fbpx

ଫ୍ଲିପକାର୍ଟ ପରେ ଏବେ Amazon ନାଁରେ ଠକେଇ, ବିନା ଅର୍ଡ଼ରରେ ଘରକୁ ପହଞ୍ଚିଲା ପାର୍ସଲ, ମୁଣ୍ଡରେ ହାତ ଦେଲେ ପରିବାର ଲୋକେ

ନୂଆଦିଲ୍ଲୀ: ଆଜିକାଲି ଲୋକଙ୍କ ମଧ୍ୟରେ ଅନଲାଇନ୍ ଶପିଂର କ୍ରେଜ୍ ଦେଖିବାକୁ ମିଳିଛି । ସେଥିପାଇଁ ଛତୁ ଫୁଟିଲା ଭଳି ଅନେକ ଅନଲାଇନ୍ ଶପିଂ ପ୍ଲାଟଫର୍ମ ମାର୍କେଟକୁ ଆସୁଛନ୍ତି । ବିଶେଷ କରି ପାର୍ବଣ ଋତୁରେ ଅନଲାଇନ୍ ପ୍ଲାଟଫର୍ମରେ ରିଆତି ମୂଲ୍ୟରେ ସବୁ ଜିନିଷ ଉପଲବ୍ଧ ହେଉଥିବାରୁ ଏହା ଗ୍ରାହକଙ୍କୁ ଆକୃଷ୍ଟ କରୁଛି । ଏଥିମଧ୍ୟରେ ଅନେକ ଅନଲାଇନ୍ ଠକାମି ମାମଲା ସାମ୍ନାକୁ ଆସୁଛି । ନିକଟରେ ଫ୍ଲିପକାର୍ଟକୁ ନେଇ ବିବାଦ ଦେଖାଦେଇଥିବା ବେଳେ ଏବେ ଆମାଜନ ଶପିଂ ପ୍ଲାଟଫର୍ମକୁ ନେଇ ଚର୍ଚ୍ଚା ହେଉଛି ।

ନୋଏଡା ସେକ୍ଟର ୮୨ ସ୍ଥିତ ଉଦ୍ୟୋଗ ବିହାର ସୋସାଇଟିରୁ ଅନଲାଇନ୍ ଠକେଇର ଏକ ମାମଲା ସାମ୍ନାକୁ ଆସିଛି । ସୂଚନାରୁ ପ୍ରକାଶ ଚଳିତ ବର୍ଷ ସେପ୍ଟେମ୍ବର ୩୦ରେ ସୋସାଇଟିର ଏକ ଫ୍ଲାଟରେ ରହୁଥିବା ଜନୈକ ବ୍ୟକ୍ତିଙ୍କ ଘରେ ଆମାଜନର ଏକ ପାର୍ସଲ ପହଂଚିଥିଲା । ସମୟ ଅପରାହ୍ନ ୩ଟା ୧୦ ପାଖାପାଖି । ସେତେବେଳେ ଫ୍ଲାଟରେ ରହୁଥିବା ଜଣେ ମହିଳା ପାର୍ସଲକୁ ରିସିଭ୍ କରିଥିଲେ । କ୍ୟାଶ୍ ଅନ୍ ଡେଲିଭରି ଥିଲା । ପାର୍ସଲରେ ଫ୍ଲାଟର ଠିକଣା ସଠିକ ଲେଖା ହୋଇଥିଲା । ସେ ଭାବିଲେ ହୁଏତ ତାଙ୍କ ପରିବାର ଲୋକେ କିଛି ଅନଲାଇନ୍ ଅର୍ଡର କରିଥିବେ । ତେଣୁ ଅନ୍ୟ କିଛି ନ ଭାବି ମହିଳା ଜଣଙ୍କ ୬୯୯ ଟଙ୍କା ପେମେଣ୍ଟ କରିଥିଲେ । ପରେ ସେ ଜାଣବାକୁ ପାଇଲେ କି ତାଙ୍କ ପରିବାରୁ କେହି ବି କିଛି ଅର୍ଡ଼ର କରିନଥିଲେ । ଏହା ପରେ ସମସ୍ତ ଚକିତ ହୋଇଯାଇଥିଲେ । ପାର୍ସଲ ବକ୍ସରେ ପ୍ରେରକଙ୍କ ନାଁ ବ୍ୟତୀତ ଅନ୍ୟ କିଛି ବିବରଣୀ ନଥିଲା । ସେହି ଲୋକକୁ ମଧ୍ୟ ପରିବାରରେ କେହି ଜାଣିନଥିଲେ । ପାର୍ସଲ ଖୋଲି ଦେଖିବା ପରେ ସେଥିରେ ମାତ୍ର ୫୦ରୁ ୧୦୦ ଟଙ୍କାର ଜିନିଷ ଥିଲା । ଏହା ପରେ ପୀଡ଼ିତ ପରିବାର ଆମାଜନ କଷ୍ଟମର କେୟାରକୁ କଲ୍ କରିଥିଲେ । ଦୁଇ ଦିନ ମଧ୍ୟରେ ମାମଲାର ଅପଡେଟ୍ ଆସିବ ବୋଲି କୁହାଯାଇଥିଲା । କିନ୍ତୁ ଏବେ ବି ପୋଲିସର ହାସ ଖାଲି । ପାର୍ସଲ ରିସିଭ କରିଥିବା ମହିଳା ଜଣଙ୍କ ଡେଲିଭରି ବୟ ବାଇକର ନେମପ୍ଲେଟ୍ ଫଟୋ ଉଠାଇଥିଲେ କିନ୍ତୁ ତାହା ବି ସମ୍ପୂର୍ଣ୍ଣ ନଥିଲା । ଫଳରେ ତଦନ୍ତ କରିବା ପୋଲିସ ପକ୍ଷରେ ସମ୍ଭବପର ନଥିଲା ।

ତେବେ ଏଭଳି ଘଟଣା କାହା ସହ ବି ହୋଇପାରେ । ପରିବାର ଲୋକଙ୍କ ସହ ସମ୍ପର୍କରେ ରୁହନ୍ତୁ । କିଏ କେତେବେଳେ କଣ ଅନଲାଇନ୍ ଶପିଂ କରୁଛି ସବୁ ଡିଟେଲ୍ସ ରଖନ୍ତୁ । ଅନଲାଇନ୍ ଠକମାନେ ସବୁବେଳେ ନୂଆ ନୂଆ ଉପାୟରେ ଗ୍ରାହକଙ୍କୁ ଠକିଥାନ୍ତି । ଡେଲିଭରି ବୟ ଉପରେ ସନ୍ଦେହ ହେଲେ ତୁରନ୍ତ ପୋଲିସକୁ ଖବର ଦିଅନ୍ତୁ ।

Get real time updates directly on you device, subscribe now.