fbpx

ଆକ୍ସନ ମୋଡରେ ନୂଆ ସିପି, ପରଫର୍ମାନ୍ସକୁ ନେଇ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବଦଳିଯିବ ଟ୍ୱିନ ସିଟି ପୋଲିସ । ବଦଳିବ ଆଦବ କାଇଦା । ଆଉ ସହ୍ୟ ହେବନି ପୋଲିସ ବାବୁଙ୍କ ମନମାନୀ । ଆଉ ବରଦାସ୍ତ କରାଯିବନି ଅଧିକାରୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । କାମରେ ଖିଲାପ ହେଲେ ହେବ କାର୍ଯ୍ୟାନୁଷ୍ଠାନ । ପରଫର୍ମାନ୍ସ ରିପୋର୍ଟ ହେବ ଦକ୍ଷତା ମାପର ଆଧାର ।ପରଫର୍ମାନ୍ସରେ ଅବହେଳା ହେଲେ ସିପି ନେବେ କାର୍ଯ୍ୟାନଷ୍ଠାନ ।

ଗତକାଲି ସିପି ଭାବେ ଯୋଗଦେବା ପରେ ଆଜି ି କଟକ ଅଫିସରେ ପହଞ୍ଚିଥିଲେ ନୂଆ ସିପି ଏସ ଦେବଦତ୍ତ ସିଂହ । ସେଠି ଅଧିକାରୀଙ୍କ ସହ କରିଥିଲେ ବୈଠକ । ଏଥିସହ ଅଧିକାରୀଙ୍କୁ କରିଥିଲେ ତାଗିଦ । ଲୋକଙ୍କ ଅଭିଯୋଗ ଶୁଣାଣିକୁ ଦିନ ରାତି କରିବାକୁ କହିବା ସହ ସେମାନଙ୍କ ସମସ୍ୟା ଯଥାଶୀଘ୍ର ଦୂର କରିବାକୁ ଦେଇଥିଲେ ପରାମର୍ଶ । ତା ସାଙ୍ଗକୁ ଥାନାକୁ ଆସୁଥିବା ଲୋକଙ୍କ ସହ ସୁ ବ୍ୟବହାର କରିବାକୁ ମଧ୍ୟ କହିଥିଲେ ସିପି ।ବୈଠକରେ ସିପି ଅଧିକାରୀଙ୍କୁ ସିଧାସଳଖ ନିଜ କାମକୁ ଦକ୍ଷତାର ସହ ସମ୍ପାଦନ କରିବାକୁ କହିଥିଲେ । ଏଥିସହ ପରୋକ୍ଷରେ ଅଧିକାରୀଙ୍କୁ ଜଣାଇଦେଇଥିଲେ କି, ସେ ଚୁପ ବସିବେ ନାହିଁ । ତାଙ୍କ ଅଧୀନରେ ଥିବା କ୍ଷେତ୍ର ଉପରେ ରହିବ ତାଙ୍କ ନଜର । ସିପିଙ୍କ ଏମିତି ତାଗିଦ ପରେ କମିଶନରେଟ ପୋଲିସ ମହଲରେ ପସିଛି ଛନକା । ଆଉ ଡ୍ୟୁଟିରେ ଅବହେଳା କଲେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ, ତାକୁ ଭଣିହେଉଛନ୍ତି ଅଫିସର ବୋଲି ଚର୍ଚ୍ଚା ହେଉଛି ।

ଭରତପୁର ଘଟଣାରେ ଛନ୍ଦି ହୋଇଥିବା ମୋହନ ସରକାର କମିଶନରେଟ ପୋଲିସରେ କରିଛନ୍ତି ବ୍ୟାପକ ପରିବର୍ତ୍ତନ । ପୋଲିସ କମିଶନର ଓ ଦୈତନଗରୀର ଦୁଇ ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି । ଅର୍ଥାତ୍ ଭରତପୁର ଘଟଣାରେ ସରକାରଙ୍କ ସନ୍ଦେହ ଘେରକୁ ଆସିଥିଲା କମିଶନରେଟ ପୋଲିସ । ପୋଲିସ ହିଁ ସରକାରଙ୍କୁ ଅଡୁଆରେ ପକାଇଥିଲା ବୋଲି ମଧ୍ୟ ବିଭିନ୍ନ ଗଣମାଧ୍ୟମର ବିତର୍କରେ ବୁଦ୍ଧିଜୀବୀ ମତ ଦେଇଥିଲେ । ଖାଲି ସେତିକି ନୁହେଁ, ଗୃହ ବିଭାଗର ବିନା ପରାମର୍ଶରେ ଡିସିପି ଜାତୀୟ ଗଣମାଧ୍ୟମକୁ ଦେଇଥିବା ବୟାନ ମଧ୍ୟ ଅନେକାଂଶରେ ସରକାରକୁ ଅଡୁଆକୁ ଟାଣିନେଇଥିଲା ।

ଏହି ଘଟଣାରେ ବିଭିନ୍ନ ବର୍ଗ ଓ ଦେଶବ୍ୟାପୀ ମୋହନ ମାଝୀଙ୍କୁ ଲଜ୍ଜିତ ହେବାକୁ ହୋଇଥିଲା ।ତାଙ୍କ ବିରୋଧରେ ପୂର୍ବ ସରକାରର ପ୍ରରୋଚନାରେ କିଛି ଅଧିକାରୀ କାମକରୁଥିବା ନେଇ ମଧ୍ୟ ମତ ପ୍ରକାଶ ପାଇଥିଲା ବୁଦ୍ଧିଜୀବୀ ମହଲରେ । ଏମିତି କି, ଦୀର୍ଘ ଦିନ ହେବ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ବହୁ ଅଧିକାରୀ ଟ୍ରାନ୍ସଫର ହେଉଛନ୍ତି, କିନ୍ତୁ ବାହାରକୁ ସେମାନଙ୍କୁ ବଦଳି କରାଯାଉ ନାହିଁ । ଏହାକୁ ନେଇ କୁହା ଯାଉଥିଲା କି, ସେମାନେ ପୂର୍ବ ସରକାରର ହାତ ବାରିସି ସାଜିଥିିଲେ । ତେଣୁ ଉପହାର ସ୍ୱରୂପ ସେମାନେ ଦୈତନଗରୀ ଭିତରେ ରହୁଥିଲେ ।

ଭରତପୁର ଘଟଣା ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ ପରେ ସରକାର କ୍ଷମତାଠୁ ଦୂରେଇ ରହିଥିବା ଜଣେ ଅଧିକାରୀଙ୍କୁ ସିପି କରିଛନ୍ତି । ସେ ମଧ୍ୟ ଆସୁ ଆସୁ ଆକ୍ସନ ମୋଡକୁ ଆସିଛନ୍ତି । ଦୈତନଗରୀରେ ଦୀର୍ଘ ବର୍ଷ ରହିଥିବା ଅଧିକାରୀଙ୍କ ଦକ୍ଷତା ଦେଖିବେ ବୋଲି କହିଛନ୍ତି । ତେବେ ଖାଲି ପୋଲିସକୁ ତାଗିଦ କରିନାହାନ୍ତି ସିପି, ପରନ୍ତୁ ଦୈତ ନଗରୀର ଯେମିତି ଅପରାଧ ହ୍ରାସ ପାଇବ, ଆଗକୁ ପୂଜା ଥିବାରୁ ଲୋକେ ପୂଜାକୁ ଶାନ୍ତିରେ ଉପଭୋଗ କରିପାରିବେ, ତା ଉପରେ ଅଧିକାରୀଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.