ପାଟନା: ବିହାର ରାଜଧାନୀ ପାଟଣାରେ ସୋମବାର ରାତିରେ ମେଟ୍ରୋ ଟନେଲ ତିଆରି ସମୟରେ ଏକ ବଡ ଦୁର୍ଘଟଣା ଘଟିଛି। ନିର୍ମାଣଧୀନ ମେଟ୍ରୋ ଟନେଲରେ ଲୋକୋ ମେସିନର ବ୍ରେକ ଫେଲ ହେବାରେ ୨ ଜଣ ମଜୁରିଆଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୫ଜଣ ମଜୁରିଆ ଆହତ ହୋଇଛନ୍ତି। ଯେଉଁମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାଟି ରାତି ୧୦ଟା ପାଟଣାର ଏନଆଇଟି ମୋଡରେ ଘଟିଥିଲା। କୁହାଯାଉଛି ଯେ, ମେସିନ ଖରାପ କାରଣରୁ ଏହି ଦୁର୍ଘଟଣା ଘଟିଛି। ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି।
ତେବେ ଏହି ଦୁର୍ଘଟଣାରେ୨ ଜଣ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏହି ଦୁର୍ଘଟଣା ଦୁର୍ଭାଗ୍ୟଜନକ। ଏନେଇ ବିହାର ସରକାରଙ୍କ ସହ କଥା ହେବେ ମନ୍ତ୍ରୀ। ସମସ୍ତଙ୍କୁ ସହାୟତା ଦିଆଯିବ ବୋଲି କହିଲେ ଶ୍ରମ ମନ୍ତ୍ରୀ।
ଦୁର୍ଘଟଣା ସମୟରେ ମଜୁରିଆ ଟନେଲ ଭିତରେ କାମ କରୁଥିଲେ। ଲୋକୋ ମେସିନ ଟନେଲରେ ସାମଗ୍ରୀ ପହଞ୍ଚାଉଥିଲା। ଅଚାନକ ଲୋକୋ ମେସିନର ବ୍ରେକ ଫେଲ ହୋଇଯାଇଥିଲା ଏବଂ ମେସିନ ଶ୍ରମିକଙ୍କ ଉପରେ ପଡିଯାଇଥିଲା। ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ୬ ଜଣ ଗମ୍ଭୀର ଭାବେ ଆହତଙ୍କୁ ତୁରନ୍ତ ପାଟନା ମେଡିକାଲ କଲୋଜ ଆଣ୍ଡ ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ଅନ୍ୟ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା।