କରହଲ ଉପନିର୍ବାଚନ: ଯାଦବଙ୍କ ଭିତରେ ଲଢେଇ, ବିଜେପି ଖେଳିଛି ଜାତିଗତ କାର୍ଡ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଜମୁଛି ଉପ ନିର୍ବାଚନ ପାଇଁ ମାହୋଲ । ସବୁ ଦଳ ନିଜକୁ ନିର୍ବାଚନ ପାଇଁ ପ୍ରସ୍ତୁତ କରୁଛନ୍ତି । କରହଲ ସିଟ ଛାଡି ସପା ମୁଖ୍ୟ ଅଖିଲେଶ ଯାଦବ ସଂସଦ ହେବା ପରେ ଏହି ଆସନରେ ବାଇ ଇଲେକ୍ସନ ହେଉଛି । ଆସନକୁ ନିଜ ଅକ୍ତିଆରକୁ ଆଣିବାକୁ ଅଖିଳେଶ ନିଜ ଖାସ ଅନୁଗତ ତଥା ଭଣଜା ତେଜ ପ୍ରତାପ ଯାଦବଙ୍କୁ ସେଠାରୁ ପ୍ରାର୍ଥୀ କରୁଛନ୍ତି । ଏହାକୁ ଦେଖି ବିଜେପି ଅନୁଜେଶ ପ୍ରତାପ ଯାଦବଙ୍କୁ ଟିକେଟ ଦେଇଛି । ସପାର ଗଡ ଭାବେ ପରିଚିତ କରହଲକୁ ନିଜ ଅଧୀନକୁ ଆଣିବାକୁ ବିଜେପି ୨୨ ବର୍ଷ ପୁରୁଣା ଫର୍ମୁଲା ଆପଣେଇଛି ବୋଲି କୁହାଯାଉଛି ।

୧୯୯୩ରେ ସମାଜବାଦୀ ପାର୍ଟି ଗଠନ ପରଠାରୁ କରହଲ ସିଟ ଉପରେ କବଜା କରି ଆସିଛି । ତେବେ ୨୦୦୨ରେ ଏହି ଆସନ ବିଜେପି ବିଜୟ ହାସଲ କରିଥିଲା । ପୁଣି ଥରେ ୨୨ ବର୍ଷ ପରେ ସପାକୁ ହରାଇବାକୁ ସେହି ପୁରୁଣା ଫର୍ମୁଲା ଆପଣାଉଥିବା କୁହାଯାଉଛି । ଏହି ଆସନଟି ଯାଦବ ବହୁଳ କ୍ଷେତ୍ର । ତେଣୁ ଯାଦବହିଁ ଏହି ଆସନରୁ ବିଜୟୀ ହୋଇଥାନ୍ତି । ୧୯୫୭ରେ ପ୍ରଜା ସୋସାଲିଷ୍ଟ ପାର୍ଟିର କୁସ୍ତି ଯୋଦ୍ଧା ନତ୍ଥୁ ସିଂହ ଯାଦବ ପ୍ରଥମ ବିଧାୟକ ହୋଇଥିଲେ । ଏହା ପରେ ୧୯୬୨, ୬୭, ୧୯୬୮, ୭୪ରେ ଭାରତୀୟ କ୍ରାନ୍ତି ଦଳ ଓ ୧୯୭୭ରେ ଜନତା ପାର୍ଟି ଟିକେଟରେ ନତ୍ଥୁ ସିଂହ ବିଜୟୀ ହୋଇଥିଲେ । ୧୯୮୦ରେ କଂଗ୍ରେସର ସିବମଙ୍ଗଳ ସିଂହ ଆସନ ନିଜ ଅକ୍ତିଆରକୁ ନେଇଥିଲେ ।
ଏହାପରେ ୧୯୮୫ ରୁ ୯୬ ଯାଏଁ ବାବୁରାମ ଯାଦବ ବିଧାୟକ ହୋଇଥିଲେ । ୨୦୦୨ରେ ବିଜେପି ଏହି ଆସନକୁ ନିଜ ଅଧୀନକୁ ଆଣିଥିଲା ।ଏହି ବର୍ଷ ବିଜେପି ସୋବରନ ସିଂହ ଯାଦବଙ୍କୁ ଟିକେଟ ଦେଇଥିଲା । ପରେ ସୋବରନ ସପାରେ ସାମିଲ ହେବ ସହ ଏହି ଆସନରୁ ଲଗାତର ବିଜୟ ହାସଲ କରୁଥିଲେ । ୨୦୨୨ରେ ଆସନକୁ ଅଖିଳେଶଙ୍କ ପାଇଁ ସୋବରନ ଛାଡିଥିଲେ । ଏବେ ଜଣେ ଯାଦବଙ୍କୁ ଟିକେଟ ଦେଇ ଏହି ଆସନ ହାତେଇବାକୁ ଯୋଜନା କରୁଛି । ଏଥର ମୁଲାୟମ ଯାଦବଙ୍କ ଭିଣୋଇ ତଥା ସପା ସାଂସଦ ଧର୍ମେଦ୍ର ଯାଦବଙ୍କ ଭିଣୋଇ ଅନୁଜେଶ ଯାଦବଙ୍କୁ ଟିକେଟ ଦେଇଛି ।