ଓଡିଶା ଭାସ୍କର: ବର୍ଷା ଋତୁ ସରିଛି, ଆସୁଛି ଶୀତ । ଏହି ସମୟରେ କିଛି ସାଧାରଣ ରୋଗ ଲୋକଙ୍କ ଭିତରେ ଦେଖାଦେଇଥାଏ । ତେଣୁ ଏହି ସବୁ ରୋଗରୁ କିପରି ନିଜକୁ ରକ୍ଷାକରି ସୁସ୍ଥ ଜୀବନ ବିତାଇବେ, ସେଥିପାଇଁ ଆସନ୍ତୁ ଜାଣିବା ଘରୋଇ ଉପାୟ । ଏହି ଉପାୟରେ ଋତୁ ପରିବର୍ତ୍ତନ ତଥା ଶୀତ ପାଇଁ ହେଉଥିବା ଅନେକ ରୋଗରୁ ମୁକ୍ତି ମିଳିବ । ସାଧାରଣତଃ ଶୀତ ଦିନ ଆସିଲେ ଲୋକଙ୍କ ଭିତରେ ଥଣ୍ଡା, କାଶ, ନାକରୁ ପାଣି ଗଡିବା ତଥା ଆଣ୍ଠୁଗଣ୍ଠି ପୀଡା ପରି ସମସ୍ୟା ଦେଖାଦେଇଥାଏ । ତେବେ ଏହି ସବୁର ଉପଶମ ପାଇଁ ଗୋଟିଏ ଜିନିଷ ହୋଇଥାଏ ରାମବାଣ । ସବୁଠାରୁ ବଡ କଥା, ଏହା ପ୍ରାୟତଃ ସମସ୍ତଙ୍କ ରୋଷେଇଶାଳରେ ଉପଲବ୍ଧ ହୋଇଥାଏ ।
ସମସ୍ତଙ୍କ ଘରେ ଥିବା ମହୁ ଶୀତ ଦିନିଆ ରୋଗରୁ ଦିଏ ମୁକ୍ତି । ଏହି ସାମଗ୍ରୀରେ ରହିଛି ଅନେକ ଔଷଧୀୟ ଗୁଣ । ମାଗ୍ନେସିୟମ, ଆଇରନ, କ୍ୟାଲସିୟମରେ ଭରା ମହୁ ସଂକ୍ରାମକ ରୋଗର ମୁକାବିଲା କରିବାକୁ ଶରୀରରେ ଉର୍ଜା ଭରିଦିଏ ଓ ଇମୁନୋ ସିଷ୍ଟମକୁ ଶକ୍ତିଶାଳୀ କରିବାରେ ସହାୟକ ହୋଇଥାଏ ।
ମହୁ ନିୟମିତ ଖାଇବା ଦ୍ୱାରା ଥଣ୍ଡା, କାଶ ପରି ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିସହ ଏହା ମଧ୍ୟ ମୋଟାପାରୁ ରକ୍ଷା କରେ । ନିୟମିତ ମହୁ ଖାଇବା ଦ୍ୱାରା ବଦହଜମୀ, କୋଷ୍ଠକାଠିନ୍ୟ ପରି ସମସ୍ୟାର ସମାଧାନ ହୁଏ । ଏହା ମହିଳାମାନଙ୍କ ପାଇଁ ଅତି ଉପକାରୀ । ମହୁ ଶରୀରରେ ହିମୋଗ୍ଲୋବିନ ମଧ୍ୟ ବୃଦ୍ଧି କରେ, ଯାହା ମହିଳାଙ୍କ ବିଭିନ୍ନ ରକ୍ତଜନିତ ସମସ୍ୟାର କାରଣ ହୋଇଥାଏ ।
ସାଧାରଣତଃ ଆଣ୍ଠୁଗଣ୍ଠି ସମସ୍ୟା ଶୀତ ଦିନରେ ଅଧିକ ବଢିଯାଇଥାଏ । ଏହା ମୁଖ୍ୟତଃ ଥଣ୍ଡା ପାଇଁ ହୋଇଥାଏ । ତେଣୁ ମହୁ ଖାଇବା ଦ୍ୱାରା ଥଣ୍ଡାରୁ ମୁକ୍ତି ମିଳିବା ସହ ହାଡଜନିତ ସମସ୍ୟା ମଧ୍ୟ ଦୂର ହୁଏ । ତେଣୁ ଶୀତ ଦିନରେ ନିୟମିତ ରୂପେ ମହୁ ଖାଇବା ଉପାଦେୟ । ଏହାକୁ ଚିନି ବଦଳରେ ଖାଇବା ଦ୍ୱାରା ମଧ୍ୟ ଥଣ୍ଡା, କାଶ ପରି ସମସ୍ୟା ଦୂର ହେବା ସହ ଓଜନ ହ୍ରାସ ହେବ ।