ନୂଆଦିଲ୍ଲୀ: ବକ୍ସିଂରେ ଇତିହାସ ରଚିଛି ଭାରତ । ବିଶ୍ୱ ବକ୍ସିଂ ମହାସଂଘ (ଡବ୍ଲ୍ୟୁବିଏଫ) ୱାର୍ଲ୍ଡ ଟାଇଟଲ ଜିତିଛନ୍ତି ଭାରତୀୟ ଯୁବକ ମନଦୀପ ଜାଙ୍ଗ୍ରା । ପ୍ରଥମ ଥର ଜଣେ ଭାରତୀୟ ପ୍ରଫେସନାଲ ବକ୍ସର ବିଶ୍ୱ ଚାମ୍ପିୟନ ହୋଇ ଇତିହାସ ରଚିଛନ୍ତି । କେମନ ଆଇସଲ୍ୟାଣ୍ଡରେ ଆୟୋଜିତ ହୋଇଥିବା ଏହି ଟାଇଟଲ ଲଢ଼େଇରେ ଭାରତୀୟ ବକ୍ସର ବ୍ରିଟେନର କନର ମ୍ୟାକଇଣ୍ଟୋସଙ୍କୁ ପରାସ୍ତ କରିଥିଲେ । ୧୦ ରାଉଣ୍ଡ ଖେଳାଯାଇଥିବା ଏହି ଫାଇଟରେ ମନଦୀପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ନିଜର ଆଧିପତ୍ୟ ଜାହିର କରିଥିଲେ । ମନଦୀପଙ୍କ ଶକ୍ତିଶାଳୀ ପଞ୍ଚକୁ ବ୍ରିଟେନ ବକ୍ସର ପ୍ରତିହତ କରିବାରେ ବିଫଳ ହୋଇଥିଲେ ।
ସୂଚନାଯୋଗ୍ୟ ଯେ, ୩୧ ବର୍ଷୀୟ ଭାରତୀୟ ପ୍ରଫେସନାଲ ବକ୍ସର ମନଦୀପ ପୂର୍ବତନ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ରୟ ଜୋନ୍ସ ଜୁନିୟରଙ୍କ ଠାରୁ ଟ୍ରେନିଂ ନେଉଛନ୍ତି । ମନଦୀପ ପେଶାଦାର କ୍ୟାରିୟରରେ ୧୨ଟି ଫାଇଟରୁ ୧୧ଟିରେ ଜିତି ସାରିଛନ୍ତି । ସେଥିମଧ୍ୟରୁ ସେ ୭ଟିରେ ନକଆଉଟରେ ବିଜୟ ହାସଲ କରିଥିଲେ । ଏହା ପୂର୍ବରୁ ୨୦୧୩ ଏସିଆନ ଆମେଚର ବକ୍ସିଂ ଚାମ୍ପିୟନଶିପରେ ମନଦୀପ ରୌପ୍ୟ ପଦକ ହାସଲ କରିଥିଲେ । ତା’ପରେ ୨୦୧୪ରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଥିଲେ ।