ଗର୍ଭବତୀ କର୍ମଚାରୀଙ୍କୁ ସିଡିପିଓଙ୍କ ନିର୍ଯାତନା ଅଭିଯୋଗ ମାମଲା; ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଗର୍ଭବତୀ କର୍ମଚାରୀଙ୍କୁ ସିଡିପିଓଙ୍କ ନିର୍ଯାତନା ଅଭିଯୋଗ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଘଟଣାକୁ ଗୁରୁତ୍ବର ସହ ନେଇ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ଉପ ମୁଖ୍ୟମନ୍ତ୍ରୀ। ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ପ୍ରଭାତୀ। ଛୁଟି ନ ଦେବା ଓ ନିର୍ଯାତନାରୁ ଗର୍ଭସ୍ଥ ଶିଶୁର ମୃତ୍ୟୁ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ ମାସର ଗର୍ଭବତୀ ଥିଲେ। ହେଲେ ସେ ନିୟମିତ କାର୍ଯ୍ୟାଳୟ ଆସି କାମ କରୁଥିଲେ। ଗତ ୨୫ ତାରିଖରେ ସେ କାର୍ଯ୍ୟାଳୟରେ ଥିବା ବେଳେ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବାକୁ ବର୍ଷା ବିଭାଗୀୟ ଅଧୂକାରୀ ତଥା ସିଡିପିଓ ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲୋ କିନ୍ତୁ ସିଡିପିଓ ତାଙ୍କୁ ମେଡିକାଲ ନ ଛାଡ଼ି ବରଂ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ କରିଛନ୍ତି ବର୍ଷା।

ସେଦିନ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ଅତ୍ୟଧିକ ଗର୍ଭଯନ୍ତ୍ରଣା ଯୋଗୁଁ ବର୍ଷା ଅସୁୟୁ ହୋଇ ପଡ଼ିଲେ। ସିଡିପିଓ ନଶୁଣିବାରୁ ଖବର ପାଇ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଥିଲୋ ସେତେବେଳକୁ ବହୁ ବିଳମ୍ବ ହୋଇ ହୋଇ ଯାଇଥିଲା ଓ ତାଙ୍କ ଗର୍ଭରେ ଥିବା ଶିଶୁର ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲେ। ଏହାପରେ ବର୍ଷା ଜିଲ୍ଲାପାଳ ଓ ଏସପିଙ୍କୁ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।