ ପିଲାଙ୍କୁ ମାଣ୍ଡିଆ ଦିଆଯିବ । ଏମିତି କରିବା ଦ୍ୱାରା ଛତୁଆରେ ହେଉଥିବା କେଳେଙ୍କାରୀକୁ ରୋକି ହେବ ବୋଲି ସେ ଆଶା ରଖିଛନ୍ତି ।

ଏଥିସହ ଛତୁଆକୁ ଉନ୍ନତମାନର କରିବାକୁ ଏକ କନକ୍ଲେଭ ଜରିଆରେ ଅଭିଜ୍ଞ ଓ ଅନୁଭବୀ ବ୍ୟକ୍ତି ବିଶେଷଙ୍କଠାରୁ ମତ ନିଆଯିବ । ଆଗକୁ ମନ୍ତ୍ରୀ କହିଛନ୍ତି କି, ଅପପୃଷ୍ଟି ମୁକ୍ତ ଓଡିଶା ଗଠନ କରିବାକୁ ବିଭାଗ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି ପୋଷଣ ମାସ ପାଳନ ଅବସରରେ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.