ଇଜରାଇଲ ଆକ୍ରମଣରେ ଘାଇଲା ହିଜବୁଲ୍ଲାହ, ଯୁଦ୍ଧ ବିରାମ ପ୍ରସ୍ତାବକୁ କରିଛି ଅପେକ୍ଷା

ନୂଆଦିଲ୍ଲୀ: ଇଜରାଇଲ ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇପଡିଲାଣି ଲେବାନନର ଆତଙ୍କୀ ସଂଗଠନ ହିଜବୁଲ୍ଲାହ । ତାର ଅବସ୍ଥା ଦେଖି ଲାଗୁଛି, ଖୁବ ଶୀଘ୍ର ସଂଗଠନ ଇଜରାଇଲ ନିକଟରେ କରିପାରେ ଆତ୍ମସମର୍ପଣ । ବୁଧବାର ଦିନ ସଂଗଠନର ନୂଆ ନେତା ନଇମ କାସିମ ଏମିତି କିଛି ସଙ୍କେତ ଦେଇଛନ୍ତି । ସେ କହିଛନ୍ତି, ଯଦି ପ୍ରସ୍ତାବ ଦିଆଯାଏ, ତେବେ ସର୍ତ୍ତମୂଳକ ଯୁଦ୍ଧବିରାମ ଉପରେ ସହମତି ପ୍ରକାଶ ପାଇବ ।

ଗତ ମାସରେ ହସମ ନସରଲ୍ଲାହର ମୃତ୍ୟୁ ପରେ ସଂଗଠନର ଭାର ନେଇଛନ୍ତି କାସିମ । କିଛି ଦିନ ହେବ ହିଜବୁଲ୍ଲାହର ଆଡ୍ଡା ଉପରେ ଇଜରାଇଲ ଘନ ଘନ ଆକ୍ରମଣ କରୁଛି । ଏହାକୁ ଦେଖ କାସିମ କହିଛନ୍ତି କି, ହିଜବୁଲ୍ଲାହ ଇଜରାଇଲର ମୁକାବିଲା ଲମ୍ବା ସମୟ ପାଇଁ କରିବାକୁ ସକ୍ଷମ । ତଥାପି ଇଜରାଇଲ ତରଫରୁ ଯଦି କୌଣସି ବିଶ୍ୱାସଯୋଗ୍ୟ ପ୍ରସ୍ତାବ ଦିଆଯାଏ ଯୁଦ୍ଧ ବିରାମ ପାଇଁ, ତେବେ ଏହାକୁ ନିଶ୍ଚିତ ସ୍ୱୀକାର କରିବୁ । ଏକ ଆନ୍ତର୍ଜାତିକ ମିଡିଆ ସହ ସାକ୍ଷାତକାର ଦେବା ଅବସରରେ ଏହା କହିଛନ୍ତି କାସିମ । ହେଲେ ହିଜବୁଲ୍ଲାହ ଯେଉଁ ସର୍ତ୍ତ ରଖିବ ତାକୁ ଇଜରାଇଲକୁ ମାନିବାକୁ ପଡିବ ବୋଲି କହିଛନ୍ତି କାସିମ ।

ଇଜରାଇଲ ତରଫରୁ ପୂର୍ବାଞ୍ଚଳରେ ଥିବା ସହର ବାଲବେକକୁ ଟାର୍ଗେଟ କରାଯାଉଛି । ଏଠାରେ ହିଁ ହିଜବୁଲ୍ଲାର ଗଡ ଥିବା କୁହାଯାଉଛି । ନିକଟରେ ଇଜରାଇଲର ରକେଟ ମାଡରେ ହିଜବୁଲ୍ଲାହର ଜଣେ ବରିଷ୍ଠ କମାଣ୍ଡୋଙ୍କର ମୃତ୍ୟୁ ହୋଇଥିବା ବେଳେ ଲେବାନନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୯ ଜଣଙ୍କ ମୃତ୍ୟୁ ନେଇ ସୂଚନା ଦିଆଯାଇଥିଲା ।

ଯୁଦ୍ଧରେ ଲେବାନନ ଅଧିକ କ୍ଷତିଗ୍ରସ୍ତ ହେଉଛି । ତେଣୁ ଶୀଘ୍ର ଯୁଦ୍ଧବିରାମ ହେବା ନେଇ ଆଶା ରଖିଛନ୍ତି ସେଠାକାର ପ୍ରଧାନମନ୍ତ୍ରୀ ନଜିବ ମିକାତି । ସେପଟେ ୫ ନଭେମ୍ବରକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହା ପୂର୍ବରୁ ହିଁ ଯୁଦ୍ଧ ବିରାମ ହେବ ବୋଲି ଆମେରିକା ତରଫରୁ ଆଶା କରାଯାଉଛି ।