ଦିନେ ଥିଲେ ଏୟାର ହଷ୍ଟେସ୍, ଗ୍ଲାମର ଦୁନିଆରେ ପାଦ ଥାପିବା ପାଇଁ ଚାକିରି ଛାଡ଼ିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ତାଙ୍କର ଅନେକ ଦିୱାନା । ବଲିଉଡରେ ବୋଲ୍ଡ ଅଭିନେତ୍ରୀଙ୍କ ତାଲିକାରେ ତାଙ୍କ ନାଁ ସାମିଲ ରହିଛି । ବଲିଉଡରେ ଏଣ୍ଟ୍ରି କରିବା ପାଇଁ ସେ ନିଜ ନାମ ପରିବର୍ତ୍ତନ କରିଥିଲେ । ପ୍ରଥମେ ଟିଭି ବିଜ୍ଞାପନ ମାଧ୍ୟରେ ସେ କ୍ୟାମେରା ସାମ୍ନାକୁ ଆସିଥିଲେ । ସେ ଆଉ କେହି ନୁହଁନ୍ତି ବୋଲ୍ଡ ଏବଂ ଗ୍ଲାମର ଗାର୍ଲ ମଲ୍ଲିକା ଶେରାୱତ ।

୧୯୭୬ ଅକ୍ଟୋବର ୨୪ରେ ରୋହତକ ହରିୟାଣାରେ ଜନ୍ମ ଗ୍ରହଣ କରିଥିଲେ ବୋଲ୍ଡ ଏବଂ ଗ୍ଲାମର ଗାର୍ଲ ମଲ୍ଲିକା ଶେରାୱତ । ତାଙ୍କ ପ୍ରକୃତ ନାଁ ରୀମା ଲାମ୍ବା । ପିଲାଦିନୁ ସେ ପାଠପଢ଼ାରେ ବହୁତ ବିଚକ୍ଷଣ ଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ମିରାଣ୍ଡା ହାଉସ୍ କଲେଜରୁ ସେ ଫେଲୋଶିପ୍ ଡିଗ୍ରୀ ହାସଲ କରିଥିଲେ । ମଲ୍ଲିକାଙ୍କୁ ଜଣେ ଆଇଏଏସ୍ ଅଫିସର ଭାବେ ଦେଖିବା ତାଙ୍କ ପିତାଙ୍କ ସ୍ୱପ୍ନ ଥିଲା । ଅପରପକ୍ଷରେ ମଲ୍ଲିକା ଏୟାର ହଷ୍ଟେସ୍ ହେବାକୁ ଚାହୁଁଥିଲେ । ତେଣୁ ସେ ନିଜ ପାଠପଢ଼ା ଶେଷ କରିବା ପରେ ସ୍ୱପ୍ନ ସାକାର କରିବା ପାଇଁ ମୁମ୍ବାଇ ଚାଲିଆସିଥିଲେ । ବଲିଉଡରେ ପାଦ ଥାପିବା ପୂର୍ବରୁ ସେ ଜଣେ ଏୟାର ହଷ୍ଟେସ୍ ଥିଲେ । ଫିଲ୍ମ ଦୁନିଆରେ ଏଣ୍ଟ୍ରି କରିବା ପାଇଁ ସେ ଚାକିରି ଛାଡ଼ିଥିଲେ । ଏଥିପାଇଁ ସେ ପରିବାରଙ୍କ ବିରୋଧରେ ମଧ୍ୟ ଯାଇଥିଲେ । ୨୦୨୨ରେ ସେ ତଲତ ଜାନୀଙ୍କ ନିର୍ଦ୍ଦେଶିତ ‘ଜୀନା ସିର୍ଫ ମେରେ ଲିୟେ’ ଫିଳ୍ମରୁ ଡେବ୍ୟୁ କରିଥିଲେ । ୨୦୦୩ରେ ଗୋବିନ୍ଦ ମେନନଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଖ୍ୱାହିଶ’ ଫିଲ୍ମରୁ ସେ ନଜର ଆସିଥିଲେ । ଏହା ପରେ ୨୦୦୪ରେ ‘ମର୍ଡ଼ର’ ଫିଲ୍ମରୁ ସେ ଲୋକପ୍ରିୟ ହୋଇଥିଲେ । ବଲିଉଡ୍ ବାଦ୍ ସେ ହଲିଉଡରେ ଜାକି ଚ୍ୟାନଙ୍କ ସହ ‘ଦି ମିଥ୍’ ଫିଲ୍ମରେ ଅଭିନୟ କରିଛନ୍ତି । ତାଙ୍କୁ ଏକ ସାକ୍ଷାତକାରରେ ମଲ୍ଲିକା କହିଥିଲେ କି ତାଙ୍କୁ ଲୋକମାନେ ‘ଫୋନ’ କହି ସମ୍ବୋଧିତ କରୁଥିଲେ । ମଲ୍ଲିକା ବଲିଉଡରେ ଡର୍ଟି ପଲିଟିକ୍ସ, ପ୍ୟାର୍ କେ ସାଇଡ୍ ଏଫେକ୍ଟ୍ସ, ଡବଲ ଧମାଲ, ହିସ୍ ଏବଂ ହଲିଉଡରେ ପଲିଟିକ୍ସ ଅଫ୍ ଲଭ୍ ଏବଂ ଟାଇମ୍ ରାଇଡର୍ସ ଭଳି ହିଟ୍ ଫିଲ୍ମରେ ନଜର ଆସିଛନ୍ତି ।

ସେ ପ୍ରଥମ ଭାରତୀୟ ଅଭିନେତ୍ରୀ ଯାହାଙ୍କୁ ପ୍ଲେବୟ ମାଗାଜିନର କଭର ପାଇଁ ବିନା ପୋଷାକରେ ଫଟୋ ଶୁଟ୍ ପାଇଁ ଅଫର ମିଳିଥିଲା । ଏଭଳି ଅଫରକୁ ପ୍ରତ୍ୟାଖାନ କରିବା ପରେ ତାଙ୍କୁ ଫିଲ୍ମରେ ଭୂମିକା ମଳିବା କମିଗଲା । ଏୟାର ହଷ୍ଟେସ୍ ଥିବା ସମୟରେ ମଲ୍ଲିକା ୧୯୯୭ରେ ଦିଲ୍ଲୀ ପାଇଲଟ୍ କରଣ ସିଂହ ଗିଲଙ୍କୁ ବିବାହ କରିଥିଲେ । କିନ୍ତିୁ ଏହି ବିବାହ ଅଧିକ ଦିନ ତିଷ୍ଟି ପାରିନଥିଲା ଏବଂ ଦୁହିଁଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା । ନିକଟରେ ତାଙ୍କୁ ରାଜ୍ ଶାନ୍ଦିଲ୍ୟାଙ୍କ ନିର୍ଦ୍ଦେଶିତ କମେଡି ଡ୍ରାମା ଫିଲ୍ମ ‘ଭିକି ବିଦ୍ୟା କା ୱୋ ୱାଲା ଭିଡିଓ’ରେ ଦେଖିବାକୁ ମିଳିଥିଲା । ଏଥିରେ ସେ ରାଜକୁମାର ରାଓ ଏବଂ ତୃପ୍ତି ଡିମରୀଙ୍କ ସହ ନଜର ଆସିଥିଲେ ।