ସାମ୍ନାକୁ ଆସୁଛି ଡିଜିଟାଲ୍ ଡିମେନ୍ସିଆ ପରି ସମସ୍ୟା: ଜାଣନ୍ତୁ ଏହାର ଲକ୍ଷଣ ଓ ବର୍ତ୍ତିବାର ଉପାୟ

ଆଜିକାଲି ଲୋକମାନେ ଅଧିକାଂଶ ସମୟ ଟେକ୍ନୋଲୋଜିର ଆଖାପାଖରେ ବିତାଉଛନ୍ତି । ବିଶେଷକରି ମୋବାଇଲ୍, ଲାପଟପ୍ ଆମ ଜୀବନଶୈଳିର ଅଭିନ୍ନ ଅଙ୍ଗ ହୋଇପଡିଲାଣି । ଅଫିସ୍ଠାରୁ ଆରମ୍ଭ କରି ଘର ପର୍ଯ୍ୟନ୍ତ କୌଣସି ନା କୌଣସି କାରଣରୁ ସ୍କ୍ରିନ୍ ବ୍ୟବହାରର ଗୁରୁତ୍ୱ ବଢିଚାଲିଛି । ତେଣୁ ଡିଜିଟାଲ୍ ଡିମେନ୍ସିଆ ହେବା ଖୁବ୍ ସାଧାରଣ ହୋଇପଡିଲାଣି ।

ଏହାର ଲକ୍ଷଣ ଓ ନିରାକରଣର ଉପାୟ :-

ଏବେ ସ୍କ୍ରିନ୍ ଓ ଟୋକ୍ନୋଲୋଜିର ପ୍ରଭାବ ସମାଜକୁ କବଳିତ କରି ରଖିଛି । ଆଜିକାଲି ପିଲାଠାରୁ ଆରମ୍ଭ କରି ବଡ଼ ଯାଏ ପ୍ରାୟ ସମସ୍ତେ ପରିବାର ଓ ସମ୍ପର୍କଠାରୁ ଦୂରେଇପାରିବେ କିନ୍ତୁ ସ୍କ୍ରିନ୍ଠାରୁ ନୁହେଁ । ଏବେ ସ୍କ୍ରିନ୍ ଟାଇମ୍ ଏକ ଆଡିକ୍ସନ୍ ହୋଇପଡିଲାଣି । ଏଥିରୁ ବାହାରିବା ପାଇଁ ଅନେକ କଠୋର କଟକଣା ଆପଣାଇବାକୁ ପଡୁଛି । ବଢୁଥିବା ସଚେତନତା କାରଣରୁ ପ୍ରାୟ ଲୋକ ସ୍କ୍ରିନ୍ ଟାଇମ୍ କ୍ଷତିକାରକ ବୋଲି ଜାଣିଛନ୍ତି । ଏହା ମସ୍ତିଷ୍କ ଓ ଆଖି ଉପରେ ନକାରାତ୍ମକ ପ୍ରଭାବ ପକାଉଛି ଜାଣିବା ସତ୍ତେ୍ୱ ମଧ୍ୟ ତା’ କବଳରୁ ନିଜକୁ ଦୂରେଇ ପାରୁନାହାନ୍ତି । ବିଶେଷଜ୍ଞଙ୍କ କହିବା କଥା ଏହି କାରଣରୁ ଡିଜିଟାଲ୍ ଡିମେନ୍ସିଆ ପରି ସମସ୍ୟା ସାମ୍ନାକୁ ଆସୁଛି ।

ଡିମେନ୍ସିଆ କ’ଣ ?

ଏହା ବ୍ରେନ୍ ଡିଜଅର୍ଡରର ଏକ ସମୂହ, ଯେଉଁଥିରେ ଅନେକ ପ୍ରକାରର ଲକ୍ଷଣ ଦେଖା ଦେଇଥାଏ । ଯେପରିକି ସ୍ମୁତିଶକ୍ତି ହ୍ରାସ, ନିଷ୍ପତି ନେବାର କ୍ଷମତା ହ୍ରାସ, ବ୍ୟକ୍ତିତ୍ୱରେ ପରିବର୍ତ୍ତନ ଏବଂ ନିୟମିତ ଦିନଚର୍ଯ୍ୟାରେ ସମସ୍ୟା ଅନୁଭବ କରିବା ଆଦିକୁ ଡିମେନ୍ସିଆ କୁହାଯାଏ ।

କାହିଁକି ହୁଏ ଡିଜିଟାଲ୍ ଡିମେନ୍ସିଆ ?

ସ୍ମାର୍ଟଫୋନ୍ର ମାତ୍ରାଧିକ ବ୍ୟବହାର କାରଣରୁ ବ୍ରେନ୍ର ସକ୍ରିୟତା କ୍ରମଶଃ କମିଚାଲେ । ମସ୍ତିଷ୍କରେ ଥିବା ଏକ ପ୍ରକାରର ସେନ୍ସରରେ ମିସ୍-ମ୍ୟାଚ୍ ହୋଇଥାଏ । ଏହା ଟେକ୍ନୋଲୋଜି, ଫୋନ୍ ଓ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ଅଧିକ ସମୟ ବସିବା କାରଣରୁ ହୋଇଥାଏ । ଯେଉଁଥିରେ ଡିମେନ୍ସିଆର ଲକ୍ଷଣ ଅନୁଭବ ହୋଇଥାଏ । ଏହାକୁ ଡିଜିଟାଲ୍ ଡିମେନ୍ସିଆ କୁହାଯାଏ । ଦିନକୁ ୪ ଘଣ୍ଟାରୁ ଅଧିକ ସମୟ ଫୋନ୍, ଲାପଟପ୍ ଓ କମ୍ପ୍ୟୁଟର ଆଦି ବ୍ୟବହାର କରିବା କାରଣରୁ ଡିଜିଟାଲ୍ ଡିମେନ୍ସିଆ ହେବାର ଆଶଙ୍କା ବଢିଥାଏ । ଏହି ସମସ୍ୟା କେବଳ ବଡ଼ମାନଙ୍କୁ ପ୍ରଭାବିତ କରି ନଥାଏ, ବରଂ ପିଲାମାନେ ମଧ୍ୟ ସମ ପରିମାଣରେ ପ୍ରଭାବିତ ହୋଇଥାନ୍ତି ।

ଲକ୍ଷଣ

କିଛି ସମୟ ପାଇଁ ସ୍ମୁତିଶକ୍ତି ହ୍ରାସ ପାଇବା
କିଛି ଜିନିଷକୁ ସହଜରେ ଭୁଲିଯିବା କିମ୍ବା ହଜେଇଦେବା
କିଛି ଶବ୍ଦ ବା କଥାକୁ ମନେ ପକାଇବାରେ ସମସ୍ୟା ହେବା
ମଲ୍ଟି ଟାକ୍ସିଂ କରିବାରେ ସମସ୍ୟା ହେବା
ପ୍ରତ୍ୟେକ କାମ ପାଇଁ ଗୁଗଲ୍ର ବ୍ୟବହାର କରିବା ଦ୍ୱାରା ନିଜର ଫୋନ୍ ନମ୍ବର ମଧ୍ୟ ମନେ ରଖିବାରେ ଅକ୍ଷମତା ପ୍ରକାଶ ପାଇବା ସହ ବଡ଼ କାମ ଉପରେ ଫୋକସ୍ କରିବା ସମ୍ଭବ ହୋଇ ନଥାଏ ।
ପିଲାମାନଙ୍କ ଭିତରେ ଭାଷାକୁ ଗ୍ରହଣ କରିବା କ୍ଷମତା କମ୍ ରହିବା, ମସ୍ତିଷ୍କର ସକ୍ରିୟତା କମିବା ଏବଂ ନିଷ୍କ୍ରିୟ ଭାବେ ବସି ରହିବା ଦ୍ୱାରା ମାନସିକ ଓ ଶାରିରୀକ ବିକାଶରେ ବାଧା ଉତ୍ପନ୍ନ ହୋଇଥାଏ ।
ସୁରକ୍ଷା

-ଏହି ଡିଜିଟାଲ୍ ଡିମେନସିଆ ସମସ୍ୟାରୁ ବାହାରିବା ଅସମ୍ଭବ ନୁହେଁ । କିନ୍ତୁ ଏଥିପାଇଁ ନିଜର ପ୍ରୟାସ ରହିବା ଆବଶ୍ୟକ । ଯେପରିକି

-ରାତିରେ ଶୋଇବା ପୂର୍ବରୁ ଓ ସକାଳେ ଉଠିବା ପରେ କିଛି ସମୟ ପର୍ଯ୍ୟନ୍ତ ମୋବାଇଲ୍ ନ ଛୁଇଁବାର ପ୍ରତିଶ୍ରୁତି ରଖନ୍ତୁ ।

-ମେଣ୍ଟାଲ ମ୍ୟାଥ୍ ସମସ୍ୟାକୁ ସମାଧାନ କରିବା, ସୁଡୋକୋ ଓ ଚେସ୍ ଆଦି ପରି ବ୍ରେନ୍ ଗେମ୍ ଖେଳିବା ଦ୍ୱାରା ମସ୍ତିଷ୍କର ନିଷ୍କ୍ରୟତା ଦୂର ହେବା ସହ ସକ୍ରିୟତା ବଢିଥାଏ ।

-ଫୋନ୍ରେ ଟାଇମ୍ ଲିମିଟ୍ ସେଟ୍ କରି ନିଅନ୍ତୁ, ଯାହା ଆପଣଙ୍କୁ ଅଧିକ ଫୋନ୍ ବ୍ୟବହାର ନ କରିବା ପାଇଁ ସିଗ୍ନାଲ୍ ଦେଇପାରିବ । ଏଥିପାଇଁ କେତେକ ଆପ୍ ରହିଛି । ତା’ର ବ୍ୟବହାର କରିପାରିବେ ।

-ଆବଶ୍ୟକ ଫୋନ୍ ନମ୍ବର, ଗ୍ରୋସରି ତାଲିକା ପାଇଁ କଲମ-କାଗଜ ଓ ନିୟମିତ ଜର୍ଣ୍ଣାଲ ପଢିବା ପାଇଁ ଖବର କାଗଜର ବ୍ୟବହାର କରିବାକୁ ପ୍ରୟାସ କରନ୍ତୁ ।

-ପ୍ରତ୍ୟେକ କାମ ପାଇଁ ମୋବାଇଲ୍ ଉପରେ ନିର୍ଭରଶୀଳ ନ ରହିବାକୁ ଚେଷ୍ଟା କରନ୍ତୁ । ଯଦି ସମ୍ଭବ ଆବଶ୍ୟକ ଫୋନ୍ ନମ୍ବରକୁ ମନେ ରଖନ୍ତୁ, ଦରକାର ବେଳେ କାମରେ ଆସିବ ।

-ନିୟମିତ ରାତିରେ ମୋବାଇଲ୍ ଦେଖିବା ପରିବର୍ତ୍ତେ ନିଦକୁ ପୁରା କରିବାକୁ ଗୁରୁତ୍ୱ ଦିଅନ୍ତୁ । ଛୁଟି ଦିନରେ ଘରେ ବସି ମୋବାଇଲ୍ ଦେଖିବା ପରିବର୍ତ୍ତେ ଫିଲ୍ମ ବା ମଲ୍ ବୁଲିବା କିମ୍ବା ସାଙ୍ଗସାଥୀ ବା ପରିବାର ସଦସ୍ୟଙ୍କ ସହ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ । ଏପରି କରିବା ଦ୍ୱାରା ସମ୍ପର୍କରେ ନିବିଡ଼ତା ଆସିଥାଏ ।

Get real time updates directly on you device, subscribe now.