fbpx

ସ୍ବାମୀ-ସ୍ତ୍ରୀର ସମ୍ପର୍କକୁ ବରବାଦ କରିଦିଏ ଏହି ଜିନିଷ , ବିବାହ ବିଚ୍ଛେଦ ଯାଏଁ ପହଞ୍ଚେ କଥା

ସମ୍ପର୍କ ଗଢିବା ପାଇଁ ବର୍ଷ ବର୍ଷ ଲାଗିଯାଏ, ହେଲେ ଭାଙ୍ଗିବା ପାଇଁ ଗୋଟିଏ କ୍ଷଣ ଲାଗେନା । ଖାସ୍ କରି ଯେତେବେଳେ ସମ୍ପର୍କ ସ୍ବାମୀ-ସ୍ତ୍ରୀର ହୋଇଥିବ । ସୁଖମୟ ଦାମ୍ପତ୍ୟ ଜୀବନ ଲାଗି ପ୍ରେମ ଓ ପରସ୍ପର ଉପରେ ବିଶ୍ବାସ ରହିବା ଅତି ଜରୁରୀ । ସ୍ବାମୀ-ସ୍ତ୍ରୀ ସମ୍ପର୍କରେ ଛୋଟ ଛୋଟ ଝଗଡା, ମନୋମାଳିନ୍ୟ ତ ଲାଗି ରହିଥାଏ । ଏହାଦ୍ବାରା ସମ୍ପର୍କ ଆହୁରି ବି ମଧୁର ଓ ମଜଭୁତ ହୁଏ । ହେଲେ ବେଳେବେଳେ ଏମିତି ସମୟ ଆସେ, ଯାହା ଧୀରେ ଧୀରେ ସମ୍ପର୍କରେ ତିକ୍ତତା ଭରିଦିଏ ଆଉ ସେମାନେ ଜାଣିପାରନ୍ତି ନାହିଁ କେତେବେଳେ କେମିତି ସମ୍ପର୍କ ତୁଟିଯାଏ । ସ୍ବାମୀ-ସ୍ତ୍ରୀ ହେଉ ଅବା ପ୍ରେମିକ-ପ୍ରେମିକା, ସବୁ ସମ୍ପର୍କ ଭରସା ଓ ବିଶ୍ବାସର ମୂଳଦୁଆ ଉପର ଦଣ୍ଡାୟମାନ । ଥରେ ଏହି ବିଶ୍ବାସ ଟଳମଳ ହେଲେ ସମ୍ପର୍କ ବି ବାଲିଘର ଭଳି ଭାଙ୍ଗିଯାଏ ।

ଆଜି ଆମେ ଏମିତି 8ଟି କାରଣ ବିଷୟରେ କହିବୁ ଯାହା ସୁଖୀ ଦାମ୍ପତ୍ୟ ଜୀବନରେ ବିଷ ଭରିଦିଏ । ପତି-ପତ୍ନୀଙ୍କ ମଧୁର ସମ୍ପର୍କରେ ତିକ୍ତତା ବଢି ଦୁହେଁ ପରସ୍ପରଠାରୁ ଦୂରେଇ ଯାଆନ୍ତି । ଏମିତିକି ବିବାହ ବିଚ୍ଛେଦ ଯାଏଁ କଥା ପହଞ୍ଚେ ।

1. ଝଗଡା ନ ତୁଟିବା

ଅନେକ ସମୟରେ ସ୍ବାମୀ-ସ୍ତ୍ରୀ ମଧ୍ୟରେ କୌଣସି କାରଣକୁ ନେଇ ବାରମ୍ବାର ଝଗଡା ହୋଇଥାଏ । ହେଲେ ବେଳେବେଳେ ସ୍ବାମୀ ହୁଅନ୍ତି କି ସ୍ତ୍ରୀ ଝଗଡା ତୁଟାଇବା ବଦଳରେ ଏହାକୁ ଚାପିବାକୁ ଚେଷ୍ଟା କରିଥାନ୍ତି । ଫଳରେ ଦୁହିଁଙ୍କ ଭିତରେ ଭଲ ବୁଝାମଣା ରହିପାରେନି । ପରବର୍ତ୍ତୀ ସମୟରେ ଏହି ଭୁଲ ଉଭୟଙ୍କ ମଧ୍ୟରେ ଦୂରତାର କାରଣ ହୋଇଯାଏ ।

2. ଭାବନାତ୍ମକ ରୂପେ ଯୋଡି ନହେବା:

ବୈବାହିକ ଅନ୍ତରଙ୍ଗତା ସମ୍ପର୍କକୁ ମଧୁର କରିଥାଏ । ଅନ୍ତରଙ୍ଗତା ଅର୍ଥ କେବଳ ଶାରିରୀକ ସମ୍ବନ୍ଧ ନୁହେଁ, ଭାବନାତ୍ମକ ସମ୍ପର୍କ ମଧ୍ୟ ଖୁବ୍ ଗୁରୁତ୍ବପୂର୍ଣ୍ଣ । କୌଣସି ବି ସମ୍ପର୍କ ନିଭାଇବା ପାଇଁ ଭାବନାତ୍ମକ ରୂପେ ଯୋଡି ହେବା ଅତି ଜରୁରୀ । ହେଲେ ଅନେକ ସମୟରେ ଦେଖାଯାଏ ସ୍ବାମୀ-ସ୍ତ୍ରୀ ମଧ୍ୟରେ ଆଗଭଳି ଇମୋସନାଲ ଆଟାଚମେଣ୍ଟ ରହେ ନାହିଁ । ଦୁହେଁ ଦୁହିଁଙ୍କର ଭାବନା ବୁଝି ପାରନ୍ତିନି କିମ୍ବା ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ଯେଉଁ କାରଣରୁ ସେମାନଙ୍କ ମଧ୍ୟରେ ଏକେଲାପଣ ଭାବନା ସୃଷ୍ଟି ହୋଇଥାଏ । ଯାହାକି ଦୁହିଁଙ୍କ ମଧ୍ୟରେ ଦୂରତା ବଢାଇଥାଏ ।

3. ପରସ୍ପରକୁ ସମ୍ମାନ ନ ଦେବା:

ପ୍ରେମ ଭଳି ସମ୍ପର୍କରେ ପରସ୍ପର ପ୍ରତି ସମ୍ମାନ ରହିବା ମଧ୍ୟ ଅତି ଆବଶ୍ୟକ । କେହି ବି ପରଫେକ୍ଟ ନୁହନ୍ତି । ସମସ୍ତଙ୍କ ମଧ୍ୟରେ କିଛି ନା କିଛି ଅଭାବ ଓ ଖରାପ ଅଭ୍ୟାସ ନିହାତି ରହିଥାଏ । କିନ୍ତୁ ଏହାକୁ ନେଇ ନିଜ ପାର୍ଟନରକୁ ସମାଲୋଚନା କରିବା, ଅପମାନ କରିବା ସମ୍ପର୍କକୁ କ୍ଷତି ପହଞ୍ଚାଇଥାଏ । ତେଣୁ ବେଳେବେଳେ ପରସ୍ପରକୁ ପ୍ରଶଂସା କରିବା ଓ ସମ୍ମାନ ଦେବା ଦ୍ବାରା ସମ୍ପର୍କ ସୁଦୃଢ ହୋଇଥାଏ ।

4. ପରସ୍ପରକୁ ହାଲୁକାରେ ନେବା:

ସମୟ ସହିତ କେବେକେବେ ପତି-ପତ୍ନୀ ପରସ୍ପରକୁ ଅତି ହାଲୁକା (Taken for granted) ଭାବେ ନେବାରେ ଲାଗିଥାନ୍ତି । ପୂର୍ବ ଭଳି ସମ୍ପର୍କରେ ଆଦାର ଯତ୍ନ ରହେନି ଓ ଧୀରେ ଧୀରେ ପ୍ରେମର ଅଭିବ୍ୟକ୍ତି କମିବାରେ ଲାଗେ । ଦୁହିଁଙ୍କୁ ଲାଗେ କି, ସେ ତ ମୋର ଓ ମୋର ହିଁ ରହିବ । ଅଯଥା ପ୍ରେମ ବ୍ୟକ୍ତ କରିବାର ଆବଶ୍ୟକତା ନାହିଁ । ଏହି ଭୁଲ୍ ଭାବନା କାରଣରୁ ସମ୍ପର୍କ କ୍ରମଶଃ ଦୁର୍ବଳ ହେବାରେ ଲାଗେ । ସାମାନ୍ୟ ଝଗଡା କିମ୍ବା ଭୁଲ୍ ବୁଝାମଣାରେ ଭାଙ୍ଗିଯାଏ ।

5. ଦୁହିଁଙ୍କ ମଧ୍ୟରେ ଯୋଗଯୋଗର ଅଭାବ:

ଏକ ହସଖୁସିର ବୈବାହିକ ଜୀବନ ପାଇଁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ଯୋଗଯୋଗ ରହିବା ନିହାତି ଆବଶ୍ୟକ । ଆପଣ ଆପଣଙ୍କ ପାର୍ଟନରଙ୍କ କଥା ଶୁଣିବା, ତାଙ୍କ ଭାବନାକୁ ବୁଝିବା ଏହାସହିତ ତାଙ୍କ ସାମ୍ନାରେ ନିଜର ଭାବନା ରଖିବା, ସମ୍ପର୍କରେ ଭାରି ଜରୁରୀ । ଫଳରେ କୌଣସି ବି ସମସ୍ୟା ହେଲେ ଦୁହେଁ ମିଶି ଏହାର ସମାଧାନର ବାଟ ବାହାର କରିପାରିବେ । ମନର ଭାବନା ପ୍ରକାଶ ଦ୍ବାରା କୌଣସି ପ୍ରକାର ଭୁଲ୍ ବୁଝାମଣା ରହିବ ନାହିଁ ।

6. ଆର୍ଥିକ ସମସ୍ୟା:

ଆର୍ଥିକ ସମସ୍ୟା ଯୋଗୁଁ ସମ୍ପର୍କ ଭାଙ୍ଗିବାର ଅନେକ ଘଟଣା ସାମ୍ନାକୁ ଆସେ । ଆର୍ଥିକ ସ୍ଥିତି ମଜଭୁତ ନ ଥିଲେ ସ୍ବାମୀ-ସ୍ତ୍ରୀ ଭିତରେ ବାରମ୍ବାର ଝଗଡା ହୋଇଥାଏ । ଆର୍ଥିକ ଅସ୍ବଚ୍ଛଳତା କାରଣରୁ ସ୍ତ୍ରୀର ଛୋଟ ଛୋଟ ଅଭିଳାଶା ସ୍ବାମୀ ପୂରଣ ନ କରିପାରିବା, ବାହାରକୁ ବୁଲାଇ ନ ନେବା, ବିବାହ ବାର୍ଷିକୀ କିମ୍ବା ଜନ୍ମଦିନ ଭଳି ବିଶେଷ ଦିନରେ ଭଲ ଗିଫ୍ଟ ନ ଦେଇପାରିବା ଇତ୍ୟାଦି ବିଭିନ୍ନ କାରଣରୁ ଦୁହିଁଙ୍କ ମଧ୍ୟରେ ଦୂରତା ଆସିଯାଏ । ଟଙ୍କା ଅଭାବରୁ ଦାମ୍ପତ୍ୟ ଜୀବନରେ କଳହ ଲାଗି ରହେ, ଯାହା ଧୀରେ ଧୀରେ ବଢି ବିଚ୍ଛେଦ ପର୍ଯ୍ୟନ୍ତ ପହଞ୍ଚିଯାଏ ।

7. ଜୀବନର ଭିନ୍ନ ଭିନ୍ନ ଲକ୍ଷ୍ୟ:

ସମୟ ସହିତ ଲୋକଙ୍କ ଆକାଂକ୍ଷା ଓ ଲକ୍ଷ୍ୟ ବି ବଦଳିଥାଏ । ବେଳେବେଳେ ସ୍ବାମୀ-ସ୍ତ୍ରୀ ପରସ୍ପରର ଲକ୍ଷ୍ୟ ପୂରଣ କରିବାରେ ସପୋର୍ଟ କରନ୍ତି ନାହିଁ । ଏହି କାରଣରୁ ସମ୍ପର୍କରେ ଦୂରତା ଆସିଥାଏ । ଦୁହେଁ ପରସ୍ପରଠାରୁ ଦୂରେଇବାକୁ କଠୋର ନିଷ୍ପତ୍ତି ନେଇଯାଆନ୍ତି ।

8. କ୍ବାଲିଟି ଟାଇମ୍ ନ ଦେବା:

ଦାମ୍ପତ୍ୟ ଜୀବନ ହେଉ ଅବା ପ୍ରେମ ସମ୍ପର୍କ, ଆଜିର ଧାଁ ଦୌଡ ଜୀବନରେ ପରସ୍ପରକୁ ଯଥେଷ୍ଟ ସମୟ ଦେଇପାରନ୍ତି ନାହିଁ ବା ଦୁହେଁ ମିଶି କ୍ବାଲିଟି ଟାଇମ୍ ଅତିବାହିତ କରିପାରନ୍ତି ନାହିଁ । ସେମାନେ ନିଜ ନିଜର କାର୍ଯ୍ୟବ୍ୟସ୍ତତା ମଧ୍ୟ ବ୍ୟସ୍ତ ରହିଯାଆନ୍ତି । ଯାହାର ପରିମାଣ ସୂରୁପ ସମ୍ପର୍କରୁ ମଧୁରତା କେତେବେଳେ ସରିବାରେ ଲାଗେ, ସେମାନଙ୍କୁ ଜଣାପଡେନି ।

Get real time updates directly on you device, subscribe now.