ଦଳ ଛାଡିବା ପରେ ସୁନନ୍ଦାଙ୍କ ବିଷୋଦ୍ଗାର: ପାଳି ପାଳି କରି ବର୍ଷୁଛନ୍ତି ସମସ୍ତଙ୍କ ଉପରେ

ଭୁବନେଶ୍ୱର: ୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପାଇଁ ମୁଁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲି । ଠାକୁର ମୋ ଡାକ ଶୁଣିଲେ ଓ ବିଜେଡି ହାରିଲା । ଖୁସି ହୋଇ ମୁଁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଯାଇଥିଲି ଓ କୃତଜ୍ଞତା ଜଣାଇଥିଲି । ଏମିତି କିଛି କହିଛନ୍ତି ବିଜେଡିର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେବା ପରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ।

ଦଳରୁ ଇସ୍ତଫା ଦେବା ପରେ ଅନର୍ଗଳ ବର୍ଷୁଛନ୍ତି ସୁନନ୍ଦା ଦାସ । ଦଳ ଛାଡିବା ପଛର କାରଣଠାରୁ ଆରମ୍ଭ କରି ଦଳ ହାରିବା, ଦଳରେ ଏକଚାଟିଆ କ୍ଷମତା ବିକେନ୍ଦ୍ରୀକରଣ ଆଦି ଉପରେ ବର୍ଷୁଛନ୍ତି ସୁନନ୍ଦା । ବିଜେଡିର ପୂର୍ବତନ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦ୍ୱିତୀୟ କ୍ଷମତା କେନ୍ଦ୍ର ଭି କାର୍ତ୍ତିକେୟନ ପାଣ୍ଡିଆନ, ସଭାପତି ସମସ୍ତଙ୍କ ବିରୋଧରେ ବିଷୋଦ୍ଗାର କରିବାରେ ଲାଗିଛନ୍ତି ।

ସୁନନ୍ଦା ତାଙ୍କ ଟିକେଟ କଟିବା ପାଇଁ ବବିଙ୍କୁ ବିଶ୍ୱାସଘାତକ କହିଛନ୍ତି । ସେ କହିଛନ୍ତି ବବି ତାଙ୍କୁ ଆଶ୍ୱସ୍ତ କରିଥିଲେ କି, ତାଙ୍କୁ ହିଁ ଟିକେଟ ମିଳିବ । ଟିକେଟ ବାଣ୍ଟିବା ଦାୟିତ୍ୱ ତ ତାଙ୍କର, ତେଣୁ ଚିନ୍ତା ଶୂନ୍ୟ ହୋଇ ରୁହନ୍ତୁ । ହେଲେ ଶେଷ ସମୟରେ ତାଙ୍କ ଟିକେଟ କାଟିଦେଲେ । ସେମିତି ପାଣ୍ଡିଆନ ଦଳର ଛୋଟଠାରୁ ବଡ ସବୁ କଥା ବୁଝୁଥିବା ବେଳେ କିନ୍ତୁ ଠିକ ସମୟରେ କହିଲେ, ସେ ଯାଜପୁର କଥା ବୁଝୁ ନାହାନ୍ତି । ସେହିପରି ନବୀନ ପଟ୍ଟନାୟକ ଯଦି ଦଳର ଲଗାମ ନିଜ ହାତରେ ରଖିଥାନ୍ତେ ତେବେ ଦଳ ଆଜି ଏ ଦୁର୍ଦିନ ଦେଖିନଥାନ୍ତା ବୋଲି କହିଛନ୍ତି ଏକଦା ଦେଶରେ ଏକ ନମ୍ବର ବିଧାୟିକା ହୋଇଥିବା ସୁନନ୍ଦା ।

ସେ ଆହୁରି କହିଛନ୍ତି, ନବୀନ ପଟ୍ଟନାୟକ ଯଦି ଟିକେଟ ବାଣ୍ଟିଥାନ୍ତେ ତେବେ ଦଳ ବିଜୟୀ ହୋଇଥାନ୍ତା । କିନ୍ତୁ ସେ ସବୁ ଦାୟିତ୍ୱ ଏମାନଙ୍କୁ ଦେଇଥିଲେ । ଏମାନେ ଟିକେଟ ଦେବେ ଦେବେ କହି ନିରାଶ କଲେ । ମୁଁ ଜଗନ୍ନାଥଙ୍କୁ ମାନୋ ତାଙ୍କ ନିକଟରେ ସବୁ ଦୁଃଖ ଜଣାଇଥାଏ । ଏ ଦୁଃଖ ବି ଜଣାଇଥିଲି । ଏଥିସହ ପ୍ରାର୍ଥନା କରିଥିଲି କି, ବିଜେଡି ଚଳିତ ନିର୍ବାଚନରେ ପରାସ୍ତ ହେଉ । ଠାକୁର ମୋ ଡାକ ଶୁଣିବାରୁ ମୁଁ ତାଙ୍କୁ ଦର୍ଶନ କରି ଧନ୍ୟବାଦ ଜଣାଇଛି ।

ସୁନନ୍ଦା ଦଳ ଛାଡିବାକୁ ନେଇ କହିଛନ୍ତି କି, ଦଳରେ ସଭାପତି କିଛି ବୁଝୁନଥିଲେ । ବବି, ପାଣ୍ଡିଆନ ଓ କିଛି ଅଧିକାରୀ (ଡି ଏସ କୁଟ୍ଟୁ, ଆଶିଷ ସିଂହ) ଟିକେଟ ବାଣ୍ଟିବା ଦାୟିତ୍ୱରେ ଥିଲେ । ଦଳପାଇଁ ଛାଳ ବୁହାଇଥିବା ନେତାଙ୍କୁ ଅଣଦେଖା କରି ମନଇଛା ଟିକେଟ ବାଣ୍ଟିଲେ । ତଥାପି ଦଳରେ ଥିଲି । କିନ୍ତୁ ନିକଟ ଅତୀତରେ ଯେତେବେଳେ ସର୍ବସାଧାରଣରେ ବବି ଦାସ କହିଲେ ବିଜେଡି କହିଲେ ବବି, ଜିତୁ ଓ ଡାନିଙ୍କୁ ବୁଝାଏ ସେତେବେଳେ ଦେଖିଲି ଏହି ଦଳରେ ସଭାପତିଙ୍କ ମଧ୍ୟ କିଛି ଗୁରୁତ୍ୱ ନାହିଁ ଏହି ଦଳରେ ରହିବା ଠିକ ନୁହେଁ ବୋଲି ଅନୁଭବ କରି ଦଳ ଛାଡିଲି ବୋଲି କହିଛନ୍ତି ସୁନନ୍ଦା ।

ସୁନନ୍ଦଙ୍କ ଏହି ବିସ୍ଫୋରକ ବୟାନ ଦଳ ଭିତରେ ସବୁକିଛି ଠିକ ନାହିଁ ଓ ଦଳର ପ୍ରକୃତ ତଥା କର୍ମଠ ନେତାମାନେ ଧୀରେ ଧୀରେ ନିଷ୍ପେସିତ ହେଉଛନ୍ତି ତାହା ଦର୍ଶାଉଛି । ଆଗକୁ ସେ ଆହୁରି ଗୁମର ଖୋଲିବେ ବୋଲି ଲୋକେ ଚାହିଁ ବସିଛନ୍ତିା ଦଳ ଛାଡିବା ପରେ ଏବେ ସୁନନ୍ଦାଙ୍କ ଗତି କୁଆଡେ ତାକୁ ଦେଖିବାକୁ ବାକି ରହିଲା ।