ଓଡ଼ିଶା ଭାସ୍କର: ବର୍ତ୍ତମାନ ପାର୍ବରଣ ଋତୁ । ବିଶେଷକରି ଉତ୍ସବ କିମ୍ବା ଖାସ୍ ମଉକାରେ ପରିବାର, ସାଙ୍ଗସାଥି ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଉପହାର ଦିଆନିଆ ହୋଇଥାଏ । ଏହାକୁ ଶୁଭେଚ୍ଛା ଓ ଭଲପାଇବାର ପ୍ରତୀକ ଭାବେ ବିବେଚିତ କରାଯାଇଛି । କେତେକାଂଶରେ ଉପହାର ସମ୍ପର୍କକୁ ଦୀର୍ଘସ୍ଥାୟୀ ଓ ମଜବୁତ ରଖିଥାଏ ବୋଲି ବିଶ୍ୱାସ ରହିଛି । କିନ୍ତୁ ଆପଣ କେବେ ଭାବିଛନ୍ତି କିଛି ଉପହାର ପାଇଁ ମଧ୍ୟ ଟ୍ୟାକ୍ସ ନିୟମ ରହିଛି । ତେବେ ଆସନ୍ତୁ ଜାଣିବା ଉପହାର ଉପରେ ଏହି ଟ୍ୟାକ୍ସ କେମିତି ଓ କେଉଁ ପରିସ୍ଥିତିରେ ଲାଗୁ ହୋଇଥାଏ ଏବଂ କେଉଁ ଉପହାର ଟ୍ୟାକ୍ସ ଫ୍ରି ଅଟେ ।
ଭାରତୀୟ ଆୟକର ଅଧିନିୟମର ଧାରା 56(2)(x) ଅନ୍ତର୍ଗତ ଯେଉଁ ବ୍ୟକ୍ତି ହିନ୍ଦୁ ଅନଡିଭାଇଡେଡ୍ ଫ୍ୟାମିଲି(HUF) ଉପହାର ବାବଦକୁ ଟଙ୍କା, ପ୍ରପର୍ଟି କିମ୍ବା ଅନ୍ୟ ଜିନିଷ ହାସଲ କରିଥାଏ ଏବଂ ଅନ୍ୟ ସ୍ରୋତରୁ ମିଳୁଥିବା ଆୟ ଟିକସଯୋଗ୍ୟ । ଅର୍ଥାତ ଆୟ ସହ କିଛି ଉପହାରକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଏହା ଉପରେ ଟିକସ ଲାଗୁ କରାଯାଇଛି ।
୧. ମନେଟାରୀ ଗିଫ୍ଟସ: ଗୋଟିଏ ଆର୍ଥିକ ବର୍ଷରେ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟର ଉପହାର ମିଳିଲେ ତାହା ଟିକସଯୋଗ୍ୟ । କିନ୍ତୁ ପରିବାରଙ୍କ ଠାରୁ ମିଳୁଥିବା ଉପହାର ସମ୍ପୂର୍ଣ୍ଣ ଟିକସଛାଡ଼ ।
୨. ଅଣ ସମ୍ପର୍କୀୟଙ୍କ ଠାରୁ ମିଳୁଥିବା ଉପହାର: ସାଙ୍ଗସାଥି କିମ୍ବା ଅଣ ସମ୍ପର୍କୀୟଙ୍କ ଠାରୁ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ଉପହାର ମିଳୁଥିଲେ ଏହା ଟିକସଯୋଗ୍ୟ ଅଟେ ।
୩. ବିଶେଷ ଅବସରରେ ମିଳୁଥିବା ଉପହାର: ଏକୋଇସିଆ, ବ୍ରତ, ନିର୍ବନ୍ଧ, ବିବାହ, ଘର ପ୍ରତିଷ୍ଠ ଆଦି ବିଶେଷ ଉତ୍ସବରେ ମିଳୁଥିବା ଉପହାର ଟିକସଛାଡ଼ କରାଯାଇଛି କାରଣ ଏହା ଜୀବନର ବିଶେଷ ମୁହୂର୍ତ୍ତ ସହ ଜଡ଼ିତ ।
କେଉଁ ଉପହାର ଟିକସଯୋଗ୍ୟ ?
ଆୟକର ବିଭାଗର ନିୟମ ଅନୁଯାୟୀ ଶେୟାର, ଅଳଙ୍କାର, ସୁନା-ରୂପା ଜିନିଷ, ଆର୍ଟୱାର୍କ, ପ୍ରାଚୀନ ବସ୍ତୁ ଏବଂ ଭର୍ଚୁଆଲ ଡିଜିଟାଲ ଆସେଟ୍ ଯେପରି କ୍ରିପ୍ଟୋ କେରେନ୍ସି ଏବଂ NFTs ସାମିଲ ରହିଛି । ଏହି ସମସ୍ତ ଉପହାରର ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଥିଲେ ଏହା ଟିକସଯୋଗ୍ୟ । ଏହା ବ୍ୟତୀତ ଉପହାର ବାବଦକୁ କୌଣସି ଭୂମି କିମ୍ବା ଘର/ବିଲ୍ଡିଂ (୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟ) ଉପରେ ଟ୍ୟାକ୍ସ ଲାଗିବ । କିନ୍ତୁ ଏହା ପରିବାର କିମ୍ବା ନିକଟତମ ସମ୍ପର୍କୀୟଙ୍କ ଠାରୁ ମିଳିଥିଲେ ଟିକସ ଛାଡ଼ ରହିବ । ସେହିପରି କମ୍ପାନୀ ଦ୍ୱାରା ମିଳିଥିବା ଗିଫ୍ଟ ଭାଉଚର କିମ୍ବା ବୋନସ ୫ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ଥିଲେ ଏହା ଆୟ ଅନ୍ତର୍ଗତ ଟିକସଯୋଗ୍ୟ । କିନ୍ତୁ ୫ ହଜାର ଟଙ୍କା ମଧ୍ୟରେ ଥିବା ଉପହାର ଟିକସଛାଡ଼ ଅଟେ । ଉପହାର ସହ ଜଡ଼ିତ ଟିକସ ବିଷୟରେ ନଜାଣିଥିଲେ ବ୍ୟକ୍ତିକୁ ଭବିଷ୍ୟତରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଆପଣଙ୍କୁ କୌଣସି ଉପହାର ମିଳିଲେ ପ୍ରଥରେ ଏହାର ମୂଲ୍ୟ ଏବଂ ଉତ୍ସକୁ ଧ୍ୟାନରେ ରଖନ୍ତୁ ।