(Video) ବାପା କନଷ୍ଟେବଳ, ପୁଅ ଗ୍ୟାଙ୍ଗଷ୍ଟର: କିଏ ଏହି ଲରେନ୍ସ ବିଷ୍ଣୋଇ? ସଲମାନଙ୍କୁ କରୁଛି ଟାର୍ଗେଟ

ଓଡ଼ିଶା ଭାସ୍କର: ଅଜସ୍ର ଟଙ୍କା, ଏକର ଏକର ଜମିର ମାଲିକ । ପାଖରେ ପରିବାର ହେଲେ ବି କୁଖ୍ୟାତ ଗ୍ୟାଙ୍ଗଷ୍ଟାରର ରାସ୍ତା । ୨୦୧୫ରୁ ନେଇ ଆଜି ଯାଏଁ ଜେଲର ଚାରିକାନ୍ଥରେ ଦିନ କଟୁଛି । କିନ୍ତୁ ଜେଲରେ ରହିବି ରହିବି ରକ୍ତର ହୋଲି ଖେଳୁଛି ଏହି ଗ୍ୟାଙ୍ଗଷ୍ଟର । ହଁ ଆଜ୍ଞା ଆମେ କହୁଛୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର କଥା । ଯିଏ କି ସୁପରଷ୍ଟାର ସଲମାନ ଖାନଙ୍କ ଜୀବନ ନେବା ପାଇଁ ପଣ କରିଦେଇଛି । ଜେଲରେ ରହିବି ବି ନେତା ଓ ସୁପରଷ୍ଟାର ମାନଙ୍କ ଜୀବନ ନେଇ ଯାଉଛି । ହେଲେ ଆପଣମାନେ ଜାଣିଛନ୍ତି କି ଏହି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏକ କୋଟିପତି ଘରର ପୁଅ ।

ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇଙ୍କ ପାଇଁ ତାଙ୍କ ପରିବାର ପ୍ରତି ବର୍ଷକୁ ୩୫-୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି । ଏନେଇ ଲରେନ୍ସଙ୍କ ଭାଇ ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ ଏନସିପି ନେତା ଓ ମହାରାଷ୍ଟ୍ରର ପୂର୍ବ ମନ୍ତ୍ରୀ ବାବା ସିଦ୍ଦିକଙ୍କୁ ରାତି ଅଧରେ ଗୁଳିକରି ହତ୍ୟା କରାଯାଇଥିଲା । ଯାହାକୁ ନେଇ ବିଷ୍ଣୋଇ ଗ୍ୟାଙ୍ଗ ଏହି ହତ୍ୟା କରିଥିବା ସୂଚନା ଦେଇଥିଲା । ଲରେନ୍ସ ବର୍ତ୍ତମାନ ଗୁଜୁରାଟର ଅହମ୍ମଦବାଦର ସାବରମତୀ ସେଣ୍ଟ୍ରାଲ ଜେଲରେ କଏଦ ଅଛନ୍ତି । ଜାଣି ତାଜୁବ ହେବେ ଯେ ଏହି ଗ୍ୟାଙ୍ଗଷ୍ଟାର ଜଣକ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ତେବେ ଲରେନ୍ସଙ୍କ ଭାଇ ରମେଶ ବିଷ୍ଣୋଇ ଗଣମାଧ୍ୟମକୁ କହିଛନ୍ତି, ଆମ ପରିବାର କେବେ ଭାବି ନ ଥିଲେ କି, ଲରେନ୍ସ ଏପରି ଅପରାଧୀ ପାଲଟିଯିବେ । ଆମ ପରିବାର ଧନୀ ଅଟେ ।

ଲରେନ୍ସଙ୍କ ବାପା ହରିୟାଣା ପୋଲିସରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି । ଆଉ ଆମ ଗାଁରେ ୧୧୦ ଏକର ଜମି ଅଛି । ଲରେନ୍ସ ସବୁବେଳେ ଦାମୀ ଜୋତା ଓ ପୋଷାକ ପିନ୍ଧୁଥିଲା । ହେଲେ ସେ ଏବେ ଜେଲରେ ଥିବାରୁ ଆମ ପରିବାର ତାଙ୍କ ପାଇଁ ୩୫-୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଅନେକ ହାଇ-ପ୍ରୋଫାଇଲ ମାମଲା ସହିତ ଜଡିତ ଲରେନ୍ସ, ପଞ୍ଜାବର ଫିରୋଜପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପ୍ରକୃତ ନାମ ବାଲକରନ ବ୍ରାର, ଯିଏ ହତ୍ୟା ଏବଂ ଚୋରା ଚାଲାଣ ଭଳି ଅନେକ ଅପରାଧିକ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେ ତାଙ୍କ ମାଉସୀଙ୍କ ପାଇଁ ସ୍କୁଲ ଦିନରେ ତାଙ୍କ ନାଁ ‘ଲରେନ୍ସ’ କରିଥିଲେ ।

ସୂଚନାଥାଉ କି, କାନାଡା ସରକାର ଅଭିଯୋଗ କରିଛନ୍ତି ଯେ ଲରେନ୍ସ ଗ୍ୟାଙ୍ଗ ଉତ୍ତର ଆମେରିକା ଦେଶରେ ‘ସରକାରୀ’ ଏଜେଣ୍ଟମାନଙ୍କ ସହ ସହଯୋଗ କରି ହିଂସାତ୍ମକ କାର୍ଯ୍ୟକଳାପ କରୁଛି । ତେବେ ଭାରତ ଏହି ଅଭିଯୋଗକୁ ଅସ୍ୱୀକାର କରିଛି । ୨୦୧୫ରୁ ଲରେନ୍ସ ଜେଲରେ ଅଛନ୍ତି ଏବଂ ରାଜ୍ୟ ଆତଙ୍କବାଦ ନିରୋଧୀ ସ୍କାଡ (ଏଟିଏସ) ଏବଂ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦ୍ୱାରା ଅନେକ ମାମଲାରେ ଅନୁସନ୍ଧାନ କରାଯାଉଛି ।