ଭୁବନେଶ୍ୱର: ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନେଇ ବ୍ୟଥିତ ମୁଖ୍ୟମନ୍ତ୍ରୀ । ଏହି ଶ୍ରେଣୀର ଅପରାଧ ପ୍ରତି ତାଙ୍କ ସରକାର ଶୂନ୍ୟ ସହନଶୀଳତା ଅବଲମ୍ବନ କରୁଛି । ଗ୍ରାମାଞ୍ଚଳର ମହିଳାଙ୍କ ସୁରକ୍ଷା ଓ ସୁବିଧା ପାଇଁ ବ୍ଲକସ୍ତରକୁ ନ୍ୟାୟାଳୟ ଯାଇ ସେମାନଙ୍କୁ ନ୍ୟାୟ ଦେବ ବୋଲି ମୋହନ ମାଝୀ ଭାରତୀୟ ନ୍ୟାୟ ସଂହିତା ଜାଗୃତିକରଣ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣରେ କହିଛନ୍ତି ।
ଲୋକସେବା ଭବନର ସଭା ଗୃହରେ ଆଇନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ଆଇନ ସଚେତନତା କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ମହିଳାଙ୍କ ପ୍ରତି ହେଉଥିବା ଅପରାଧ ସଂଖ୍ୟା ଓ ଦୋଷ ସାବ୍ୟସ୍ତ ସଂଖ୍ୟାରେ ଥିବା ବିରାଟ ପ୍ରଭେଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । ଏନସିଆରବି ରିପୋର୍ଟ ଆଧାରରେ ରାଜ୍ୟରେ କନଭିକ୍ସନ ହାର ୯.୩ ପ୍ରତିଶତ ଥିବାରୁ ପୁରୁଣା ସରକାର ଉପରେ ବର୍ଷିଛନ୍ତି ମୋହନା ପୁରୁଣା ସରକାର ମାଆକୁ ସମ୍ମାନ, ନାରୀ ସଶକ୍ତିକରଣ କଥା କହୁଥିଲା ହେଲେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ବିରୋଧରେ ହେଉଥିବା ଅପରାଧରେ ନ୍ୟାୟ କେମିତି ତ୍ୱରିତ ଦିଆଯିବ ତାହା କରାଯାଇନଥିଲା । ତେଣୁ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
ତେଣୁ ଆଇନରେ ପରିବର୍ତ୍ତନ ସହ ଗ୍ରାମୀଣ ମହିଳାଙ୍କ ପାଇଁ ବ୍ଲକସ୍ତରରେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରିବା ଦରକାର ପଡିଲେ ତାଙ୍କ ସରକାର କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କରିଛନ୍ତି, ଦେଶର ଆଇନକୁ ଆମକୁ ବୁଝିବାକୁ ହେବ । ଏହାକୁ ସରଳ କରି ଗାଁରେ ପହଞ୍ଚାଇବାକୁ ହେବ । ଏହି କାର୍ଯ୍ୟକ୍ରମରେ ବିଜେପି ସରକାର ଜଷ୍ଟିସ ଆଟ ଡୋର ଷ୍ଟେପ ଭିଜନରେ କାମ କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।