ଦଳୀୟ କନ୍ଦଳ ନବୀନଙ୍କ ନେତୃତ୍ୱ ଉପରେ ଉଠାଉଛି ପ୍ରଶ୍ନ

ଭୁବନେଶ୍ୱର: ସମ୍ପ୍ରତି ବିଜେଡିରେ ଯାହା ଚାଲିଛି, ତାକୁ ନେଇ ରାଜ୍ୟବ୍ୟାପୀ ଦଳ ସୁପ୍ରିମୋଙ୍କ ନେତୃତ୍ୱ ଉପରେ ଉଠିଲାଣି ପ୍ରଶ୍ନ । ବିଜେଡିକୁ ଏକ ଶୃଙ୍ଖଳିତ, ଅନୁଶାସିତ ଦଳ ଓ ସୁପ୍ରିମୋଙ୍କୁ ଅନୁଶାସନ ପ୍ରିୟ କହୁଥିବା ଜନତାଙ୍କ ମଧ୍ୟରେ ଦେଖାଦେଲାଣି ଦ୍ୱନ୍ଦ୍ୱ । ପ୍ରତିଦିନ ଦଳୀୟ ନେତାଙ୍କ ଆଚାର, ବ୍ୟବହାରକୁ ନେଇ ତାଟକା ଜନତା । ସେପଟେ, ଏହାକୁ ନେଇ ରାଜନୈତିକ ସମୀକ୍ଷ ମଧ୍ୟ ନବୀନଙ୍କୁ ନେଇ ନୂଆ ନୂଆ କଥା କହୁଛନ୍ତି, ଯାହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସାଉଁଟୁଛି ।

କିଏ ନବୀନଙ୍କର ନେତୃତ୍ୱ ନେବାର ସାମର୍ଥ୍ୟ ନେବା କଥା କହୁଛନ୍ତି ତ ପୁଣି କେହି କହୁଛନ୍ତି ନବୀନ ଜଣେ ପରଜୀବୀ । ରାଜନୈତିକ ବିଶାରଦଙ୍କ ଏହି ବୟାନକୁ ଖଣ୍ଡନ ମଧ୍ୟ କରାଯାଇ ନ ପାରେ । କାରଣ ବିଜୁ ପଟ୍ଟନାୟକଙ୍କ ଦେହନ୍ତ ପରେ ଦଳ ଗଠନ ହୋଇଥିଲା । ପ୍ରଥମରୁ ହିଁ ବିଜେପି ନବୀନଙ୍କୁ ଅଯାଚିତ ସହଯୋଗ କରିଥିଲା । ବିଜେପି ସହଯୋଗରେ ରାଜ୍ୟରେ ୨୦୦୦ରୁ ସରକାର ଗଠନ କଲା ବିଜେଡି । ଦୁଇଟି ପାଳି ବିଜେପି ସହ ମିଶି ରାଜ୍ୟ ଶାସନ କରିବା ପରେ ବିଜେପି ମୁଣ୍ଡରେ ସଂଖ୍ୟାଲଘୁ ବିରୋଧୀର ଆଖ୍ୟା ଦେଇ ନିଜକୁ ଧର୍ମନିରପେକ୍ଷ ଦର୍ଶାଇଥିଲେ ନବୀନ ଓ ଏକାକୀ ସରକାର ଚଳାଇଥିଲେ ।

ସେତେବେଳକୁ ନବୀନ ସଭାପତି ହୋଇଥିଲେ ମଧ୍ୟ ପ୍ୟାରୀ ମୋହନ ମହାପାତ୍ର ବିଜେଡିର ଅଘୋଷିତ ନେତା ଥିଲେ । ପ୍ୟାରୀ ପ୍ରାୟ ୨୦୦୨ରୁ ଦଳର ମଙ୍ଗ ହାତକୁ ନେଇଥିଲେ । ସରକାର ଚଳାଇବାର ଅବିଜ୍ଞତା ପ୍ୟାରି ମଧ୍ୟ ଆହରଣ କରିସାରିଥିଲେ । ପ୍ୟାରୀଙ୍କ ଦିଗଦର୍ଶନରେ ୨୦୧୨ ଯାଏଁ ଦଳ ଚାଲିବା ପରେ ପ୍ୟାରୀଙ୍କୁ ଦଳୀୟ ନେତାମାନେ ଆପଣେଇ ନେବା ସହ ତାଙ୍କ ନେତୃତ୍ୱ ପ୍ରତି ଆନୁଗତ୍ୟ ଦେଖାଇବା ଆରମ୍ଭ କରିଥିଲେ, ଯାହା ନବୀନଙ୍କୁ ଅସୁରକ୍ଷିତ କରି ଦେଇଥିଲା ଭିତରେ ଭିତରେ । ତେଣୁ ପ୍ୟାରୀଙ୍କୁ ଦଳରୁ ଦଳ ବିରୋଧୀ କାମରେ ଲିପ୍ତ ଥିବାର କାଳିମା ଲଗାଇ ଦଳରୁ ବାହାର କଲେ ।

ଏହା ପରେ ଆରମ୍ଭ ହେଲା ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ଯୁଗ, ଯାହା ରାଜ୍ୟରେ ଚଳିତ ନିର୍ବାଚନ ପର୍ଯ୍ୟନ୍ତ ଚାଲିଥିବା ବେଳେ ଆଜି ମଧ୍ୟ ଦଳରେ ବଳବତ୍ତର ରହିଛି । ଆଜି ମଧ୍ୟ ପାଣ୍ଡିଆନ ଦଳ ଭିତରେ ସକ୍ରିୟ ରହିଛନ୍ତି । ତେଣୁ ତାଙ୍କ ସନ୍ୟାସ ବ୍ରତର ଘୋଷଣା ପରେ ମଧ୍ୟ ଅସନ୍ତୁଷ୍ଟ ତାଙ୍କୁ ଶାଣିତ ଆକ୍ରମଣ କରିବାର କୌଣସି ସୁଯୋଗ ହାତଛଡା କରୁନାହାନ୍ତି । ଯାହାକୁ ନେଇ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ହେଉ ବା ତାଙ୍କୁ ନେତା ମାନିଥିବା ଦଳର ନବାଗତମାନେ ବରିଷ୍ଠ ଓ ଅସନ୍ତୁଷ୍ଟଙ୍କୁ ଆକ୍ରମଣ କରିବାକୁ ଯାଇ ଦଳ ଓ ନବୀନଙ୍କ ଆଦର୍ଶ, ସିଦ୍ଧାନ୍ତକୁ ଧୂଆଁ କରିଦେଉଛନ୍ତି ।

ଦଳ ଭିତରେ ଏତେ ସବୁ ହେବା ପରେ ମଧ୍ୟ ଦଳ ସୁପ୍ରିମୋ ନିରବ । ଯାହା ଏବେ ରାଜନୈତିକ ବିଶାରଦଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ସେମାନଙ୍କ ମତରେ ନେତୃତ୍ୱ ନେବାର କ୍ଷମତା କେବେ ମଧ୍ୟ ନବୀନଙ୍କ ମଧ୍ୟରେ ନ ଥିଲା । ନବୀନ କେବଳ କ୍ଷମତାରେ ଥିବାରୁ ନେତା ନିଜ ସ୍ୱାର୍ଥ ହାସଲ କରିବାକୁ ଚୁପ ରହୁଥିଲେ । ଯଦି ନବୀନଙ୍କ ନେତୃତ୍ୱ ନେବାର କ୍ଷମତା ଥାଆନ୍ତା ତେବେ ଦଳ ଭିତରେ ରାଜ୍ୟବ୍ୟାପୀ ବିଶୃଙ୍ଖଳା, ପରସ୍ପର ବିରୋଧୀ ବୟାନବାଜି ହେଉନଥାନ୍ତା ।

 

Get real time updates directly on you device, subscribe now.