ବ୍ରିକ୍ସ ଓ G-7 ମଧ୍ୟରେ ସମନ୍ୱୟ, ବିଶ୍ୱ ମଧ୍ୟସ୍ଥତା ଦିଗରେ ଭାରତର ଉତ୍କର୍ଷ ଭୂମିକାକୁ ଦର୍ଶାଉଛି

ନୂଆଦିଲ୍ଲୀ: ବ୍ରିକ୍ସରେ ଭାରତର ଭୂମିକା ବିଶ୍ୱ ରାଜନୈତିକ ପୃଷ୍ଠଭୂମିରେ ଶୀର୍ଷ ସ୍ଥାନକୁ ନେଇଛି । ଚୀନ, ଋଷ ପରି ବିକଶିତ ରାଷ୍ଟ୍ର ସହ ଦକ୍ଷତାର ସହ ସମ୍ପର୍କ ସ୍ଥାପନ କରିବା ଓ କାନାଡାକୁ ଛାଡିଦେଲେ ଜି-୭ରେ ଥିବା ଶକ୍ତିଶାଳୀ ପାଶ୍ଚାତ୍ୟ ଦେଶଗୁଡିକ ସହ ସମ୍ପର୍କ ସୁଦୃଢ କରିଛି ଭାରତ। ପାଶ୍ଚାତ୍ୟ ଦେଶଙ୍କ ସମାଲୋଚନାକୁ ଏଡାଇ ଭାରତ ସବୁ ଗୋଷ୍ଠୀ ସହ ସୁ ସମ୍ପର୍କ ସ୍ଥାପନରେ ସକ୍ଷମ ହୋଇଛି । ଏହା ଭାରତକୁ ବିଶ୍ୱ କୂଟନୈତିକ ସ୍ତରରେ ଦେଶ ଦେଶ ମଧ୍ୟରେ ଥିବା ଭେଦଭାବ ଦୂର କରିବାରେ ସହାୟକ କରୁଛି ।

ନିକଟରେ ଋଷର କାଜାନାରେ ହୋଇଥିବା ବ୍ରିକ୍ସ ସମିତିରେ ଭାରତ ସ୍ୱତନ୍ତ୍ରତା ଦର୍ଶାଇସାରିଛି । ପ୍ରଧାନମନ୍ତ୍ରୀ ମୋଦି, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ରାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଭେଟି ବିଶ୍ୱ ଶାନ୍ତି ପାଇଁ ଆଲୋଚନା କରିଛନ୍ତି । ଏହା ବ୍ରିକ୍ସରେ ଭାରତର ଗୁରୁତ୍ୱ ପ୍ରତିପାଦନ କରୁଛି । ଯାହାକୁ ନେଇ ବିଶ୍ୱର ପ୍ରସିଦ୍ଧ ରାଜନୈତି ବିଶେଷଜ୍ଞ ଇଆନ ବ୍ରେମର ଗ୍ଲୋବାଲ ସାଉଥରେ ଭାରତର ନେତୃତ୍ୱ ଓ ଚୀନ ସହ ସ୍ଥିର ସମ୍ପର୍କ ସ୍ଥାପନର ଦକ୍ଷତାକୁ ପ୍ରଶଂସା କରିଛନ୍ତି ।

ବ୍ରିକ୍ସ ଶିଖର ସମ୍ମିଳନୀରେ ମୋଦି ଓ ଜିନପିଙ୍ଗଙ୍କ ଉପରେ ଥିଲା ସାରା ବିଶ୍ୱର ନଜର । କାରଣ ୪ ବର୍ଷ ହେବ ଚୀନ ଓ ଭାରତ ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି ଓ ଏହାରି ଭିତରେ ପ୍ରଥମ ଥର ପାଇଁ ଦୁଇ ନେତା ଆଲୋଚନା କରିଛନ୍ତି । ଏଥିସହ ଚୀନ ସହ ଥିବା ବିବାଦର ସମାଧାନ ପ୍ରକ୍ରିୟାକୁ ଜାରି ରଖି ୩୦ରୁ ଅଧିକ ଥର ଆଲୋଚନା କରିବା ବିଶ୍ୱ ମଧ୍ୟସ୍ଥତା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତର ଆଭିମୁଖ୍ୟକୁ ବିଶ୍ୱ ଦରବାରରେ ପ୍ରତିପାଦିତ କରିଛି । ସେହିପରି ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧରେ ଭାରତ ଉଭୟ ଦେଶ ସହ ଉତ୍ତମ ସମ୍ପର୍କ ରଖି ଶାନ୍ତି ପ୍ରତିଷ୍ଠା ଦିଗରେ କାମ କରୁଛି ।

ଏହା ବ୍ୟତୀତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କୁ ଭେଟି ବିଶ୍ୱ ଶାନ୍ତି ଉପରେ ଆଲୋଚନା କରିଥିଲେ । ଏଥିସହ ପାକିସ୍ତାନକୁ ଚୀନ ସମର୍ଥନକୁ ନେଇ ମୋଦି ଚୀନକୁ ମଧ୍ୟ ସମାଲୋଚନା କରିବାକୁ ପଛେଇନଥିଲେ । ଆତଙ୍କବାଦକୁ ନେଇ ଦୋମୁହାଁ ନୀତି ଗ୍ରହଣୀୟ ନୁହେଁ ବୋଲି କହିଥିଲେ ମୋଦି । ଏଥିସହ ସମସ୍ତ ସହଯୋଗୀ ଦେଶଙ୍କୁ ଆତଙ୍କବାଦ ବିରୋଧରେ ଏକଜୁଟ ହୋଇ ଲଢିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ବିଶ୍ୱ ଯୁଦ୍ଧ, ଅର୍ଥନୈତିକ ଅନିଶ୍ଚିତତା, ଜଳବାୟୁ ପରିବର୍ତ୍ତନ ଓ ଆତଙ୍କବାଦ ଭଳି ବହୁ ଆହ୍ୱାନକୁ ସମ୍ମୁଖୀନ ହେଉଥିବା ବେଳେ ସମ୍ମିଳନୀ ହେଉଥିବାରୁ ଏହି ସବୁର ସମାଧାନ ଦିଗରେ ଏକତ୍ରୀତ କାମ କରିବାକୁ ମୋଦି ଆହ୍ୱାନ ଦେଇଥିଲେ ।

ବ୍ରିକ୍ସ ୨୦୨୪ରେ ଭାରତର ନେତୃତ୍ୱ ପୂର୍ବ ପଶ୍ଚିମ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଲିଙ୍କ ଭାବରେ ଏହାର ଭୂମିକାକୁ ଦର୍ଶାଇଛି । ଭାରତର ରଣନୀତିରେ ଲକ୍ଷ୍ୟଗୁଡିକ ଆଞ୍ଚଳିକ ସ୍ଥିରତା, ସୁରକ୍ଷା, ସହଭାଗିତା, ଆତଙ୍କବାଦ ବିରୋଧୀ ତଥା ଭାରତ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସୁରକ୍ଷା ଭଳି ପ୍ରମୁଖ ଆଲୋଚନା ହୋଇଥିଲା । ସେହିପି ଖାଲିସ୍ଥାନୀ ଆତଙ୍କୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ମୃତ୍ୟୁକୁ ନେଇ ଭାରତ ବିରୋଧରେ କାନାଡାର ଅଭିଯୋଗ ପାଇଁ ଏବେ ଭାରତ ଓ କାନାଡା ଭିତରେ ତିକ୍ତତା ଲାଗି ରହିଛି । ଏହା କୂଟନୈତିକ, ଇମିଗ୍ରେସନ ଓ ବାଣିଜ୍ୟକୁ ପ୍ରଭାବିତ କରିଛି ।

ଏସବୁ ସତ୍ତ୍ବେ ବ୍ରିକ୍ସ, ୨୦୨୪ରେ ଭାରତର ନେତୃତ୍ୱ ନିଶ୍ଚତ ଅନନ୍ୟ ।