ମୁରବୀ ବିହୀନ ବିଜେଡି, କଥା ଦାଣ୍ଡରେ ପଡି ହାଟରେ ଗଡ ଗଡେଇଲାଣି

ଭୁବନେଶ୍ୱର: ବିଜେଡିରେ ଏ କଣ ଚାଲିଛି । ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟଙ୍କୁ ଦଳର ମୁଖପାତ୍ର ଦେଖାଉଛନ୍ତି ବାହାରର ରାସ୍ତା । ତାଙ୍କ ରହିବା ନ ରହିବା ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ କହୁଛନ୍ତି ମୁଖପାତ୍ର । ଆଜି ବିଜେଡିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ନେତା ଅମର ଶତପଥୀଙ୍କ ଉଦ୍ଦେଶ୍ୟରେ ମୁଖପାତ୍ର ଲେନିନ ମହାନ୍ତି ଦେଇଥିବା ବୟାନକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା । ଦଳରେ ଏ କଣ ଚାଲିଛି? ଏହା କଣ ଦଳର ଶୃଙ୍ଖଳା? ବରିଷ୍ଠଙ୍କ ପ୍ରତି ସମ୍ମାନ? କଣ ନବୀନ ଦଳର ନେତୃତ୍ୱ ଅନ୍ୟ କାହାକୁ ହସ୍ତାନ୍ତର କରିଛନ୍ତି? ଏମିତି ପ୍ରଶ୍ନ ଜନତାଙ୍କ ମଧ୍ୟରେ ମୁଣ୍ଡ ଟେକିଛି ।

ପୂର୍ବରୁ ବିଜେଡି ଏକ ଶୃଙ୍ଖଳିତ, ଅନୁଶାସିତ ଦଳ ବୋଲି ଦଳୀୟ ନେତା ଅନେକ ସମୟରେ ଡିଣ୍ଡିମ ପିଟୁଥିଲେ । ଅନ୍ୟ ଦଳରେ ଆଭ୍ୟନ୍ତରୀଣ କଳିକୁ ନେଇ ନିଜ ଦଳକୁ ସବୁଠାରୁ ଉପରେ ଥୋଇଦେଉଥିଲେ । ଦଳରେ ନେତା ଜଣେ, ନେତୃତ୍ୱ ଜଣଙ୍କର । ମୁଖିଆଙ୍କ ନିଷ୍ପତି ସର୍ବୋପରେ । ଏମିତି ଅନେକ କିଛି କହୁଥିଲେ ଦଳୀୟ ନେତାମାନେ । କିନ୍ତୁ ଦଳର ବିପର୍ଯ୍ୟୟକୁ ମାସ ଛଅଟା ନ ହେଉଣୁ ଦଳର ନେତା ସେମାନଙ୍କ ପ୍ରକୃତ ରୂପ ଦେଖାଇବା ଆରମ୍ଭ କରିଛନ୍ତି । କେତେ ବିଶୃଙ୍ଖଳିତ ଓ ମୁରବିବିହୀନ ଦଳ ବିଜେଡି ତାହା ଦାଣ୍ଡରେ ପଡି ହାଟରେ ଗଡଗଡେଇଲାଣି ।

ଦଳ ହାରିବା ପରେ ଅନେକ ନେତା ପରସ୍ପର ବିରୋଧରେ ଅନେକ କିଛି କହିଛନ୍ତି ଓ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛିା ହେଲେ ଆଜି ବରିଷ୍ଠ ମୁଖପାତ୍ର ଲେନିନ ମହାନ୍ତି ସବୁ ସୀମା ପାର କରିଯାଇଛନ୍ତି । ଦଳର ପରାଜୟ ପାଇଁ ଅମର ଶତପଥୀ ମୁଖିଆଙ୍କୁ ତାର ଦୋଷ ମୁଣ୍ଡାଇବାକୁ କହିବା ହୁଏତ ଭାରି ବାଧିଚି ମହାନ୍ତି ବାବୁଙ୍କୁ ବୋଲି ଲୋକେ କହୁଛନ୍ତି । ସେଥିପାଇଁ ବରିଷ୍ଠଙ୍କ ପ୍ରତି କେମିତି ବ୍ୟବହାର କରାଯାଏ ତାହା ସେ ଭୁଲିଯାଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ।

ଅମର ଦଳର ଜଣେ ପ୍ରତିଷ୍ଠାତା ସଦସ୍ୟ । ଦଳର ପରାଜୟ ତାଙ୍କୁ ବ୍ୟଥିତ କରିଛି । ତେଣୁ ସେ ତାଙ୍କ ସୁପ୍ରିମୋଙ୍କୁ ଅଭିମାନରେ କିଛି କହିଥିଲେ । କିନ୍ତୁ ସୁପ୍ରିମୋ ତାର ଉତ୍ତର ଦେବା ବଦଳରେ ଲେନିନ ତାଙ୍କୁ ଦଳ ଛାଡିବାକୁ କହିବା କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ କରୁଛନ୍ତି ଜନତା । ଏଥିସହ, ତଥାକଥିତ ଶୃଙ୍ଖଳିତ ଦଳରେ ଜଣେ ଶୃଙ୍ଖଳିତ ଓ ଅନୁଶାସନରେ ବନ୍ଧା ସଦସ୍ୟଙ୍କ ମୁହଁରୁ ବରିଷ୍ଠଙ୍କ ପରି ଏଭଳି ଶବ୍ଦ ଉଚାରଣ ଓ ଆଚରଣକୁ ଲୋକେ ଗ୍ରହଣ କରି ପାରୁନାହାନ୍ତି ।

ବିଜେଡି ମୁଖପାତ୍ର କହିଲେ, ଯଦି ଅମର ଅଣନିଶ୍ୱାସୀ ହୋଇଯାଉଛନ୍ତି ତେବେ ଦଳ ଛାଡିଦିଅନ୍ତୁ । ଶତପଥୀ ଦଳ ଛାଡିଲେ କୌଣସି ଫରକ ପଡିବ ନାହିଁ । ଯାହାକୁ ନେଇ ଲୋକେ କହୁଛନ୍ତି, ୨୪ ବର୍ଷ ଶାସନରେ ଥିବା ଦଳର ପରାଜୟରେ କଣ ଲେନିନ ଅଣନିଶ୍ୱାସୀ ହୋଇନାହାନ୍ତି ? ଏହା ତାଙ୍କୁ କଣ ବ୍ୟଥିତ କରି ନାହିଁ? ଯଦି ବ୍ୟଥିତ କରିନାହିଁ ଓ ଭୁଲ ଖୋଜି ବାହାର କରିବାକୁ ଚାହୁଁନାହାନ୍ତି, ତେବେ ସେ ବିଜେଡି କଣ କୌଣସି ଦଳର ସଚ୍ଚା ସଦସ୍ୟ ନୁହଁନ୍ତି ।

ନିଜ ପରିବାରରେ ମଧ୍ୟ କିଛି ମାନବକୃତ ବା ଦୈବ କୃତ ସମସ୍ୟା ଉପୁଜିଲେ ଲୋକମାନେ ତାର କାରଣ ଖୋଜନ୍ତି । କେମିତି ଆଗକୁ ତାର ପୁନରାବୃତ୍ତି ନ ହେବ ସେ ପ୍ରତି ଧ୍ୟାନ ଦିଅନ୍ତି । କିନ୍ତୁ ବିଜେଡି ଘରର ମୁଖିଆ ବିପର୍ଯ୍ୟୟର କାରଣ ନ ଖୋଜିବା ବ୍ୟଥିତ କରିଥିଲା ଅମରଙ୍କୁ, ତେଣୁ ସେ ମୁଖିଆଙ୍କୁ ପ୍ରଶ୍ନ କରିଥିଲେ ଓ ତାଙ୍କର ଏହି ଅଧିକାର ରହିଛିା ହେଲେ ଯେତେବେଳେ କେହିି ଭୁଲ ବୁଝିବାକୁ ଚେଷ୍ଟା ନ କରେ, ଏହା ପ୍ରମାଣିତ କରିଥାଏ କି, ସେ ସେହି ସଂସ୍ଥା, ସଦସ୍ୟ ବା ସଂଗଠନ ସହ ହୃଦୟର ସହ ଜଡିତ ନାହାନ୍ତି । ଉପରଠାଉରିଆ ଭାବେ କାମ କରୁଛନ୍ତି ।

ଅମରଙ୍କୁ ମୁହଁ ତୋଡ ଜବାବ ଦେଇ ସେ ନବୀନଙ୍କର ନିକଟତର ହେବାକୁ ଚେଷ୍ଟା ଚଳାଇଛନ୍ତି ନା ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କର ବୋଲି ପ୍ରଶ୍ନ ହେଉଛି । ଲୋକଙ୍କ କଥା ହେଲା, ପାଣ୍ଡିଆନଙ୍କ ନେତୃତ୍ୱକୁ ଅମର ଗ୍ରହଣ କରିନାହାନ୍ତି । ତେଣୁ ଲେନିନ ଅମରଙ୍କ ସମ୍ମାନ ହାନୀ କରି ପାଣ୍ଡିଆନଙ୍କ ନୟନ ପିତୁଳା ପାଲଟି ଯିବେ ବୋଲି ତାତ୍ସଲ୍ୟ କରୁଛନ୍ତି ଲୋକେ ।

ସେହିପରି ଅମରଙ୍କ ଅନୁପସ୍ଥିତି ଦଳରେ ପ୍ରଭାବ ପକାଇବ କି ନାହିଁ ତାହା ବଡଚଣାରେ ଗତ ନିର୍ବାଚନ ଫଳାଫଳରୁ ସମସ୍ତଙ୍କ ଆଗରେ । ଏମିତି ଅବସ୍ଥାରେ ତାଙ୍କୁ ହେୟଜ୍ଞାନ କରିବା ଲେନୀନଙ୍କ ପରି ଜଣେ ନେତାଙ୍କୁ ଶୋଭା ଦେଉନାହିଁ । ଏହା ହୁଏତ ଲେନିନଙ୍କ ଅପରିପକ୍ୱତା ବୋଲି କୁହାଯାଉଛି । ତେଣୁ ବିଜେଡି ମୁଖିଆ, ଦଳର ସଦସ୍ୟଙ୍କୁ ଅନୁଶାସନର ପାଠ ପଢାଇବାକୁ ନବୀନଙ୍କୁ ହୃଦୟରେ ସାଇତି ଧରିଥିଲା ରାଜ୍ୟବାସୀ ପରାମର୍ଶ ଦେଉଛନ୍ତି ।

Get real time updates directly on you device, subscribe now.