କୋଲକାତା: ଦେଶର ସବୁଠାରୁ ପୁରୁଣା ଓ ବଡ଼ ସହର ଭାବେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ବେଶ୍ ଜଣାଶୁଣା । ରାଜଶାସନ ବେଳେ ନୱାବ୍ମାନେ କୋଲାକାତାକୁ ଶାସନ କରିଛନ୍ତି ଓ ତାକୁ ଉନ୍ନତ କରି ଗଢ଼ି ତୋଳିବାରେ ସେମାନଙ୍କ ବଡ଼ ଭୂମିକା ରହିଛି । ଇତିହାସରେ କୋଲକାତା ସମ୍ପର୍କରେ ବହୁ ଆଲୋଚନା ହୋଇଥିବାବେଳେ ଏବେ କିନ୍ତୁ ସହରକୁ ନେଇ ଏକ ଆଲୋଚନା ଦେଖାଯାଇଛି । ତା’ପୁଣି ସୋସିଆଲ ମିଡିଆରେ । ଡି.ଏସ. ବାଲାଜୀ ନାମକ ଜଣେ ଏକ୍ସ ୟୁଜର ସୋସିଆଲ ମିଡିଆରେ କୋଲକାତାରେ ନିଜ ଅନୁଭୂତି ନେଇ ଏକ ପୋଷ୍ଟ ଶେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, କୋଲକାତା ସହର ଦେଶର ସବୁଠୁ ଅପରିଷ୍କାର ସହର । ସହର ଚାରିଆଡ଼େ ଉନ୍ମୁକ୍ତ ନାଳ-ନର୍ଦ୍ଦମା, ସିଲଦାହ ଏବଂ ବଡ଼ବଜାର ଏରିଆର ରାସ୍ତା ଉପରେ ଖୋଲାଖୋଲି ଭାବେ ଅଳିଆ ଆବର୍ଜନ ପଡ଼ି ରହିଛି । ଦୁର୍ଗନ୍ଧରେ ନାକ ଫାଟିପଡ଼ୁଛି । ନିଶ୍ୱାସ ନେବା ସେ ସ୍ଥାନରେ କାଠିକରପାଠ ହୋଇପଡୁଛି । ସେଠାକାର ଲୋକମାନେ ମଧ୍ୟ ଏ ପ୍ରକାର ପରିବେଶକୁ ଉପଭୋଗ କରୁଛନ୍ତି । ନାଳ କଡ଼ରେ ଥିବା ଦୋକାନରେ ବିନା ଦ୍ୱିଦ୍ଧାରେ ଜଳଖିଆ କରୁଥିବା ଆଶ୍ଚର୍ଯ୍ୟକର ଥିଲା ।
ନିଜ ଅନୁଭୂତି ସୋସିଆଲ ମିଡିଆରେ ଶେୟାର କରିବା ସହ କିଛି ଫଟୋ ଓ ଭିଡିଓ ମଧ୍ୟ ସେ ଏକ୍ସରେ ଅପଲୋଡ କରିଛନ୍ତି । ବାଲାଜୀଙ୍କ ପୋଷ୍ଟକୁ ଏବେ ସୁଦ୍ଧା ୬.୨ ମିଲିୟନ୍ ୟୁଜର୍ସ ଦେଖିସାରିଲେଣି । ଅନେକ ଲୋକ କମେଣ୍ଟ ବକ୍ସରେ ଏ କଥାକୁ ସ୍ୱୀକାର କରିଛନ୍ତି ଯେ, କୋଲକାତା ସବୁଠୁ ଅପରିଷ୍କାର । କିନ୍ତୁ ଆଉ କିଛି ଏହାକୁ ପ୍ରତ୍ୟାକ୍ଷାନ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଭାଇ ତୁମେ ପୁରୁଣା କୋଲକାତା ଯାଇଛ । ନିୟୁ ଟାଉନ୍ ବୁଲିଆସ ଅପରିଷ୍କାର ପାଇବନି । ସେହିପରି ଆଉଜଣେ ୟୁଜର ବାଲାଜୀଙ୍କ କଥାରେ ସ୍ୱର ମିଳାଇଛନ୍ତି । ଆଉ ଜଣେ ଲେଖିଛନ୍ତି, ମୋ ପିଲାବେଳ କୋଲାକାତାରେ କଟିଛି । ମୋ ସହରକୁ ନେଇ ମୁଁ ଗର୍ବିତ କିନ୍ତୁ ପରିଷ୍କାର ପରିଚ୍ଛନ୍ନ କ୍ଷେତ୍ରରେ କୋଲକାତା ବହୁତ ପଛୁଆ, ଯେଉଁଥିରୁ ଆମେ କେବେ ମୁହଁ ଫେରାଇ ପାରିବା ନାହିଁ ।