fbpx

ମୃତ୍ୟୁର ୩ ବର୍ଷ ପରେ କୋର୍ଟ ଦେଲେ ତଦନ୍ତ ନିର୍ଦ୍ଦେଶ, ଜୀଇଁ ଉଠିଲା ମଲା ବୋହୂ

ଗୋଣ୍ଡା: ଦୀର୍ଘ ୩ ବର୍ଷ ପରେ ମରିଯାଇଥିବା ମହିଳାଙ୍କୁ ପୋଲିସ ପ୍ରେମିକ ଘରୁ ଠାବ କରିଛି । ମହିଳା ନିଖୋଜ ହେବା ପରେ  ଶାଶୂଘର ଓ ବାପଘର ଲୋକ ପରସ୍ପର ଉପରେ ହତ୍ୟା ଓ ଅପହରଣ ଅଭିଯୋଗ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ପୋଲିସ ଘଟଣାର ଛାନଭିନ କରି ମହିଳାଙ୍କୁ ଠାବ କରିଛି । ଘଟଣାଟି ଘଟିଛି ଉତ୍ତରପ୍ରଦେଶରେ । ଲକ୍ଷ୍ନୌରୁ ମହିଳାଙ୍କୁ ଠାବ କରାଯାଇଥିବା ସୂଚନା ଦେଇଛି ପୋଲିସ ।

ପୋଲିସ ମୁତାବକ, ୨୩ ବର୍ଷୀୟା କବିତା ୨୦୧୭ରେ ଦାଦୁହା ବଜାରର ବିନୟ କୁମାରଙ୍କୁ ବିବାହ କରିଥିଲେ । ୨୦୨୧ ମେ ମାସରେ ସେ ଶ୍ୱଶୂର ଘରୁ ନିଖୋଜ ହୋଇଯାଇଥିଲେ । ଘଟଣାକୁ ନେଇ କବିତାଙ୍କ ପରିବାର ଲୋକ ଥାନାରେ କବିତାଙ୍କ ସ୍ୱାମୀ, ଶାଶୂ, ନଣନ୍ଦ ଓ ଦିଅରଙ୍କ ନାଁରେ ହତ୍ୟା ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି କିଛି ପାଇ ନ ଥିଲା । ପରେ ୨୦୨୨ରେ କବିତାଙ୍କ ସ୍ୱାମୀଙ୍କ ତରଫରୁ ଏକ ମାମଲା କବିତାଙ୍କ ଭାଇ ଓ ଅନ୍ୟ ୫ ଜଣଙ୍କ ନାଁରେ ହୋଇଥିଲା । ସେ ଅଭିଯୋଗ କରିଥିଲେ କି, କବିତାଙ୍କ ଭାଇ ଓ ଅନ୍ୟମାନେ ମିଶି କବିତାଙ୍କୁ ଅପହରଣ କରି ନେଇଥିଲେ ।

ପରବର୍ତ୍ତୀ ସମୟରେ ମାମଲା ହାଇକୋର୍ଟକୁ ଯାଇଥିଲା । କୋର୍ଟ ମାମଲାରେ ପୋଲିସଠାରୁ  ରିପୋର୍ଟ ମାଗିଥିଲେ । ପୋଲିସ ଘଟଣାରେ ତଦନ୍ତକୁ ବ୍ୟାପକ କରିବା ସମୟରେ ଗତ ସୋମବାର ଦିନ କବିତାଙ୍କୁ ଲକ୍ଷ୍ନୌର ଗୋଣ୍ଡା ଅନ୍ତର୍ଗତ ଦୁର୍ଜନପୁର ବଜାରରୁ ଠାବ କରିଥିଲା । କବିତା ସେଠି ତାଙ୍କ ପ୍ରେମିକ ସତ୍ୟନାରାୟଣଙ୍କ ସହ ରହୁଛନ୍ତି । ସତ୍ୟନାରାୟଣ ଦୁର୍ଜନପୁରରେ ଏକ ଦୋକାନ ଦେଇଛନ୍ତି ଓ କବିତା ଅଧିକାଂଶ ସମୟରେ ଦୋକାନକୁ ଆସୁଥିବା ବେଳେ ପୋଲିସ ନଜରକୁ ଆସିଥିଲେ ।

ତେବେ  କବିତା କହିଛନ୍ତି କି, ସେ ସତ୍ୟନାରାୟଣଙ୍କ ସହ ଘର ଛାଡିବା ପରେ ଅଯୋଧ୍ୟା ଚାଲିଯାଇଥିଲେ । ସେଠି ପ୍ରାୟ ଏକ ବର୍ଷ ରହିବା ପରେ ସେମାନେ ଲକ୍ଷ୍ନୌ ଚାଲିଆସିଥିଲେ ଓ ସେଠି ଏକ ଦୋକାନ ଦେଇ ସତ୍ୟନାରାୟଣ ରୋଜଗାର କରୁଛନ୍ତି । ପୋଲିସ କବିତାଙ୍କ ମେଡିକାଲ ପରୀକ୍ଷା କରିବା ପରେ କୋର୍ଟଙ୍କ ସମ୍ମୁଖରେ ଉପସ୍ଥିତ କରିବ ବୋଲି କହିଛନ୍ତି ପୋଲିସ ଏସପି ।

Get real time updates directly on you device, subscribe now.