fbpx

ପ୍ରେମ ପାଇଁ ବେଖାତିର କଲେ ସମାଜର ନିୟମ, ଅନ୍ୟ ଧର୍ମରେ ବିବାହ କରି ଚର୍ଚ୍ଚାରେ ବଲିଉଡର ଏହି ଅଭିନେତ୍ରୀ

ଓଡ଼ିଶା ଭାସ୍କର: ପ୍ରେମ ଏକ ସୁନ୍ଦର ଅନୁଭୂତି । ପ୍ରେମ ଯେ କେତେବେଳେ, କାହାକୁ, କେଉଁଠି ଓ କାହା ସହ ହୋଇଯିବ କେହି ଜାଣିନଥାନ୍ତି । ସମାଜରେ ପ୍ରେମ ବିବାହକୁ ନେଇ ପ୍ରତିବନ୍ଧକ ରହିଛି । ଏହା ସତ୍ତ୍ୱେ ଅଧିକାଂଶ ବ୍ୟକ୍ତି ସେମାନଙ୍କ ମନର ମଣିଷ ସହ ଜୀବନ ବିତାଇବା ପାଇଁ ସମାଜର ବନ୍ଧନକୁ ପଛରେ ଛାଡ଼ିଛନ୍ତି । ସିନେ ଦୁନିଆରେ ମଧ୍ୟ ଏଭଳି ଉଦାହରଣ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଚର୍ଚ୍ଚିତ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ ଯେଉଁମାନେ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ ।

୧. ହେମା ମାଲିନି: ହେମା ମାଲିନିଙ୍କ ଜନ୍ମ ତାମିଲ ବ୍ରାହ୍ମଣ ହିନ୍ଦୁ ପରିବାରରେ ହୋଇଥିଲା । ବଲିଉଡ଼ରେ ଡ୍ରିମଗାର୍ଲ ସାଜି ଦର୍ଶକଙ୍କ ମନ କିଣିଥିଲେ । ‘ତୁ ହସୀନ୍ ମୈ ଜୱାଁ’ ଫିଲ୍ମ ସୁଟିଂ ସମୟରେ ହେମା ମାଲିନି ଏବଂ ଧର୍ମେନ୍ଦ୍ରଙ୍କ ମଧ୍ୟରେ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏହା ପରେ ଧୀରେ ଧୀରେ ଉଭୟରେ ମଧ୍ୟରେ ଥିବା ଭଲପାଇବା ଗଭୀର ହେବାକୁ ଲାଗିଲା । ପ୍ରଥମ ପତ୍ନୀ ଛାଡ଼ପତ୍ର ଦେବାକୁ ମନା କରିବାରୁ ଧର୍ମେନ୍ଦ୍ର ଇସଲାମ ଧର୍ମ ଆପଣାଇଥିଲେ । ଏହା ପରେ ସେ ଦିଲାୱର ଖାନ୍ ଓ ହେମା ମାଲିନି ଆୟେଶା ଚକ୍ରବର୍ତ୍ତି ନାଁ ପରିବର୍ତ୍ତନ କରି ୧୯୭୯ରେ ବିବାହ କରିଥିଲେ । ଏହା ପରେ ଉଭୟଙ୍କ ୨ଟି କନ୍ୟା ସନ୍ତାନ ଇଶା ଏବଂ ଆହାନାର ମାତା ପିତା ହେବାର ସୌଭାଗ୍ୟ ଅର୍ଜନ କଲେ ।

୨. ଶର୍ମିଲା ଟାଗୋର: ବଙ୍ଗୀୟ ହିନ୍ଦୁ ପରିବାରର ଝିଅ ଥିଲେ ଶର୍ମିଲା ଟାଗୋର । ତାଙ୍କୁ ନୱାବ ମନସୁର ଅଲି ଖାନ ପଟୌଦୀଙ୍କ ସହ ପ୍ରେମ ହୋଇଥିଲା । ଏକ କମନ୍ ଫ୍ରେଣ୍ଡ୍ ମାଧ୍ୟମରେ ଉଭୟ ପରସ୍ପରକୁ ଭେଟିଥିଲେ । ଧିରେ ଧିରେ ସମ୍ପର୍କ ବଢ଼ିଲା ଓ ଦୁହେଁ ବିବାହ କରିବାକୁ ମନସ୍ଥ କଲେ । ଏହା ପରେ ଶର୍ମିଲା ମନସୁରଙ୍କୁ ବିବାହ କରିବା ପାଇଁ ଇସଲାମ ଧର୍ମ ଆପଣାଇଥିଲେ । ସୈଫ ଅଲି ଖାନ ଓ ସୋହା ଅଲି ଖାନ୍ ଏମାନଙ୍କ ସନ୍ତାନ ।

୩. ଅମୃତା ସିଂହ: ଅମୃତା ସିଂହଙ୍କ ଜନ୍ମ ଏକ ଶିଖ୍ ପରିବାରରେ ହୋଇଥିଲା । ତାଙ୍କ ମା ଜଣେ ମୁସଲମାନ ଥିବା ବେଳେ ପିତା ଥିଲେ ଶିଖ୍ । ସୈଫ୍ ଅଲି ଖାନଙ୍କୁ ବିବାହ କରିବା ପାଇଁ ସେ ଇସଲାମ ଧର୍ମ ଆପଣାଇଥିଲେ । କହିରଖୁଛୁ ଅମୃତା ସିଂହ ସୈଫଙ୍କ ଠାରୁ ୧୨ ବର୍ଷ ବଡ଼ ଥିଲେ । ଏହା ପରେ ଉଭୟ ସାରା ଓ ଇବ୍ରାହିମଙ୍କ ମାତା ପିତା ହେଲେ । କିନ୍ତୁ କିଛି ବର୍ଷ ପରେ ଦୁହିଙ୍କ ଛାଡ଼ପତ୍ର ହୋଇଥିଲା ।

୪. ଆୟେଶା ଟାକିଆ: ବଲିଉଡର ‘ଟାର୍ଜନ ଗର୍ଲ’ ଭାବେ ପରିଚିତ ଅୟେଶା ଟାକିଆ । ୨୦୦୯ରେ ସେ ତାଙ୍କ ବୟଫ୍ରେଣ୍ଡ ପରହାନ ଆଜମୀଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ । ତାଙ୍କ ସ୍ୱାମୀ ଜଣେ ବଡ଼ ବିଜନେସମ୍ୟାନ୍ । ତେବେ ବିବାହ ପରେ ଆୟେଶା ଲାଇମଲାଇଟରୁ ଦୂରେଇ ଯାଇଥିଲେ ।

୫. ଦିବ୍ୟା ଭାରତୀ: ୯୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ଭାବେ ବେଶ ପରିଚିତ ଥିଲେ ଦିବ୍ୟା ଭାରତୀ । ତାଙ୍କ ନିକ୍ଷୁଣ ଅଭିନୟର ଯାଦୁ ଦର୍ଶକଙ୍କୁ ଘାଇଲା କରିଥିଲା ଓ ଖୁବ କମ୍ ସମୟରେ ସେ ଖାତି ଅର୍ଜନ କରିଥିଲେ । ଏହା ପରେ ସେ ସବୁଠାରୁ ଅଧିକ ଫିସ୍ ନେବା ଅଭିନେତ୍ରୀଙ୍କ ତାଲିକାରେ ସାମିଲ ହୋଇଗଲେ । ସେ ପ୍ରଯୋଜକ ସାଜିଦ ନାଦିଆଡୱାଲାଙ୍କୁ ଲୁଚି ବିବାହ କରିଥିଲେ । ଏଥିପାଇଁ ସେ ନିଜ ଧର୍ମ ପରିବର୍ତ୍ତନ କରିଥିଲେ ।

ସେହିପରି ନରଗିସ୍ ଦତ୍ତ, ହେଜଲ କିଚ୍‌, ଉର୍ମିଲା ମାତୋଣ୍ଡକର ଆଦି ଅଭିନେତ୍ରୀ ନିଜ ପ୍ରେମକୁ ପାଇବା ପାଇଁ ଧର୍ମ ପରିବର୍ତ୍ତନ କରିଥିଲେ । ଭଲପାଇବା ଧର୍ମର ଉର୍ଦ୍ଧ୍ୱରେ ବୋଲି ଏହି ଅଭିନେତ୍ରୀମାନେ ପ୍ରମାଣ କରିଛନ୍ତି ।

Get real time updates directly on you device, subscribe now.