fbpx

ଧର୍ମଶାଳା ବିଧାୟକଙ୍କ ଚାପ, ବେଆଇନ ଖଣିର ରିପୋର୍ଟ ତଲବ କଲେ ଖଣି ସଚିବ

ଭୁବନେଶ୍ୱର: ଆକ୍ସନ ମୋଡରେ ରାଜ୍ୟ ଖଣି ବିଭାଗ । ଛାନିଆ ବିଜେଡି ନେତା ।ଯାଜପୁରର ଧର୍ମଶାଳାରେ ଥିବା ବେଆଇନ ଖଣି ଖନନ ଓ କ୍ରସର ୟୁନିଟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । ନିର୍ଦ୍ଦେଶ ଦେଲେ ରାଜ୍ୟ ଖଣି ବିଭାଗ ସଚିବ ରାଜେଶ ନାୟକ । ସଚିବଙ୍କ ଏହି ନିର୍ଦ୍ଦେଶ ପରେ ଏକଦା ବିଜେଡିର ଅନ୍ୟତମ କ୍ଷମତା କେନ୍ଦ୍ର କୁହାଯାଉଥିବା ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଆଖିରୁ ହଜିଗଲାଣି ନିଦ । ବର୍ତ୍ତମାନର ବିଧାୟକ ହିମାଁଶୁ ସାହୁ ଆଣିଛନ୍ତି ଅଭିଯୋଗ । ବେଆଇନ ଖଣି ଉପରେ ଚଳାଇଛନ୍ତି ଅପରେସନ ।

ଧର୍ମଶାଳା ଅଞ୍ଚଳରେ ପୂର୍ବତନ ବିଧାୟକଙ୍କ ଛତ୍ରଛାୟାରେ ଦୀର୍ଘ ବର୍ଷରୁ ବେନିୟମରେ ବହୁ ଖଣି ଖନନ ହେଉଥିବା ଓ କ୍ରସର ୟୁନିଟ ଚାଲୁଥିବା ଅଭିଯୋଗ ହୋଇଆସୁଥିଲା । ଚଳିତ ନିର୍ବାଚନରେ ଧର୍ମଶାଳାର ବିଧାୟକ ହେବା ପରେ ହିମାଂଶୁ ଶେଖର ସାହୁ ନିଜ କ୍ଷେତ୍ରରେ ଚାଲିଥିବା ବେଆଇନ ଖଣି ଖନନକୁ ବିରୋଧ କରିଥିଲେ । ଏଥିପାଇଁ ନିଜେ ବିଧାୟକ ବିଭିନ୍ନ ଖଣି ଭିଜିଟ କରିଥିଲେ । ଜିଲ୍ଲାରେ, ମୁଖ୍ୟତଃ ନିଜ ଅଞ୍ଚଳରେ ହେଉଥିବା ଖଣି ଲୁଟ ରୋକବାକୁ ସେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ଏନେଇ ଜୁଲାଇ ମାସରେ ସେ ଖଣି ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବର୍ତ୍ତମାନର ବିଧାୟକ ତଥା ସ୍ଥାନୀୟ ଲୋକଙ୍କ ଅଭିଯୋଗ ରହିଛି କି, ପୂର୍ବତନ ବିଧାୟକ ଜିତୁ ବଳବନ୍ତରାୟଙ୍କ ଛତ୍ରଛାୟା ତଳେ ନିରବଚ୍ଛିନ୍ନ ଭାବେ, ବେଧଡ ହୋଇ ଖଣି ମାଫିଆ ଧର୍ମଶାଳାର ଡଙ୍କାରୀ, ଲୁଣିବର, ଚଢେଇଧରା, କୁସୁନପୁର, ଅଞ୍ଜିରା, ବିଛାଖଣ୍ଡି, ରାହାଦପୁର ଅଞ୍ଚଳରେ ଥିବା ପାହାଡରୁ ଖଣି ଲୁଟୁଥିଲେ । ଏପରି ଖଣି ଚୋରି ପାଇଁ ରାଜ୍ୟ ସରକାର ରାଜସ୍ୱ ହରାଉଥିଲେ । ଏଥିସହ, ସବୁ ସମୟରେ ଖଣିଜ ସମ୍ପଦ ଉତ୍ତୋଳନ ଓ ପରିବହନ ପାଇଁ ସ୍ଥାନୀୟ ଲୋକେ ବହୁ ହଇରାଣ ହେଉଥିଲେ ।

ଖଣିରୁ ଯାତାୟାତ କରୁଥିବା ଟ୍ରକ, ଜେସିବି, ଟ୍ରାକ୍ଟର ପରି ଭାରିଯାନା ପାଇଁ ରାସ୍ତା ଖରାପ ହେବା ସହ, ଧୁଳି, ଧୂଆଁରେ ଲୋକେ ନାନା ସ୍ୱାସ୍ଥ୍ୟ ସମସ୍ୟାରେ ପଡୁଥିଲେ । ଏହାକୁ ଦୃଷ୍ଟିରେ ରଖି ବିଧାୟକ ସାହୁ ବେଆଇନ ଖଣି ଖନନ ବନ୍ଦ କରିବାର ବିଡା ନେଇଥିଲେ । ବିଧାୟକଙ୍କ ଚିଠି ସହ ଜିଲ୍ଲାପାଳ ତଥା ସ୍ଥାନୀୟ ଖଣି ନିର୍ଦ୍ଦେଶାଳୟ ଉପରେ ଚାପକୁ ଦେଖି ଛାନିଆ ହୋଇଯାଇଥିଲେ ଜିତୁ । କାରଣ ଅଧିକ ଖୋଳତାଳରେ ତାଙ୍କ ନାଁ ସାମ୍ନାକୁ ଆସିବ । ଖାଲି ତାଙ୍କ ନାଁ ନୁହେଁ, ବହୁ ବିଜେଡି ନେତା ତଥା ସରକାରୀ ଅଧିକାରୀ ଏଥିରେ ଭିତରକୁ ଟଣାହେବେ ।

ସେପଟେ ହିମାଂଶୁଙ୍କ ଚିଠି ପରେ ବହୁ ଖଣି ବନ୍ଦ ହୋଇଯାଇଛି । ଏବେ ପୁଣି ଖଣି ସଚିବ ଜିଲ୍ଲାପାଳ ତଥା ଖଣି ନିର୍ଦ୍ଦେଶକଙ୍କୁ ତୁରନ୍ତ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବେଆଇନ ଖଣିର ଗୁମର ଖୋଲିଲେ ପ୍ରଣବ ବଳବନ୍ତ ରାୟ ଯେ, ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ ଧର୍ମଶାଳାର ସବୁ ବେଆଇନ ଖଣି ଖନନ ସହ ଜଡିତ ଅଛନ୍ତି ସେହି କଥା ସାର୍ବଜନୀନ ହୋଇଯିବ । ସରକାର ଏହା ଉପରେ ଆକ୍ସନ ମଧ୍ୟ ନେଇପାରନ୍ତି । ଏମିତି ହେଲେ ଝାରପଡା ଯେ ପରବର୍ତ୍ତି ଠିକଣା ହେବାନି ବଳବନ୍ତଙ୍କର ତାହାକୁ ଏଡାଇ ଦିଆଯାଇ ନ ପାରେ ।

 

Get real time updates directly on you device, subscribe now.