ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଏହି ହ୍ରାସ ଦେଶର ସବୁଠୁ ଧନୀ ଲୋକଙ୍କ ସଂପତ୍ତି ଉପରେ ପ୍ରଭାବ ପକାଇଛି । ରିଲାଏନ୍ସର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ସୋମବାର ଦିନ ହ୍ରାସ ଦେଖିବାକୁ ମିଳିଛି । ସେହିପରି ଅଦାନୀ ଗ୍ରୁପର ମାଲିକ ଗୌତମ ଅଦାନୀଙ୍କର ସଂପତ୍ତି ମଧ୍ୟ ଗୋଟିଏ ଦିନରେ କମିଯାଇଛି । ଏଥିପାଇଁ ଦୁନିଆର ସବୁଠୁ ଧନୀ ଲୋକଙ୍କ ତାଲିକାରେ ଏହି ଦୁଇ ବିଜନେସମ୍ୟାନଙ୍କ ନାମ ତଳକୁ ଖସିଯାଇଛି । ସୋମବାର ଦିନ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଂକ ସେନସେକ୍ସ ୧.୧୮ ପ୍ରତିଶତ ବା ୯୪୧ ଅଙ୍କ ତଳକୁ ଖସି ୭୮ ହଜାର ୭୮୨ରେ ବନ୍ଦ ହୋଇଥିଲା । ସେହିପରି ନେସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧.୨୭ ପ୍ରତିଶତ ବା ୩୦୯ ଅଙ୍କର ହ୍ରାସ ସହ ୨୩ହଜାର ୯୯୫ରେ ବନ୍ଦ ହୋଇଥିଲା ।
ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ସୋମବାର ଦିନ ୨.୭୨ ଅରବ ଡଲାର ବା ୨୩ ହଜାର ୩୯୦ କୋଟି ଟଙ୍କାର କ୍ଷତି ହୋଇଥିଲା । ଏଥିରେ ମୁକେଶ ଅମ୍ବାନୀଙ୍କର ନେଟୱର୍ଥ ଖସି ୯୮.୮ ଅରବ ଡଲାର ହୋଇଯାଇଥିଲା । ବ୍ଲୁମବର୍ଗ ବିଲିୟନେୟାର୍ସ ତାଲିକା ଅନୁସାରେ, ଦୁନିଆର ସବୁଠୁ ଧନୀ ଲୋକଙ୍କ ତାଲିକାରେ ମୁକେଶ ଅମ୍ବାନୀ ୧୭ ନମ୍ବର ସ୍ଥାନକୁ ଖସିଆସିଛନ୍ତି । ଚଳିତ ବର୍ଷ ଏପର୍ଯ୍ୟନ୍ତ ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ସମୁଦାୟ ୨.୪୨ ଅରବ ଡଲାରର ବୃଦ୍ଧି ଘଟିଛି ।
ସେହିପରି ଗୌତମ ଅଦାନୀଙ୍କ ନେଟୱର୍ଥରେ ସୋମବାର ଦିନ ୨.୦୬ ଅରବ ଡଲାର ବା ୧୭,୩୩୨ କୋଟି ଟଙ୍କାର କ୍ଷତି ଘଟିଛି । ଏଥିରେ ତାଙ୍କର ନେଟୱର୍ଥ ୯୨.୩ ଅରବ ଡଲାର ରହିଯାଇଛି । ବ୍ଲୁମବର୍ଗ ବିଲିୟନେୟର୍ସ ତାଲିକା ଅନୁଯାୟୀ, ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ଗୌତମ ଅଦାନୀ ୧୮ ନମ୍ବର ସ୍ଥାନକୁ ଖସି ଆସିଛନ୍ତି ।ଚଳିତ ବର୍ଷ ଏପର୍ଯ୍ୟନ୍ତ ଗୌତମ ଅଦାନୀଙ୍କ ନେଟୱର୍ଥରେ ସମୁଦାୟ ୮.୦୫ ଅରବ ଡଲାର ବୃଦ୍ଧି ଘଟିଛି ।