କାନପୁର: କଂଗ୍ରେସର ସମ୍ବିଧାନ ବଣ୍ଟାକୁ ସମାଲୋଚନା କରିଛି ଶାସକ ଭାରତୀୟ ଜନତା ପାର୍ଟି । ଦେଶର ସମ୍ବିଧାନକୁ ବିରୋଧୀ ଦଳ ନୋଟପ୍ୟାଡ ପରି ବ୍ୟବହାର କରୁଥିବା କହିଛି ବିଜେପି । ବୁଧବାର ମହାରାଷ୍ଟ୍ର ନାଗପୁରସ୍ଥିତ ସୁରେଶ ଭଟ ସଭାଗୃହରେ କଂଗ୍ରେସ ପକ୍ଷରୁ ସମ୍ବିଧାନ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ଲୋକସଭାର ବିରୋଧୀ ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଲାଲ୍ ରଙ୍ଗର ବହି ବଣ୍ଟା ଯାଇଥିଲା । ଯାହା ଉପରେ ଇଂରାଜୀରେ ଲେଖାଥିଲା ଭାରତୀୟ ସମ୍ବିଧାନ । ଏହାର ଭିତର ପ୍ରଥମ ପୃଷ୍ଠାରେ କେବଳ ପ୍ରିଏମ୍ବଲ ଲେଖାଥିଲା । ବାକି ପୃଷ୍ଠା ଖାଲି ଥିଲା । ଯାହାକୁ ନେଇ କଂଗ୍ରେସକୁ ଘେରିଛି ବିଜେପି ।
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧର ପ୍ରଚାରରେ ଲାଗିପଡ଼ିଛି ଶାସକ ଦଳ । ସମ୍ମିଳନୀରେ ବଣ୍ଟାଯାଇଥିବା ସମ୍ବିଧାନ ଫଟୋ ଓ ଭିଡିଓ ଦଳ ପକ୍ଷରୁ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରାଯାଇଛି । ଏହାର ଜବାବରେ କଂଗ୍ରେସ ନେତା ବିଜୟ ବଡେଟ୍ଟିବାର କହିଛନ୍ତି, ରାହୁଲଙ୍କ ନାଗପୁର ଗସ୍ତରେ ଭାଜପା ଡରି ଯାଇଛି । ଯାହାଫଳରେ ସେ ଏମିତି ବିଭ୍ରାନ୍ତିକର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରୁଛି । ରାହୁଲ ଗାନ୍ଧୀ ଭାଜପାର ମିଛ ଉପରୁ ପର୍ଦ୍ଦା ହଟେଇବେ । କେବଳ ସମୟକୁ ଅପେକ୍ଷା କର । ସମ୍ମିଳନୀରେ ଅସିଥିବାଲୋକଙ୍କୁ ନୋଟପ୍ୟାଡ ହିଁ ଦିଆଯାଏ, ଆଉ ଦଳ ସେୟା ହିଁ କରିଛି । ଏହାରର ଉତ୍ତରରେ ଭାଜପା ପ୍ରତିକ୍ରିୟା ରଖି କହିଛି, ନୋଟପ୍ୟାଡ ସମ୍ବିଧାନର ଆବରଣ ଲଗେଇ ଲୋକଙ୍କୁ ବାଣ୍ଟିବାର ଅର୍ଥ ଡ. ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନର ଅପମାନ କରିବା । ଏହାପୂର୍ବରୁ ଅନେକ ଥର ବିରୋଧୀ ଦଳ ସମ୍ବିଧାନର ଅବମାନନା କରିସାରିଛି ଆଉ ଏବେ ସମ୍ବିଧାନର କଭର୍ ନୋଟପ୍ୟାଡ ଭାବେ ବ୍ୟବହାର କରୁଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ।