ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା; ଘଣ୍ଟାପ୍ରତି ୩ କିମି ବେଗରେ ଆସୁଛି, କାଲି ଲ୍ୟାଣ୍ଡଫଲ୍ !

ଭୁବନେଶ୍ବର: ଆକଳନ ଅନୁସାରେ ସଠିକ ସମୟରେ ସୃଷ୍ଟି ହେଲା ବାତ୍ୟା । ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି । ଗତ 6 ଘଣ୍ଟା ହେବ ଘଣ୍ଟାପ୍ରତି 3 କିମି ବେଗରେ ଗତି କରୁଛି ଦାନା । ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ଏହା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ । 24 ତାରିଖ ରାତି କିମ୍ବା 25 ତାରିଖ ସକାଳେ ଏହା ଉପକୂଳ ଅତିକ୍ରମ କରିପାରେ । ତେବେ ଓଡିଶା ଉପକୂଳ ଦେଇ ଗତି କରିବା ବେଳେ ପବନର ବେଗ 100 ରୁ 120 କିଲୋମିଟର ହୋଇପାରେ ବୋଲି ସୂଚନା ରହିଛି ।

ପୁରୀ ଏବଂ ସାଗରଦ୍ବୀପ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି । 24 ତାରିଖରେ ଭୀଷଣ ବାତ୍ୟାର ରୂପ ନେଇ ଉପକୂଳ ଅତିକ୍ରମ କରିବ । ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ବାତ୍ୟା ନେଇ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ତ୍ତମାନ ପାରାଦୀପଠାରୁ ୬୭୦ କିଲୋମିଟର ଦକ୍ଷିଣପୂର୍ବ ଓ ପଶ୍ଚିମବଙ୍ଗ ସାଗର ଦ୍ବୀପରୁ ୭୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ କେନ୍ଦ୍ରୀଭୂତ ରହିଛି । ଏହାପରେ ଅଧିକ ଘନୀଭୂତ ହେବ ସାମୁଦ୍ରିକ ଝଡ। ଆସନ୍ତାକାଲି ଏହା ଉତ୍ତର ପଶ୍ଚିମ ବଙ୍ଗୋପସାରରେ ଭୀଷଣ ବାତ୍ୟା ରୂପ ନେବ । ତେବେ ବାତ୍ୟା ପ୍ରଭାବରେ ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆଲର୍ଟ ମଧ୍ୟ ଜାରି କରାଯାଇଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ଗୋପାଳପୁର, ପାରାଦୀପ ଏବଂ ଧାମରା ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ବି ଜାରି ହୋଇଛି । ଅନେକ ସ୍ଥାନରେ ଲୋକଙ୍କୁ ମଧ୍ୟ ସ୍ଥାନାନ୍ତରିତ କରାଯାଇଛି ।