ପାଟନା ଯିବାକୁ ୬୦୦ ଟଙ୍କା ଧାର ନେଇ ଯାଇଥିବା ଶିକ୍ଷକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ

ପାଟନା: ବିହାରର ବେଗୁସରାଇରେ ଚାଞ୍ଚଲ୍ୟ । ଏକ ପୋଖରୀରୁ ମିଳିଛି ମୁହଁ ବନ୍ଧା ବସ୍ତା, ଯେଉଁଥିରେ ସ୍ଥାନୀୟ ଅଞ୍ଚଳରୁ ନିଖୋଜ ଜଣେ ଶିକ୍ଷକଙ୍କ କଟା ମୃତଦେହ ମିଳିଛି । ଏହି ଘଟଣାକୁ ନେଇ ଅଞ୍ଚଳରେ ଶୋକର ବାତାବରଣ । ପୋଲିସ ଘଟଣାର ତଦନ୍ତ କରିବା ସହ ଶିକ୍ଷକଙ୍କ ହତ୍ୟାକାରୀକୁ ଧରିବା ପାଇଁ ଟିମ ଗଠନ କରିଛି । ଏହି ଟିମ ଏସପିଙ୍କ ନେତୃତ୍ୱରେ କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ସୂଚନା ମୁତାବକ, ଚିକିୟା ଥାନା ଅଞ୍ଚଳର ବିଟ୍ଟୁ ନାମକ ଜଣେ କୋଚିଂ ସେଣ୍ଟର ଶିକ୍ଷକ ଘରୁ କୋଚିଂ ସେଣ୍ଟରକୁ ଯାଉଥିବା କହିଥିଲେ । ଅପରାହ୍ନରେ ସେ ଜଣେ ସାଙ୍ଗ ନିକଟରୁ ୬୦୦ ଟଙ୍କା ଧାର ନେଇଥିଲେ ପାଟନା ଯିବେ ବୋଲି । କହିଥିଲେ ପାଟନାରୁ ଫେରି ଟଙ୍କା ଫେରାଇବି । କିନ୍ତୁ ସେ ରାତିରେ ଘରକୁ ଫେରିଲେ ନାହିଁ । ପରିବାର ଲୋକ ପଚରା ଉଚରା କରିବା ସହ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଖୋଜାଖୋଜି କରିବା ପରେ ଏକ ପୋଖରୀରୁ ଓଜନଦାର ବସ୍ତା ଉଦ୍ଧାର କରିଥିଲା । ବସ୍ତାର ମୁହଁ ବନ୍ଦ ଥିଲା । ପୋଲିସ ବସ୍ତା ଖୋଲି ଦେଖିଥିଲା ଏକ ମଣିଷ ଗଣ୍ଡି । ନା ଥିଲା ମୁଣ୍ଡ, ନାହିଁ ଥିଲା ଗୋଟିଏ ହାତ କି ଦୁଇ ଗୋଡ । ତେବେ ପ୍ୟାଣ୍ଡ ପକେଟରୁ ମିଳିଥିବା ପରିଚୟପତ୍ରରୁ ସେ ବିଟ୍ଟୁ ବୋଲି ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ସନ୍ଦେହ କରୁଛି କି, ବିଟ୍ଟୁକୁ କେହି ଆଖପାଖ ଅଞ୍ଚଳରେ ମାରି ବସ୍ତାରେ ବାନ୍ଧି ପୋଖରୀରେ ପକାଇ ଦେଇଛି । କାରଣ ବସ୍ତାର ମୁହଁ ଯେଉଁ ରଶିରେ ବନ୍ଧା ହୋଇଥିଲା ତାହା ପାଖରେ ଥିବା ଏନଟିପିସି କୋଇଲା ବାନ୍ଧିବାରେ ବ୍ୟବହାର ହୋଇଥାଏ ।

ଘଟଣାକୁ ଗୁରୁତର ସହ ନେଇ ଏସପିଙ୍କ ନେତୃତ୍ୱାଧୀନ ଟିମ ଅଭିଯୁକ୍ତକୁ ଧରିବାକୁ ଜାଲ ବିଛାଇଛି । ବିଭିନ୍ନ ସ୍ଥାନରେ ରେଡ ହେଉଛି । ପୋଲିସ କହିଛି, ଅଭିଯୁକ୍ତକୁ ଧରିବ ।

 

Get real time updates directly on you device, subscribe now.