fbpx

୧୬,୦୦୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ଦେଲେ ମୁଖ୍ୟମନ୍ତ୍ରୀ: ଗଣଶିକ୍ଷା ମନ୍ତ୍ରୀ କହିଲେ- ‘ଆଜି ଏକ ଐତିହାସିକ ଦିନ’

ଭୁବନେଶ୍ବର: ରାଜ୍ୟରେ ହଜାରେ କି ଦୁଇ ହଜାର ନୁହେଁ ଏକାକାଳୀନ ୧୬,୦୦୯ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି ରାଜ୍ୟ ସରକାର । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ୧୬,୦୦୯ ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତିପତ୍ର ହସ୍ତାନ୍ତର କରିବା ସହିତ ମାର୍ଗଦର୍ଶନ କରିଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଆଜି ଏକ ଐତିହାସିକ ଦିନ।

ଭଲ ସମାଜ ଗଢ଼ିବାରେ ଶିକ୍ଷକମାନଙ୍କର ଭୂମିକା ରହିଛି। ଓଡ଼ିଶାର ବିକାଶରେ ଶିକ୍ଷକମାନଙ୍କର ଅବଦାନ ଅତୁଳନୀୟ। ଶିକ୍ଷକତା ଏକ ଗୁରୁତ୍ବପୂର୍ଣ୍ଣ ପଦବି। ସମାଜରେ ଶିକ୍ଷକମାନଙ୍କର ପ୍ରତି ସ୍ବତନ୍ତ୍ର ମର୍ଯ୍ୟାଦା ରହିଛି। ଶିକ୍ଷକମାନେ କେବଳ ପାଠ ପଢ଼ାଉନାହାନ୍ତି। ବରଂ ଛୋଟ ପିଲାମାନଙ୍କୁ ଭବିଷ୍ୟତରେ ସୁନାଗରିକ କରିବା ଶିକ୍ଷକମାନଙ୍କ ହାତରେ ରହିଛି।

କେନ୍ଦୁଝରର ନବନିଯୁକ୍ତ ଶିକ୍ଷୟିତ୍ରୀ ଚିନ୍ମୟୀ କର କହିଛନ୍ତି, ନିଜର ଚେଷ୍ଟା, କଠିନ ପରିଶ୍ରମ ଦ୍ବାରା ଆମେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିକ୍ଷକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ଆମେ ନିଷ୍ଠାର ସହିତ ଶିକ୍ଷାଦାନ କଲେ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ।

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିକ୍ଷା ସଚିବ ଶାଳିନୀ ପଣ୍ଡିତ, ଶାଳିନୀ ପଣ୍ଡିତ, ଓସେପା ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।

ଚୟନ ହୋଇଥିବା ୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରେ ୪୨୪ଜଣ ଥିବା ବେଳେ ବାଲେଶ୍ୱରରେ ୬୦୦, ବରଗଡ଼ରେ ୪୭୯, ଭଦ୍ରକରେ ୨୬୦, ବଲାଙ୍ଗୀରରେ ୧,୦୮୦, ବୌଦ୍ଧରେ ୬୫, କଟକରେ ୮୯୩, ଦେବଗଡ଼ରେ ୨୧, ଢେଙ୍କାନାଳରେ ୫୮୩, ଗଜପତିରେ ୧୩, ଗଞ୍ଜାମରେ ୧,୨୬୪, ଜଗତସିଂହପୁରରେ ୮୮, ଯାଜପୁରରେ ୮୭୨, ଝାରସୁଗୁଡ଼ାରେ ୩୮, କଳାହାଣ୍ଡିରେ ୮୧୧, କନ୍ଧମାଳରେ ୧୫୧, କେନ୍ଦ୍ରାପଡ଼ାରେ ୧,୦୩୮, କେନ୍ଦୁଝରରେ ୧,୩୨୯, ଖୋର୍ଦ୍ଧାରେ ୭୫୩, କୋରାପୁଟରେ ୯୨୨, ମାଲକାନଗିରି ଜିଲ୍ଲାରେ ୫୫୫ ଜଣ ରହିଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାରେ ୮୨୭, ନବରଙ୍ଗପୁରରେ ୮୬୦, ନୟାଗଡ଼ରେ ୮୩, ନୂଆପଡ଼ାରେ ୨୨୧, ପୁରୀରେ ୭୩୩, ରାୟଗଡ଼ାରେ ୫୧୧, ସମ୍ବଲପୁରରେ ୨୧୮, ସୁବର୍ଣ୍ଣପୁରରେ ୧୫୭ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୬୦ ଜଣ ନିଯୁକ୍ତି ପାଇଛନ୍ତି।

Get real time updates directly on you device, subscribe now.