ସାବଧାନ! କ୍ୟାମେରା ସବୁ ଦେଖୁଛି, ଥାନାରେ ପୋଲିସ ସହ ଦୁର୍ବ୍ୟବହାର ପଡିବ ମହଙ୍ଗା, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଥାନାକୁ ଅଭିଯୋଗ ପାଇଁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ । ପୋଲିସ ସହ ଥାନାରେ ଦୁର୍ବ୍ୟବହାର ବା ଦାଦାଗିର ପଡିବାକୁ ଯାଉଛି ମହଙ୍ଗା । ପୋଲିସ ଦେହରେ ଲାଗିଥିବା କଳଙ୍କ ଲିଭାଇ, ଜନତାଙ୍କ ପାଇଁ ପୋଲିସ ସବୁ ସମୟରେ ରହିଥିବା ଓ ଥାନାକୁ ଯାଇ ଦାଦାଗିରି କରୁଥିବା ଅଭିଯୋଗକାରୀଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସ ପକ୍ଷରୁ ନିଆଯାଇଛି ବଡ ପଦକ୍ଷେପ । ଏଣିକି ପୋଲିସଙ୍କ ବେକରେ ଝୁଲିବ ମିନି କ୍ୟାମେରା । ଯାହା ପୋଲିସ ସହ ଅଭିଯୋଗକାରୀ ଙ୍କ ସବୁ ହଲଚଲ କରିବ ରେକର୍ଡ ।

ଭରତ ପୁର ଥାନା ଘଟଣାକୁ ନେଇ ରାଜ୍ୟ ପୋଲିସ ନିନ୍ଦିତ ହୋଇଛି । ପୋଲିସ ବିରୋଧରେ ଆସିଥି ସଂଗୀନ ଅଭିଯୋଗ । ଏଥିସହ ଦିନକୁ ଦିନ, ରାତି ହେଲେ ନିଶାଡି ଥାନାକୁ ଯାଇ ହଙ୍ଗାମା କରୁଛନ୍ତି । ଯାହାକୁ ନେଇ କମିଶନରେଟ ପୋଲିସର ସମସ୍ୟା ବଢିଯାଇଛି । ଲୋକଙ୍କର ପୋଲିସ ପ୍ରତି ଥିବା ତିକ୍ତ ଅନୁଭୂତିର ସ୍ମୃତି ପାଇଁ, ପୋଲିସ ଠିକ ଥିଲେ ମଧ୍ୟ ଜନଅସନ୍ତୋଷ ତୀବ୍ର ହେଉଛି । ତେଣୁ ପୋଲିସର ସଚ୍ଚୋଟତା ଓ ଦକ୍ଷତାର ପ୍ରମାଣ ଦେବାକୁ ତଥା ଅମାନିଆଙ୍କୁ ସାବାଡ କରିବାକୁ କମିଶନରେଟ ପୋଲିସ ଥାନାରେ ଥିବା କର୍ମଚାରୀଙ୍କୁ ପିନ୍ଧିବାକୁ ହେବ କ୍ୟାମେରା ।

ତେବେ ବର୍ତ୍ତମାନ ପରୀକ୍ଷାମୂଳକ ଭାବେ, ଅଳ୍ପ କିଛି ଥାନାରେ ପାଇଲଟ ଯୋଜନା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସ୍ଥିରିକୃତ ଥାନାର  ରିସେପସନ୍‌ ଦାୟିତ୍ବରେ ଥିବା ଅଧିକାରୀ ପିନ୍ଧିବେ ବଡି କ୍ୟାମେରା, ଯେମିତି ଥାନାକୁ ଆସୁଥିବା ଓ ଅଭିଯୋଗ କରୁଥିବା ବ୍ୟକ୍ତିର ଚିତ୍ର ସହ କଥା ମଧ୍ୟ ରେକର୍ଡ ହେବ । ଏଥିସହ ଅଭିଯୋଗ ଗ୍ରହଣ ବା କଥୋପକଥନ ସମୟରେ ଉଭୟଙ୍କ ବର୍ତ୍ତାଳପ ରେକର୍ଡ ହେବ । ପରେ କୌଣସି ଘଟଣାକୁ ନେଇ କିଛି ସମସ୍ୟା ହେଲେ ସେହି ଡାଟା ସତ-ମିଛ ଧରାଇବ । ପୋଲିସ ଉପରେ ହେଉଥିବା ମାନସିକ ନିର୍ଯାତନାରୁ ସେମାନଙ୍କୁ ମଧ୍ୟ ସୁରକ୍ଷା ଦେବ ବୋଲି ଆଶା କରାଯାଉଛି । ପରବର୍ତ୍ତୀ ସମୟରେ ସବୁ ଥାନାକୁ ଏହି ଯୋଜନା ଅଧୀନକୁ ଆଣିବାକୁ ଯୋଜନା ରହିଛି ।

ଏହି କ୍ୟାମେରା ଆଗରୁ ଟ୍ରାଫିକ ପୋଲିସଙ୍କ ପାଇଁ ବ୍ୟବହାର ହୋଇଛି । ରାଜ୍ୟ ବାହାରେ କର୍ଣ୍ଣାଟକ ପରି ରାଜ୍ୟରେ ମଧ୍ୟ ଏପରି କ୍ୟାମେରା ପ୍ରଚଳନ ହେଉଛି । ଏବେ ଦେଖିବାକୁ ରହିଲା, ଏହି କ୍ୟାମେରା ବ୍ୟବହାର କେତେଦୂର ଅମାନିଆଙ୍କୁ ସାବାଡ କରୁଛି ତଥା ପୋଲିସ କର୍ମଚାରୀ ଏହି ନୂଆ ପଦକ୍ଷେପକୁ କେତେ ଆତ୍ମିୟତା ସହ ଅନୁପାଳନ କରୁଛନ୍ତି ।