ଇସଲାମାବାଦ: ଭାରତରେ ଯେଉଁ ରୋଗକୁ ସମୂଳେ ନିପାତ କରାଯାଇଛି, ସେହି ରୋଗ ସହ ପାକିସ୍ତାନ ସରକାର ଲଢେଇ କରୁଛି । ରୋଗ ନିରାକରଣ ପାଇଁ ଚଳିତ ବର୍ଷର ତୃତୀୟ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହି ରୋଗର ନାଁ ପୋଲିଓ । ଆଜି ମଧ୍ୟ ପାକିସ୍ତାନରେ ପୋଲିସ ତାର କାୟା ବିସ୍ତାର କରୁଛି । ନୂଆ ମାମଲା ସାମ୍ନାକୁ ଆସିବା ପରେ ସରିଫ ସରକାର ଏହାର ନିରାକରଣ ପାଇଁ ଅଣ୍ଟା ଭିଡିଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କୁ ସବୁ ପିଲାଙ୍କୁ ପୋଲିଓ ବୁନ୍ଦା ଦେବାକୁ ଅପିଲ କରିଛନ୍ତି ପ୍ରଧାନମନ୍ତ୍ରୀ ସାହାବାଜ ସରିଫ ।
ଏବେ ପାକିସ୍ତାନର ୭୧ ଜିଲ୍ଲାରୁ ୪୧ ପୋଲିଓ ମାମଲା ସାମ୍ନାକୁ ଆସିଛି । ସେହି ସବୁ ଜିଲ୍ଲା ହେଉଛନ୍ତି ଦକ୍ଷିଣ- ପଶ୍ଚିମ ବେଲୁଚିସ୍ତାନ ଓ ଦକ୍ଷିଣ ସିନ୍ଧ ଅଞ୍ଚଳର । ଏହା ବ୍ୟତୀତ ପଖତୁନଖ୍ୱାବା ପ୍ରନ୍ତ ଓ ପୂର୍ବ ପଞ୍ଜାବ ରହିଛି ପୋଲିଓ ପ୍ରବଣ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୋଲିଓ ନିରାକରଣ ପାଇଁ ୧୯୮୮ରୁ ଅଭିଯାନ ଆରମ୍ଭ କରିଥିଲା । ପିଲା ପୋଲିଓ ଦ୍ୱାରା ଯେମିତି ପଙ୍ଗୁ ହେବେ ନାହିଁ, ଏହା ଥିଲା ମିଶନର ଲକ୍ଷ୍ୟ । ଏହି ଅଭିଯାନକୁ ଆପଣାଇ ଭାରତ ପୋଲିଓ ଦୂର କରିଛି । ହେଲେ ପଡୋଶୀ ପାକିସ୍ତାନରେ ଏହା ଆଜି ମଧ୍ୟ ମାନବତା ପାଇଁ ବଡ ସମସ୍ୟା ହୋଇ ଠିଆହୋଇଛି ।
ଏହାକୁ ନେଇ କୁହାଯାଏ କି, ଆତଙ୍କୀ ସଂଗଠନ ଓ କଟ୍ଟରପନ୍ଥୀ ମୁସଲମାନ ପୋଲିଓ ମିଶନ ବିରୋଧୀ । ସେମାନେ ଏହି ମିଶନକୁ ସମ୍ପୁର୍ଣ୍ଣ କରିବା ବାଟରେ କଣ୍ଟା ହେଉଛନ୍ତି । ଅଭିଯାନରେ ସାମିଲ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କୁ ଗୁଳିକରି ହତ୍ୟା କରାଯାଏ । କିଛିମାସ ତଳେ ପଖତୁନବା ବାଜୋର ଜିଲ୍ଲାରେ ଅଭିଯାନରେ ସାମିଲ ଟିମ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଥିଲା । ଏଠାର ଲୋକେ ପୋଲିସ ବୁନ୍ଦାକୁ ସନ୍ଦେହ ଚକ୍ଷୁରେ ଦେଖିଥାନ୍ତି ।
ସେମାନଙ୍କ ବିଶ୍ୱାସ, ପୋଲିଓ ବୁନ୍ଦା ଦେଇ ମଣିଷକୁ ନପୁଂସକ କରାଯାଉଛି । ମୁସଲମାନ ଜନସଂଖ୍ୟା ଉପରେ ନିୟନ୍ତ୍ରଣ ପାଇବାକୁ ଚେଷ୍ଟା କରାଯାଉଛି । ତେଣୁ ୧୨ ବର୍ଷରେ ପୋଲିଓ ଅଭିଯାନରେ ୧୦୯ ଜଣଙ୍କ ମୃତ୍ୟୁ ହୋଇଛି । ଅନେକଙ୍କୁ ମଧ୍ୟ ଅପହରଣ କରାଯାଇଛି ।