୨୧ ତାରିଖ ବୁଝାମଣା ପରେ ପୂର୍ବ ଲଦାଖରୁ ଦୁଇ ଦେଶ ପ୍ରତ୍ୟାହାର କଲେ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ସୁଧିରିଲା ସ୍ଥିତି । ୨୧ ଅକ୍ଟୋବରକୁ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲରେ ପାଟ୍ରୋଲିଂକୁ ନେଇ ହୋଇଥିବା ବୁଝାମଣା ପରେ ଦୁଇ ଦେଶ ପୂର୍ବ ଲଦାଖ ସୀମାରୁ ସେନାକୁ ହଟାଇଛନ୍ତି । ସୂତ୍ର ରୁ ମିଳିଥିବା ତଥ୍ୟ ମୁତାବକ, ଏଲଏସିରେ ୨୨ ଅକ୍ଟୋବରରୁ ସେନା ହଟାଇବା କାମ ଆରମ୍ଭ ହୋଇଯାଇଛି । ଶୁକ୍ରବାର ପର୍ଯ୍ୟନ୍ତ ୪୦ରୁ ୫୦ ପ୍ରତିଶତ ସେନା ସେଠାରୁ ହଟିସାରିଲେଣି । ଏହି ପ୍ରକ୍ରିୟା ୨୮ ଓ ୨୯ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ । ଚଳିତ ମାସର ଶେଷ ତାରିଖ ଅର୍ଥାତ୍ ୩୧ଯାଏଁ ଏଲଏସିରେ ପାଟ୍ରୋଲିଂ ଆରମ୍ଭ ହୋଇଯିବ ।

ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ବିକ୍ରମ ମିସ୍ରୀ କହିଛନ୍ତି କି, ଏଲଏସି ସୀମାବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂ ସହ ୨୦୨୦ ପରେ ଉଠିଥିବା ମୁଦ୍ଦାର ସମାଧାନ ପାଇଁ ପ୍ରସ୍ତାବ ପ୍ରସ୍ତୁତ ହୋଇଛି । ଏହା ଉପରେ ଦୁଇ ଦେଶ ପଦକ୍ଷେପ ନେବେ । ଡେପସାଙ୍ଗ ଓ ଡେମଚାଙ୍କ ପଏଣ୍ଟରେ ଏହି ବୁଝାମଣା ହୋଇଥିଲା । ଏହାପରେ ଦୁଇ ଦେଶର ସେନା ଏହି ଯାଗାରେ ନିଜ ଅସ୍ଥାୟୀ ଟେଣ୍ଟ ଓ ସେଡ ହଟାଇବା ଆରମ୍ଭ କରିଛନ୍ତି । ସେହିପରି ଅସ୍ତ୍ରଶସ୍ତ୍ର ଥିବା ଗାଡି, ମିଲିଟାରୀ ଉପକରଣ ମଧ୍ୟ ସେଠାରୁ ହଟା ଯାଇଛି ।

ଏହି ଦୁଇ ସ୍ଥାନରେ ଏପ୍ରିଲ ୨୦୨୦ରୁ ସ୍ଥିତି ଜଟିଳ ରହିଥିଲା । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ପରେ ଉଭୟ ପକ୍ଷ ସେଠାରୁ ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସେଠାରେ ସେନା ପ୍ରତ୍ୟାହାରର ତଦାରଖ କରାଯିବ । ଦୁଇ ଦେଶର ସେନା ମଧ୍ୟରେ ମଧ୍ୟ ଲଗାତର ଆଲୋଚନା ଜାରି ରହିବ । ତେବେ ଏଲଏସି ବିଦାଦ କମ କରିବାକୁ ନେଇ ହୋଇଥିବା ରାଜିନାମାରେ ଡେମଚାଙ୍କର ଗଲବାନ ଘାଟି ଓ ଗୋଗରା ହଣ୍ଟ ସ୍ପ୍ରିଙ୍ଗ ରେ ଗସ୍ତକୁ ନେଇ କିଛି ନିଷ୍ପତ୍ତି ହୋଇନି । ତେଣୁ ସେଠାରୁ ଏବେ ସେନା ହଟିବ ନାହିଁ କି ପାଟ୍ରୋଲିଂ ଆରମ୍ଭ ହେବ ।