(Video) ଦାୟିତ୍ୱହୀନତାର ନଗ୍ନ ନମୂନା! ମେସ୍ ଖାଦ୍ୟରୁ ବାହାରିଲା ମୂଷା, ଉପାସରେ ରହିଲେ ୪୦୦ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆମକୁ ପ୍ରତ୍ୟେକ କ୍ଷେତ୍ରରେ ନିଜର ଦାୟିତ୍ୱ ସୁଚାରୁରୂପେ ପ୍ରତିପାଦନ କରିବା ନିହାତି ଆବଶ୍ୟକ । ଅନେକ ସମୟରେ ଜଣଙ୍କର ସାମାନ୍ୟ ଭୁଲ୍ ପାଇଁ ଅନ୍ୟମାନେ ବିଶେଷ ଭାବେ ପ୍ରଭାବିତ ହୋଇଥାନ୍ତି । ବିଶେଷ କରି ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ସମସ୍ତେ ଦାୟିତ୍ୱବାନ୍ ହେବା ଆବଶ୍ୟକ । ଅନେକ ସମୟରେ କିଛି ରନ୍ଧା ଓ ଅର୍ଡର ଖାଦ୍ୟରୁ କିଛି ମଲା ଜୀବଜନ୍ତୁ ବାହାରିଥିବାର ଦେଖାଯାଇଥାଏ । ଏପରିକି ଅନେକ ସମୟରେ ଖାଦ୍ୟ ସେବନ କରି କିଛି ସ୍କୁଲ ପିଲା ମଧ୍ୟ ଅସୁସ୍ଥ ହୋଇପଡ଼ିଥାନ୍ତି।

ତେବେ ଏହା ମଧ୍ୟରେ ଦାୟିତ୍ୱହୀନତାର ଏକ ନଗ୍ନ ନମୂନା ସାମ୍ନାକୁ ଆସିଛି । ଆଇଆଇଟି ରୁରକୀର ଛାତ୍ରଛାତ୍ରୀଙ୍କ ପାଇଁ ରନ୍ଧା ଯାଇଥିବା ଖାଦ୍ୟରୁ ମୂଷା ବାହାରିବାରୁ ଜଣେ କି ଦୁଇ ଜଣ ନୁହେଁ, ୪୦୦ ଜଣ ଛାତ୍ରଛାତ୍ରୀ ଖାଦ୍ୟ ନ ଖାଇ ଉପାସ ରହିଥିଲେ । ଏହାଠାରୁ ଲଜ୍ଜାଜନକ କଥା ଆଉ କ’ଣ ହୋଇପାରେ? ଦେଶଣ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ରୁରକୀର ରାଧା-କୃଷ୍ଣ ଭବନ ମେସରୁ ଆସିଛି ଏହି ଖବର । ଖାଦ୍ୟ ସାମଗ୍ରୀ ଓ ବାସନରୁ ମୂଷା ମିଳିଛି । କଡ଼େଇ, ଚାଉଳ, ରାଶସନରୁ ଆଦରେ ମୂଷା ରହିଥିବା ନେଇ ଭିଡିଓରୁ ଜଣାପଡ଼ିଛି । ଏହି ସବୁ ଦେଖିବା ପରେ ଛାତ୍ରଛାତ୍ରୀମାନେ ହଙ୍ଗାମା କରିଥିଲେ । ଏହି ଘଟଣା ପାଇଁ ୪୦୦ ଛାତ୍ରଛାତ୍ରୀଙ୍କୁ ଭୋକ ଉପାସରେ ରହିବାକୁ ପଡ଼ିଥିଲା ।

ତେବେ ଖାଦ୍ୟରେ ମୂଷା ରହିଥିବାର ଫଟୋ ଓ ଭିଡିଓ ସବୁ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଛାତ୍ରଛାତ୍ରୀମାନେ ଏହାକୁ ତୀବ୍ର ବିରୋଧ କରିଥିଲେ । ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ଭୋଜନ ସମସ୍ୟାକୁ ନେଇ ସଂସ୍ଥା ପକ୍ଷରୁ ଖଣ୍ଡନ କରାଯାଇଛି । ଏହି ଘଟଣାର ସମୀକ୍ଷା କରାଯିବ ବୋଲି ସଂସ୍ଥାର ମିଡ଼ିଆ ସେଲ ପ୍ରଭାରୀ କହିଛନ୍ତି । ଏଥିସହିତ ଶିକ୍ଷାନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଓ ସ୍ୱଚ୍ଛ ପରିବେଶରେ ରଖିବା ପାଇଁ ସେମାନେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.