fbpx

ସେଦିନର କାଳ ରାତ୍ରୀ, ଦଶହରାରେ ଭାରତ ଦେଖିଥିଲା ମୃତ୍ୟୁର ତାଣ୍ଡବ: ଆଜି ବି ଝୁରୁଛନ୍ତି ପରିବାର

ଓଡ଼ିଶା ଭାସ୍କର: ଦଶହରା ପର୍ବରେ ସତ୍ୟର ବିଜୟକୁ ପାଳନ କରାଯାଏ । ସାରା ଦେଶରେ ରାବଣ, ମେଘନାଦ ଏବଂ କୁମ୍ଭକର୍ଣ୍ଣ ରୂପରେ ଅନ୍ୟାୟ, ଅତ୍ୟାଚାର ଏବଂ ପାପର ଦହନ କରାଯାଇଥାଏ । ସମଗ୍ର ଦେଶରେ ଦଶହରାରେ ଖୁସି ଓ ଆନନ୍ଦ ଉଲ୍ଲାସରେ ଭରିଯାଏ । କିନ୍ତୁ ଭାରତ ଇତିହାସରେ ଦଶହରାର ଗୋଟିଏ ରାତି କାଳ ରାତ୍ରୀ ପାଲଟିଯାଇଛି । ସେଦିନ ସାରା ଭାରତ ଦେଖିଥିଲା ମୃତ୍ୟୁର ଏକ ଭୟଙ୍କର ତାଣ୍ଡବ । ମା’ ଦଶଭୂଜାଙ୍କ ପୂଜାରେ ଲୀନ ଥିବା ଭକ୍ତ ମାତ୍ର କେଇଟା ମୁହୂର୍ତ୍ତରେ ପଞ୍ଚଭୂତରେ ବିଲୀନ ହୋଇ ଯାଇଥିଲେ । ମା’ଙ୍କ ଭଜନ ଗାଉ ଗାଉ ଦେହ ଛାଡ଼ି ଚାଲି ଯାଇଥିଲା ପ୍ରାଣପକ୍ଷୀ । ଭକ୍ତିରସରେ ହଜି ଯାଇଥିବା ଦେବୀ ମା’ଙ୍କ ୫୯ ଜଣ ଭକ୍ତଙ୍କ ଉପରେ ଚଢି ଚାଲି ଯାଇଥିଲା ଲୌହଦାନବ । ଆଉ ଆଜି ବି ଦଶହରା ଆସିଲେ ସେଦିନର ସେ ଅଶୁଭ ରାତି ସମସ୍ତଙ୍କ ଆଖିରେ ନାଚି ଉଠେ ।

ସେଦିନ ଥିଲା ଅକ୍ଟୋବର ୧୯ ତାରିଖ, ୨୦୧୮… ଆଜି ଭଳି ଏମିତି ଖୁସିରେ ମା’ ଦୁର୍ଗାଙ୍କ ଆବାହନ ଚାଲିଥାଏ । ଦେବୀଙ୍କ ଆଗମନରେ ସବୁଆଡ଼େ ଭଜନ-କୀର୍ତ୍ତନ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମି ଉଠୁଥିଲା ସାରା ଭାରତ । ଅମୃତସର ସହରରେ ବି ହସଖୁସିରେ ଚାଲିଥିଲା ଦୁର୍ଗା ମା’ଙ୍କ ପୂଜା ଆରାଧନା । କିନ୍ତୁ ହଠାତ୍ ଯେମିତି ଏକ ଝଡ଼ ମାଡ଼ି ଆସିଲା ଆଉ କେଇଟା ମୁହୂର୍ତ୍ତରେ ସବୁକିଛି ଓଲଟ ପାଲଟ କରିଦେଲା । ଚାହୁଁ ଚାହୁଁ ଦଶହରା ପଡ଼ିଆ ସତେ ଯେମିତି ଗୋଟି, ଶ୍ମସାନ ପାଲଟି ଯାଇଥିଲା । ସବୁଠି ରକ୍ତ ଛିଟା, ଚାରିଆଡ଼େ ଖଣ୍ଡବିଖଣ୍ଡିତ ଶରୀର । ଲୌହ ଦାନବ ତଳେ ଚାଲି ଯାଇଥିଲା ମା’ ମହାମାୟୀଙ୍କ ୫୯ ଜଣ ଭକ୍ତଙ୍କ ଜୀବନ ।

ଦୁର୍ଗାପୂଜା ସମାରୋହରେ ସାମିଲ ହୋଇଥିଲେ ତତ୍କାଳୀନ ସାଂସଦ ନବଜୋତ କୌର ସିଦ୍ଧୁ । ବାସ୍ ଏଇଠି ଆରମ୍ଭ ହୋଇଗଲା ଲୋକଙ୍କ ଭିଡ଼ । ଭିଡ଼ ବଢିବାରୁ ଧିରେ ଧିରେ ଲୋକେ ନିକଟସ୍ଥ ଟ୍ରେନ ଟ୍ରାକରେ ପହଞ୍ଚି ଯାଇଥିଲେ । କିନ୍ତୁ ଏହି ଟ୍ରେନ ଟ୍ରାକରେ ଲୁଚି ବସିଥିଲା କାଳ ଯମ । ଧିରେ ଧିରେ ଅନ୍ଧାର ବଢିଲା ଆଉ ଏତେ ଭିଡ଼ ଭିତରେ ବି କିଛି ଦେଖା ଯାଉନଥିଲା । କିନ୍ତୁ ଏହି ସମୟରେ ହଠାତ୍ ଏକ ଟ୍ରେନ ଜୋରଦାର ହର୍ଣ୍ଣ ବଜାଇ ମାଡ଼ି ଆସିଲା । କିନ୍ତୁ ପୂଜା ଉତ୍ସବରେ ବାଜୁଥିବା ଲାଉଡ ସ୍ପିକର ଯୋଗୁଁ ଏହି ହର୍ଣ୍ଣ ଶୁଣି ପାରିଲେ ନାହିଁ । ଏହାପରେ ସମସ୍ତଙ୍କ ମନରେ ଛାନିଆ ଦେଖା ଦେଇଥିଲା, ତେଣୁ ଏଣେତେରେ ଦୌଡ଼ି ଯିବାକୁ ଚେଷ୍ଟା କରିଥିଲେ ସେମାନେ । କିନ୍ତୁ ପ୍ରବଳ ଭିଡ଼ ଯୋଗୁଁ ଅନେକ ଲୋକ ସେଠାରୁ ପାଦେ ବି ଘୁଞ୍ଚି ପାରିନଥିଲେ ।

କିଛି ସମୟ ପରେ ଟ୍ରେନ ସେହି ରାସ୍ତା ଦେଇ ଚାଲିଗଲା । ବାସ୍ ଏହାପରେ ଟ୍ରେନ ଟ୍ରାକରେ ବିଛାଡ଼ି ହୋଇ ପଡ଼ିଥିଲା ମୃତଦେହ । ଚାରି ଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା ଖଣ୍ଡ ବିଖଣ୍ଡିତ ଶରୀର ଆଉ ରକ୍ତର ଛିଟା । ଦଶହରାର ଉତ୍ସବ କେଇ କ୍ଷଣରେ ଶୋକରେ ବଦଳି ଯାଇଥିଲା । ଭଜନ କୀର୍ତ୍ତନ ଗୋଟିଏ ମୁହୂର୍ତ୍ତରେ ହିଁ ଚିତ୍କାର ଆଉ କାନ୍ଦରେ ପରିଣତ ହୋଇ ଯାଇଥିଲା । ୫୯ ଜଣ ଭକ୍ତଙ୍କ ପ୍ରାଣ ନେଇ ଚାଲି ଯାଇଥିଲା ସେହି ଲୌହଦାନବ । ତେବେ ମୃତକଙ୍କ ବ୍ୟତୀତ ଆହତ ହୋଇଥିବା ଲୋକମାନଙ୍କୁ ଉଦ୍ଧାର କରି ମେଡିକାଲ ପଠାଯାଇଥିଲା । ଦଶହରା ଭଳି ଦିନରେ ଏଭଳି ଏକ ଘଟଣା ଆଜି ବି ସାରା ଦେଶ ପାଇଁ ଏକ କାଳ ରାତ୍ରୀ ଭାବରେ ରହିଛି । କିନ୍ତୁ ଏ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଆଜି ବି ଭୟଙ୍କର ଦୃଶ୍ୟକୁ ଭୁଲି ପାରିନାହାନ୍ତି । ଆଜି ବି ମନେ ପଡ଼ିଗଲେ ଛାତି କାନ୍ଦି ଉଠୁଛି ଏବଂ ଲୋମ ଟାଙ୍କୁରି ଉଠୁଛି । ଆଜି ବି ହୃଦୟକୁ ଥରାଇ ଦେଉଛି ସେହି ରାତିର ଭୟଙ୍କର ଦୁର୍ଘଟଣା ।

Get real time updates directly on you device, subscribe now.